Advertisment

BJP Govt Completes One Year: ଶାସନର ଗୋଟିଏ ବର୍ଷ ପରେ...ସେବେ ନଥିଲା, ଏବେ ହେଲା...

ମୁଖ୍ୟମନ୍ତ୍ରୀ ଶାସନର ବିକେନ୍ଦ୍ରିକରଣ କରିଛନ୍ତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀମାନଙ୍କ କାର୍ଯ୍ୟରେ ଆଦୌ ରାଜନୈତିକ ହସ୍ତକ୍ଷେପ ହେଉଥିବା ଦେଖିବାକୁ ମିଳୁନାହିଁ । ଅବଶ୍ୟ ଆଗକୁ କ’ଣ ହେବ, ତାହା ଏବେ କହିହେବ ନାହିଁ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଥିବାରୁ ପ୍ରତ୍ୟେକଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରୟାସ ଚାଲିଛି ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ଓଡ଼ିଶା ରାଜନୀତି

ଓଡ଼ିଶା ରାଜନୀତି

ଏହି ନିବନ୍ଧର ଶୀର୍ଷକ ଅଧା ଇଂରାଜୀରେ ଓ ଅଧା ଓଡ଼ିଆରେ ରହିଛି । ଆପଣ ଆଶ୍ଚର୍ଯ୍ୟ ହେଉଥିବେ, - ଏମିତି ବିକୃତି କାହିଁକି ? ବେଳେବେଳେ ଏମିତି କିଛି ଇଂରାଜୀ ଶବ୍ଦ ରହିଛି, ଯାହାର ଅର୍ଥ ଆମେ ଭଲ ଭାବରେ ବୁଝିପାରୁ, - ହେଲେ ତାହାର ଓଡ଼ିଆ ଅର୍ଥ ସହିତ ଆମର ଏମିତି ନିବିଡ଼ତା ନଥାଏ । ଏଇ ଯେମିତି ‘ଚେୟାର’ ଏବଂ ଟେବଲ୍ । ଓଡ଼ିଆରେ ‘ଚେୟାର’ ଅର୍ଥ ଚୌକି ଓ ଟେବଲ୍ ଅର୍ଥ ମେଜ । ଏବେ ସ।ମାଜିକ ତଥା ରାଜନୈତିକ ଉତ୍ସବ ବା ବିଭିନ୍ନ କର୍ପୋରେଟ୍ କାର୍ଯ୍ୟକ୍ରମରେ ଲୋକମାନେ ଏକାଠି ହେବା ଅବସରରେ ‘ଡିକୋଡ୍‌’ ଏବଂ ‘ଡିକୋଡିଂ’ ଶବ୍ଦ ବେଶ୍ ଥଟାମଜ୍ଜାରେ ବ୍ୟବହାର କରୁଛନ୍ତି । ଜଣେ ଅନ୍ୟ ଜଣଙ୍କୁ ବା ସମବେତ ଜନତାଙ୍କୁ କିଛି ପ୍ରସଙ୍ଗ ଉତ୍‌ଥାପନ କରି ଆପଣ ଏହାକୁ କିପରି ‘ଡିକୋଡିଂ’ କରୁଛନ୍ତି ବୋଲି ପଚାରିବା ଦେଖାଯାଉଛି । ‘ଡିକୋଡିଂ’ ମାର୍ମିକ ଅର୍ଥ ହେଲା ନିଜସ୍ୱ ଢଙ୍ଗରେ ବା ଜ୍ଞାନ ପ୍ରୟୋଗ କରି ଏକ ପ୍ରସଙ୍ଗକୁ ବୁଝିବା ।

Advertisment

ଏହି ନିବନ୍ଧରେ ଏହି ‘ଡିକୋଡିଂ’ ଶବ୍ଦର ଅବତାରଣା କରିବାର ଅର୍ଥ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବେ ଏହି ଶବ୍ଦକୁ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ସହିତ ବା ରାଜନୈତିକ ବ୍ୟକ୍ତିମାନଙ୍କ ବାର୍ତ୍ତାଳାପ କଲାବେଳେ ପ୍ରୟୋଗ କରୁଥିବା ଦେଖାଯାଉଛି ।
ଏଇ ନିକଟରେ ବରିଷ୍ଠ ସାମ୍ବାଦିକମାନଙ୍କ ସହିତ ଏକ ଆଲୋଚନା ସମୟରେ ଯେତେବେଳ କିଛି ଜଟିଳ ପ୍ରସଙ୍ଗ ସମୟରେ ତାଙ୍କୁ ପଚାରାଗଲା, ସେ ସ୍ମିତ ହସି ଦେଇ ଓଲଟା ପ୍ରଶ୍ନ କରୁଥିଲେ ଯେ - ‘ଆପଣମାନେ ଏହି ସମସ୍ୟା ବା ପ୍ରଶ୍ନଟିକୁ କିପରି ଡିକୋଡିଂ କରିବେ?’ ଅର୍ଥାତ୍ ଏହି ସମସ୍ୟାର ମୂଳ କାରଣ କ’ଣ ଏବଂ ଏହାର ସମାଧାନର ରାସ୍ତା କିପରି ବାହାର କରାଯାଇପାରିବ ବୋଲି ଆପଣମାନେ ଭାବୁଛନ୍ତି?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯେ ଅତ୍ୟନ୍ତ ସରଳ ଏଥିରେ କିଛି ଦ୍ୱିମତ ନାହିଁ । କିନ୍ତୁ ରାଜନୈତିକ ଚାତୁରି ଓ ଧୀମତ୍ତାରେ ଯେ ତାଙ୍କର କିଛି ଉଣା ରହିଛି, ତାହା ଭାବିବା ଭୂଲ । ଆପଣ କିପରି ସମସ୍ୟାକୁ ଡ଼ିକୋଡିଂ କରୁଛନ୍ତି ବୋଲି ପ୍ରଶ୍ନ କରି ସେ ସେହିଠାରେ ସମବେତ ଜନସାଧାରଣଙ୍କ ଠାରୁ ସମସ୍ୟାର ନିରାକରଣ ସୂତ୍ର ଖୋଜିବାର ଚେଷ୍ଟା କରୁଛନ୍ତି । ଏହାକୁ ଜନଭାଗିଦାରିତା କୁହାଯାଏ । ସେଦିନ ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକମାନଙ୍କ ସହିତ କଥାବର୍ତ୍ତା ସମୟରେ ତାଙ୍କୁ ଯେତେବେଳେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କିଛି ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ତୁଳନାରେ କିଛିଟା ସମସ୍ୟା ହେଉଛି ଓ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କାହିଁକି ବିଳମ୍ବ ହେଉଛି ବୋଲି ପ୍ରଶ୍ନ କରାଗଲା, ସେତେବେଳେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ଯେ ଆପଣମାନେ ଏହାକୁ କିଭଳି ‘ଡିକୋଡିଂ’ କରୁଛନ୍ତି? ପ୍ରଶ୍ପ ପଚାରିବା ପରେ ପରେ ସେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଖୁବ୍ ସରଳ ଭାବରେ ବୁଝାଇ ଦେଉଥିଲେ ।

Advertisment

ଏବେ ଆସିବା ଯେ ଓଡ଼ିଶାର ଜନସାଧାରଣ ଭାରତୀୟ ଜନତା ପାର୍ଟିର ଏହି ଏକ ବର୍ଷ ଶାସନକୁ କିପରି ଡିକୋଡିଂ କରୁଛନ୍ତି । ଏକଥା ସ୍ୱୀକାର୍ଯ୍ୟ ଯେ ଦୀର୍ଘ ଦୁଇ ଦଶନ୍ଧିର ଅମଲାତାନ୍ତ୍ରୀକ ଶାସନରେ ପେଷି ହୋଇଯାଇଥିବା ଓଡ଼ିଶାର ଜନସାଧାରଣ ଏବେ ଟିକିଏ ନିଶ୍ୱାସ ମାରୁଛନ୍ତି । ନବୀନଙ୍କ ଓଡ଼ିଆ ବୁଝିନପାରିବା ଏବଂ ସାଧାରଣ ଜନତାଙ୍କ ସହିତ ଖାଣ୍ଟି ତଥା ନିର୍ମଳ ଭାବେ ନମିଶିବା ଅମଲାମାନଙ୍କୁ ଶକ୍ତିଶାଳୀ କରିଥିଲା ଏବଂ ଲୋକମାନଙ୍କୁ ସରକାର ଓ ପ୍ରଶାସନ ଠାରୁ ଦୂରେଇ ନେଇଥିଲା । ଶାସନକଳ ଓ ଜନତାଙ୍କ ମଧ୍ୟରେ ଛିଡ଼ା ହୋଇଥିଲା ଏକ ବିଶାଳ ପ୍ରାଚୀର । ଏବେ ମୋହନ ସରକାର ଏହି ପ୍ରାଚୀରକୁ ଭାଙ୍ଗି ଦେଇଛନ୍ତି । କେବଳ ସେତିକି ନୁହେଁ, ଶାସନକଳକୁ ଜନସାଧାରଣଙ୍କ ଦୁଆରମୁହଁରେ ପହଞ୍ଚାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିବ୍ୟାଙ୍ଗ, ଅସହାୟ ତଥା ବୟସ୍କ ବ୍ୟକ୍ତି ବିଶେଷର ସେବା ତାଙ୍କ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ଶାସନର ବିକେନ୍ଦ୍ରିକରଣ କରିଛନ୍ତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀମାନଙ୍କ କାର୍ଯ୍ୟରେ ଆଦୌ ରାଜନୈତିକ ହସ୍ତକ୍ଷେପ ହେଉଥିବା ଦେଖିବାକୁ ମିଳୁନାହିଁ । ଅବଶ୍ୟ ଆଗକୁ କ’ଣ ହେବ, ତାହା ଏବେ କହିହେବ ନାହିଁ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଥିବାରୁ ପ୍ରତ୍ୟେକଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରୟାସ ଚାଲିଛି । ଏହା ମଧ୍ୟରେ ମୋହନ ଚରଣ ମାଝିଙ୍କ ସରକାରଙ୍କ ଗୋଟିଏ ବର୍ଷ ବିତିଯାଇଛି । ଏହି ବର୍ଷକ ମଧ୍ୟରେ ତାଙ୍କ ସରକାରଙ୍କ ସଫଳତାର ଏକ ଲମ୍ବା ଚିଠା ସେ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପିତ କରିଛନ୍ତି । ବିଜେପି ଦ୍ୱାରା ୨୦୨୪ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତିରୁ ୧୧ଟି ପ୍ରତିଶ୍ରୁତି ପ୍ରଥମ ବର୍ଷରେ ପୂରଣ କରାଯାଇପାରିଛି । ସରକାରଙ୍କ କାର୍ଯ୍ୟକାଳ ଆହୁରି ଚାରିବର୍ଷ ରହିଛି । ବାକି ପ୍ରତିଶ୍ରୁତିଗୁଡ଼ିକ ଖୁବ୍ ଶୀଘ୍ର ପୂରଣ କରାଯିବା ସହିତ ଜନସାଧାରଣଙ୍କ ଅନ୍ୟ ଆବଶ୍ୟକତାଗୁଡ଼ିକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମାଝି କହିଛନ୍ତି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଦୀର୍ଘ ୨୪ ବର୍ଷ କାଳ ଶାସନ ସମୟରେ ଦିନକ ପାଇଁ ସାମ୍ବାଦିକ ସମ୍ମିଳନୀ ଡାକିନଥିଲେ କି ଓଡ଼ିଆ ସାମ୍ବାଦିକମାନଙ୍କ ପ୍ରତି ତାଙ୍କର ସେମିତି କିଛି ଭଲପାଇବା ଦେଖାଯାଇନଥିଲା । ପ୍ରାୟୋଜିତ ଭାବରେ ଦିଲ୍ଲୀରୁ ଅଣଓଡ଼ିଆ ସାମ୍ବାଦିକମାନଙ୍କୁ ଏଠାକୁ ଡକାଯାଇ ନବୀନ ତାଙ୍କର ଶାରୀରିକ ସୁସ୍ଥତା ଓ ସରକାରଙ୍କ ପାରଦର୍ଶିତା କଥା ବଖାଣୁଥିଲେ । ସେହି ସବୁ ସାମ୍ବାଦିକମାନେ ଓଡ଼ିଆ ସାମ୍ବାଦିକମାନଙ୍କ ଠାରୁ ଜ୍ଞାନ ଓ ଗରିମାରେ ବହୁ ଉଚ୍ଚରେ ବୋଲି ଏକ ଧାରଣା ସୃଷ୍ଟି କରାଯାଉଥିଲା । ଅଣଓଡ଼ିଆ ସାମ୍ବାଦିକମାନଙ୍କ ସାକ୍ଷାତକାରକୁ ତାଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ହ୍ୟାଣ୍ଡେ୍‌ଲରେ ସେୟାର କରାଯାଉଥିଲା ଏବଂ ଏହା ନବୀନଙ୍କ ଶାସନର ଶ୍ରେଷ୍ଠ ପ୍ରମାଣପତ୍ର ବୋଲି ଏକ ପ୍ରକାର ଧାରଣା ପ୍ରଦାନ କରାଯାଉଥିଲା । ନବୀନଙ୍କୁ ଭେଟିବା ଏବଂ ତାଙ୍କର ସାକ୍ଷାତକାର ନେବା ଓଡ଼ିଆ ସାମ୍ବାଦିକମାନଙ୍କର ସାଧ୍ୟ ବାହାରେ ଥିଲା ବୋଲି ମଧ୍ୟ ଆଉ ଏକଧାରଣା ସୃଷ୍ଟି କରାଯାଇଥିଲା ।

ଓଡ଼ିଶାରେ ଶାସନ ବ୍ୟବସ୍ଥାରେ ରହିବା ପାଇଁ ଜଣେ ନିହାତି ଡୁନ୍ ସ୍କୁଲ୍ ବା ଲଣ୍ଡନ ବିଶ୍ୱବିଦ୍ୟାଳୟ ବା ଆମେରିକାର ହାଭାର୍ଡ ବିଶ୍ୱବିଦ୍ୟାଳୟରେ ପଢିବାର ଆବଶ୍ୟକତା ନାହିଁ । ଓଡ଼ିଆ ମାଟି, ପାଣି ଓ ପବନରେ ଥିବା ମମତ୍ୱର ଭାଷାକୁ ଡିକୋଡିଂ କରିପାରିଥିଲେ ବା ବୁଝିପାରୁଥିଲେ, ତାହାହିଁ ହେବ ଜଣେ ବ୍ୟକ୍ତିର ଶ୍ରେଷ୍ଠ ଯୋଗ୍ୟତାର ମାପଦଣ୍ଡ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ମାପଦଣ୍ଡକୁ ଆପଣାଉଥିବା ଦେଖାଯାଏ । 

BJD BJP Odisha Politics Chief Minister Mohan Majhi
Advertisment
Advertisment