• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶପଥ ନେବାର ୨୪ ଘଣ୍ଟା ଭିତରେ ବିହାର ଆଇନ ମନ୍ତ୍ରୀଙ୍କ ପାଖକୁ କୋର୍ଟଙ୍କ ନୋଟିସ ଆସିଥିବା ଜଣାପଡ଼ିଛି । ଆରଜେଡି ବିଧାୟକ ତଥା ବର୍ତ୍ତମାନର ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ବିରୋଧରେ ଆତ୍ମସମର୍ପଣ ପାଇଁ ଓ୍ୱାରେଣ୍ଟ ଜାରି କରାଯାଇଥିଲା । କାର୍ତ୍ତିକେୟ ସିଂହଙ୍କ ବିରୋଧରେ ଅପହରଣ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟ ଓ୍ୱାରେଣ୍ଟ ଜାରି କରି ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି । ଜଣେ ବିଲଡରଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଅପହରଣ କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି ।

ତେବେ ଓ୍ୱାରେଣ୍ଟ ପାଇବା ପରେ ସେ କୋର୍ଟରେ ଆତ୍ମସମର୍ପଣ କରିନଥିବା ଅଭିଯୋଗ ହୋଇଛି । ଏହି ବିଷୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପଚରାଯିବା ପରେ ମୁଁ କିଛି ଜାଣିନାହିଁ ବୋଲି କହିଛନ୍ତି ନୀତୀଶ । ଅନ୍ୟପଟେ କୋର୍ଟରେ ଆତ୍ମସମର୍ପଣ କରିବାକୁ ଥିବା ଆଇନ ମନ୍ତ୍ରୀଙ୍କୁ କିପରି ରାଜଭବନକୁ ପଠାଗଲା ବୋଲି ବିଜେପି ପ୍ରଶ୍ନ କରିଛି । ନୀତୀଶଙ୍କୁ ଏସବୁ ରୋକିବା ସହ ଏଭଳି ମନ୍ତ୍ରୀଙ୍କୁ ବରଖାସ୍ତ କରିଦେବା ଉଚିତ ବୋଲି ବିଜେପି କହିଛି ।

ତେବେ ନିକଟରେ ପ୍ରକାଶ ପାଇଥିବା ଏଡିଆର୍‌ ରିପୋର୍ଟ ମଧ୍ୟ ନୀତୀଶ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପ୍ରାୟ ୭୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବହୁ ଚର୍ଚ୍ଚିତ ବିହାର ରାଜନୀତିର ହାଇଡ୍ରାମାରେ ପୁର୍ଣ୍ଣଛେଦ ପଡ଼ିଛି । ହେଲେ ଏବେ ଆଉ ଏକ ନୂଆ ବିବାଦ ତେଜିବାରେ ଲାଗିଛି । ନୀତୀଶ ସରକାର ଭାଙ୍ଗିବା ପରେ ପୁଣି ଥରେ ସେହି ନୀତୀଶ ସରକାର ପାର୍ଟ-୨ ଆରମ୍ଭ ହୋଇଛି । ହେଲେ ଏଥର ନୀତୀଶଙ୍କୁ ଟିକେ ଅଡ଼ୁଆ ପରିସ୍ଥିତିରେ ପକାଇଛି ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ।

ନୂଆ ସରକାର ଗଠନ ହେବା ସହ ନୂଆ ମନ୍ତ୍ରୀ ବି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଉ ବିଡ଼ମ୍ବନାର କଥା ହେଉଛି, ଏବେ ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏନେଇ ADR ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଖୁଲାସା ହୋଇଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନାଁରେ ମଧ୍ୟ ରହିଛି ମାମଲା । ସେମାନଙ୍କ ନାଁରେ ଥାନାରେ ଏତଲା ରହିଛି ।

ନୀତୀଶ କୁମାର ଯିଏ କି ନିକଟରେ ବିଜେପି ହାତ ଛାଡ଼ି ସରକାର ଭାଙ୍ଗିଥିଲେ ଏବଂ RJD ସହ ହାତ ମେଳାଇ ନୂଆ ସରକାର ଗଠନ କରିଥିଲେ, ପରେ ସେ ଅଗଷ୍ଟ ୧୦ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ନୀତୀଶ ନିଜର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଗତ ମଙ୍ଗଳବାର ୩୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

ତେବେ ନୂଆ କରି ହୋଇଥିବା ୩୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୦୨୦ରେ ୩୨ ଜଣ ନେତା ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ସେଥିରୁ ସେମାନଙ୍କର ଇତିହାସ ପଦାକୁ ଆସିଛି । ଏଡିଆର୍‌ ପକ୍ଷରୁ ସେହି ସବୁ ନେତାଙ୍କର ସତ୍ୟପାଠ ଯାଞ୍ଚ କରାଯିବା ପରେ ୭୦ ପ୍ରତିଶତ ନେତାଙ୍କ ନାଁରେ ଅପରାଧିକ ମାମଲା ଥିବା ଜଣାପଡ଼ିଛି । ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁ ମଧ୍ୟ ରହିଛି ।