• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜ୍ୟସଭାରୁ ସୁବାସ ସିଂହଙ୍କ ଇସ୍ତଫା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର ସୁବାସ ସିଂହ । କଟକ ମେୟର ନିର୍ବାଚିତ ପରେ ସାଂସଦ ପଦରୁ ସୁବାସ ଇସ୍ତଫା ଦେଇଛନ୍ତି । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏ ସଂପର୍କରେ ଲିଖିତ ଭାବେ ଆଇନଗତ ଦିଗ କଣ ରହିଛି ବୋଲି ସଂସଦର ପରାମର୍ଶ ଲୋଡ଼ିଥିଲେ । ପାର୍ଲାମେଣ୍ଟ ପକ୍ଷରୁ ଏ ସଂପର୍କରେ ତାଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଥିଲା ।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ସାକ୍ଷାତ କରି ମେୟର ଭାବେ ନିର୍ବାଚିତ ହୋଇଥିବା କଥା ଜଣାଇବା ସହ ତାଙ୍କର ପରାମର୍ଶ ଲୋଡ଼ିଥିଲେ । ଶେଷରେ ଆଜି ସେ ବିଦ୍ଧିବଦ୍ଧ ଭାବେ ରାଜ୍ୟସଭା ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପୌର ନିର୍ବାଚନରେ କଟକରେ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂହ ମନୋନୀତ ହୋଇଥିଲେ । ସେ ନିର୍ବାଚନରେ ବହୁମତରେ ଜିତି କଟକର ନୂଆ ମେୟର ହୋଇଛନ୍ତି ।

୨୦୧୩ ମସିହାରେ ବିଜେଡିରେ ଯୋଗ ଦେଇଥିଲେ ସୁବାସ ସିଂହ । ତା ପୂର୍ବରୁ ସେ ସିପିଏମର ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଓ ସିଟୁର ଉପସଭାପତି ଥିଲେ । ବିଜେଡିରେ ଯୋଗଦେବା ପରେ ସେ ଦଳର କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ବିଜେଡି ସରକାରରେ ତାଙ୍କୁ ଦୁଇ ଥର ଓଡିଶା ବିଲଡିଂ ଆଣ୍ଡ ଅଦର କନଷ୍ଟ୍ରକସନ ୱାର୍କରସ ୱେଲଫେୟାର ବୋର୍ଡର ଅଧ୍ୟକ୍ଷ କରାଯାଇଛି ।

ବିଜେଡିର ଶ୍ରମିକ ସଂଗଠନ ବିଜୁ ଶ୍ରମିକ ସାମ୍ମୁଖ୍ୟର ସେ ସାଧାରଣ ସଂପାଦକ ମଧ୍ୟ ଅଛନ୍ତି । ୨୦୨୦ ମସିହା ମାର୍ଚ୍ଚ ମାସରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ଏବେ ବିଜେଡିର ଜାତୀୟ ମୁଖପାତ୍ର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ତେବେ ମେୟର ଭାବେ ନିର୍ବାଚିତ ହେବା ପରେ ସେ ଆଜି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।