Bhupinder Singh on Waqf Bill Row: ଭୂପିନ୍ଦର ସିଂଙ୍କ ବିସ୍ଫୋରକ ବୟାନ; କହିଲେ, କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ

ଦେବାଶିଷ ବାବୁ ସ୍ପଷ୍ଟ କରିଛନ୍ତି ଯେ ସସ୍ମିତ ପାତ୍ର ନିର୍ଦ୍ଦେଶ ପାଳନ କରିବା ଲୋକ । ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । ବିଜେଡିରେ କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ।

‘BJDରେ ଚାଲିଛି କାଳବୈଶାଖୀ’

ୱକ୍‌ଫ ବିଲ୍‌କୁ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ସମର୍ଥନ ପ୍ରସଙ୍ଗ । ଏହି ପ୍ରସଙ୍ଗରେ ଏବେ ମୁହଁ ଖୋଲୁଛନ୍ତି ବିଜେଡିର ଜଣକ ପରେ ଜଣେ ବରିଷ୍ଠ ନେତା । ଗତକାଲି ଗଣେଶ୍ୱର ବେହେରା ଓ ଦେବାଶିଷ ସାମାନ୍ତରାୟଙ୍କ ପରେ ଆଜି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ବିଜେଡିରେ କାଳବୈଶାଖୀ ଚାଲିଛି, ପବନର ବେଗ ଅଧିକ ରହିଛି । ଦଳ ଯେ କ୍ଷତି ସହିବନି ତାକୁ ଆମେ ଅସ୍ବୀକାର କରିବା ନାହିଁ । ଆମ ସଭାପତି ସବୁ ଧର୍ମକୁ ସମ୍ମାନ ଦିଅନ୍ତି । ସସ୍ମିତ ପାତ୍ରଙ୍କ ଘଟଣାର ଅନୁଧ୍ୟାନ କରାଯିବ ବୋଲି ଭୂପିନ୍ଦର ସିଂ କହିଛନ୍ତି । ସେ ଆହୁରି କହିଛନ୍ତି, ଦେବାଶିଷ ବାବୁ ସ୍ପଷ୍ଟ କରିଛନ୍ତି ଯେ ସସ୍ମିତ ପାତ୍ର ନିର୍ଦ୍ଦେଶ ପାଳନ କରିବା ଲୋକ । ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । ବିଜେଡିରେ କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ବୋଲି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି ।

ଅଧିକ ପଢ଼ନ୍ତୁ: ସବୁ ଜାଣି ନବୀନ ଚୁପ୍‌, କେବେ ଖୋଲିବ ତୁଣ୍ଡ ?

ସେପଟେ ଗତକାଲି ବଡ଼ ବିସ୍ଫୋରଣ ଘଟାଇଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ । ନାଁ ନନେଇ ଭିକେ ପାଣ୍ଡିଆନଙ୍କ ଆଡ଼କୁ ଇଙ୍ଗିତ କଲେ ଦେବାଶିଷ । ସସ୍ମିତ ଭିଲେନ୍‌ ନୁହଁନ୍ତି, ମୁଖ୍ୟ ପରାମର୍ଶଦାତା ହିଁ ଏହା ପଛରେ ଅଛନ୍ତି ବୋଲି ଗତକାଲି କହିଥିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ, ଦୁଇ ଦୁଇଟି ମିଟିଂରେ ନବୀନ ପଟ୍ଟନାୟକ ବିଲ୍‌କୁ ବିରୋଧ କରିବାକୁ କହିଥିଲେ । ଏମିତି କି ବିଜେଡି ସାଂସଦ ମୁନ୍ନା ଖାନ ମଧ୍ୟ ରାଜ୍ୟସଭାରେ ଏହି ବିଲ୍‌କୁ ବିଜେଡି ବିରୋଧ କରିବ ବୋଲି କହିଥିଲେ । କିନ୍ତୁ ସନ୍ଧ୍ୟା ୬ଟାରେ ଏକ ଟ୍ୱିଟ୍‌ ଆସିଲା କି ବିଜେଡି ପକ୍ଷରୁ ରାଜ୍ୟସଭାରେ ଭୋଟିଂ ପାଇଁ କୌଣସି ହ୍ୱିପ୍‌ ଜାରି ହୋଇନି ।

ସମସ୍ତ ସାଂସଦ ନିଜ ନିଜ ବିବେକ ଅନୁସାରେ ଭୋଟ୍‌ ଦେବେ ବୋଲି କୁହାଗଲା । ତେବେ ହଠାତ କାହିଁକି ଏ ନିଷ୍ପତ୍ତିର ପରିବର୍ତ୍ତନ ହେଲା । ଯେଉଁମାନେ ବି ପରାମର୍ଶ ଦେଇଛନ୍ତି ସେମାନେ ଦଳ ହିତରେ ଦେଇ ନାହାନ୍ତି । ମୁଁ ସଭାପତିଙ୍କୁ ଅନୁରୋଧ କରୁଛି ଯେଉଁମାନଙ୍କ ପରାମର୍ଶରେ ଏ ନିଷ୍ପତ୍ତି ନେଇଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ସେହିପରି ସସ୍ମିତ ପାତ୍ରଙ୍କୁ ନେଇ ଦେବାଶିଷ ସାମନ୍ତରାୟ କହିଥିଲେ, ସସ୍ମିତ ଭିଲେନ୍‌ ନୁହଁନ୍ତି । ସସ୍ମିତ ପାତ୍ର ନିର୍ଦ୍ଦେଶ ନିଅନ୍ତି, ଦିଅନ୍ତି ନାହିଁ । ମୁଖ୍ୟ ପରାମର୍ଶଦାତା ରାଜନୀତିରେ ନଥାଇ ରାଜନୀତିକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି । ଆଉ ସେହି ମୁଖ୍ୟ ପରାମର୍ଶଦାତା କିଏ ସମସ୍ତେ ଜାଣିଛନ୍ତି । ତେବେ ଏଭଳି ଘଟଣା କାହିଁକି ଘଟିଲା ତାହା ନବୀନ ପଟ୍ଟନାୟକ ବିଚାର କରିବା ଉଚିତ୍ । ସେହିପରି ବଡ଼ ଡିଲ୍ ହୋଇଛି ବୋଲି ଆରୋପ ଲଗାଇଛନ୍ତି ଦେବାଶିଷ ସାମନ୍ତରାୟ । ବିଜେପି ସହ ମୁଖ୍ୟ ପରାମର୍ଶଦାତାଙ୍କର ବଡ଼ ଡିଲ୍‌ ହୋଇଛି ବୋଲି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ ।

ଅଧିକ ପଢ଼ନ୍ତୁ: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ