• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଦେଶରେ ପରବର୍ତ୍ତି ରାଷ୍ଟ୍ରପତି, ଏନେଇ ହେବ ଭୋଟ୍ । ଏନ୍‌ଡିଏରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ୟୁପିଏରୁ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଆସନ୍ତାକାଲି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହାର ପ୍ରଥମ ଦିନରେ ହିଁ ଭୋଟ୍ ଦେବେ ସାଂସଦ । ଏହାସହ ସମସ୍ତ ରାଜ୍ୟର ବିଧାନସଭାରେ ବି ବିଧାୟକ ମାନେ ଭୋଟ୍ ଦେବେ । ସମର୍ଥନ ଦୃଷ୍ଟିରୁ ଦ୍ରୌପଦୀ ଆଗରେ ଥିବା ବେଳେ ଯଶୱନ୍ତ ବି କଡ଼ା ଟକ୍କର ଦେବେ ।

କେଉଁ ଦଳ କାହାକୁ ସମର୍ଥନ ଦେଉଛି ?

ଏନ୍‌ଡିଏ ସମେତ ବିଜେଡି, YSR କଂଗ୍ରେସ, ବିଏସ୍‌ପି, ଶିରୋମଣୀ ଅକାଳୀ ଦଳ, ଏଲ୍‌ଜେପି-ରାମବିଳାସ ଦଳ ସମର୍ଥନ ଜଣାଇଛନ୍ତି । ସେହିପରି ଯଶୱନ୍ତଙ୍କ ସମର୍ଥନରେ କଂଗ୍ରେସ, ଟିଏମ୍‌ସି, ଏନ୍‌ସିପି, ସିପିଆଇ ଏବଂ ସିପିଆଇଏମ୍, ସିପିଏମ୍ଏଲ୍, ଡିଏମ୍‌କେ, ଆରଜେଡି, ଏସ୍‌ପି, ନ୍ୟାସନାଲ୍ କନଫରେନସ୍, ପିଡିପି, ଆରଏଲ୍‌ଡି, ଆରଏସ୍‌ପି, ଆଇୟୁଏଲଏଲ୍, ଟିଆର୍‌ଏସ୍ ଭଳି ରାଜନୈତିକ ଦଳ ରହିଛନ୍ତି । ସେହିପରି ଆପ୍, ଜେଏମ୍ଏମ୍, AIMIM, ଜେଡିଏସ୍, ଟିଡିପି, ଶିବସେନା ଏବେ ଯାଏଁ ନିଷ୍ପତ୍ତି ନେଇ ନାହାନ୍ତି ।

ଆସନ୍ତୁ ନଜର ପକାଇବା ରାଷ୍ଟ୍ରପତି ନିର୍ବାଚନ ବେଳେ କାହା ପାଖରେ ରହିଛି କେତେ ଭୋଟ୍ ? 

କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନିଜ ମେଣ୍ଟ ଦଳ ସହ ୧୭ଟି ରାଜ୍ୟରେ କ୍ଷମତାରେ ରହିଛି । ଏହାପରେ ୪୮.୯ ପ୍ରତିଶତ ଭୋଟ୍ ବିଜେପି ପାଖରେ ରହିଛି । ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଭଳି ବଡ଼ ରାଜ୍ୟରେ କଂଗ୍ରେସ ଓ ମେଣ୍ଟ ଶାସନରେ ରହିଛି । ଏବେ ବିପକ୍ଷରେ ଥିବା କଂଗ୍ରେସ ପାଖରେ ରହିଛି ୨୧.୯% । ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡ଼ୁରେ ଡିଏମକେ, କେରଳରେ ବାମ, ଦିଲ୍ଲୀ-ପଂଜାବରେ ଆପ୍ ଏବେ କ୍ଷମତାରେ ରହିଛି । ଏହି ଦୃଷ୍ଟିରୁ ଆଞ୍ଚଳିକ ଦଳ ଓ ଅନ୍ୟାନ୍ୟ ପାର୍ଟି ପାଖରେ ୧୯.୭ ପ୍ରତିଶତ ଓ ୯.୫ ପ୍ରତିଶତ ରହିଛି । ଏହି ସଂଖ୍ୟାକୁ ଦେଖିଲେ ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱ ବହନ କରୁଛି ।

ଏବେ ନଜର ପକାଇବା, କେଉଁ ଦଳ ପାଖରେ ରହିଛି ସେହି ଗେମ୍ ଚେଞ୍ଜିଂ ନମ୍ବର ?

ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା YSR କଂଗ୍ରେସ, ଓଡ଼ିଶାରେ ବିଜେଡି ଏବଂ ତେଲେଙ୍ଗାନାରେ ଟିଆରଏସ୍ ପାଖରେ ରହିଛି ମ୍ୟାଜିକ୍ ନମ୍ବର । YSR କଂଗ୍ରେସ ପାଖରେ ୪ ପ୍ରତିଶତ, ବିଜେଡି ପାଖରେ ୨.୯ ପ୍ରତିଶତ ଏବଂ ଟିଆରଏସ୍ ପାଖରେ ୨.୨ ପ୍ରତିଶତ ଭୋଟ୍ ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା ଓ ରାଜ୍ୟସଭାର ଦୁଇ ଗୃହର ସମସ୍ତ ସାଂସଦ, ସବୁ ରାଜ୍ୟର ବିଧାୟକଙ୍କ ଭୋଟକୁ ମିଶାଇ ଫଳାଫଳ ଘୋଷଣା ହୋଇଥାଏ ।

ପ୍ରତି ସାଂସଦଙ୍କ ଭୋଟର ମୂଲ୍ୟ ୭୦୮ ହୋଇଥିବା ବେଳେ ରାଜ୍ୟର ଜନସଂଖ୍ୟା ଭିତ୍ତିରେ ଏହାର ମୂଲ୍ୟ ରାଜ୍ୟଭିତ୍ତିରେ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତରପ୍ରଦେଶରେ ସବୁଠୁ ଅଧିକ ୧୫.୬%, ମହାରାଷ୍ଟ୍ର ୯.୩୩%, ପଶ୍ଚିମବଙ୍ଗରେ ୮.୧୬%, ବିହାର ୭.୭୫%, ତାମିଲନାଡ଼ୁରେ ୭.୬୫% ଏବଂ ଓଡ଼ିଶାରେ ୪.୦୪% ଭୋଟ୍ ରହିଛି ।

ଅନ୍ୟପକ୍ଷେ, ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡି ପ୍ରାର୍ଥୀ ଘୋଷଣା କରିଛି । ଜଗଦୀପ ଧନକର ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନକଡ଼ଙ୍କୁ ବିଜେପି ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୟନ କରାଯାଇଛି । ଗତକାଲି ଦିଲ୍ଲୀ ମୁଖ୍ୟାଳୟରେ ବସିଥିବା ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଜଗଦୀପଙ୍କ ନାଁରେ ମୋହର ବାଜିଛି ।