• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଚନ୍ନିଙ୍କ ଟେନସନ୍ ବଢ଼ିଲା 

  • ୧୩ ଟି ପ୍ରସଙ୍ଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାକୁ ଚିଠି ଲେଖିଲେ ସିଦ୍ଧୁ

ଚଣ୍ଡୀଗଡ଼ : ବାୟା କରୁଛି କି ପଦବୀ ମୋହ ?  ପଞ୍ଜାବର କଂଗ୍ରେସ ହାଇକମାଣ୍ଡଙ୍କ ବେକରେ ନବଜୋତ ସିଂ ସିଦ୍ଧୁ କଣ୍ଟା । କାଢ଼ି ହେଉନି କି ଗିଳି ହେଉନି । ରାଜ୍ୟରେ କ୍ଷମତା କନ୍ଦଳ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସିଦ୍ଧୁଙ୍କ ପାଇଁ ପଞ୍ଜାବ କଂଗ୍ରେସର ମୁଣ୍ଡବ୍ୟଧା ଥମିବାର ନାଁ ନେଉନି । ଦୁଇ-ତିନି ଦିନ ପୂର୍ବେ ରାହୁଲ ଗାନ୍ଧୀ ନବଜୋତ ସିଂ ସିଦ୍ଧୁଙ୍କୁ ଭେଟିଥିଲେ , ଆଉ ତା’ ପରେ ପଞ୍ଜାବ କଂଗ୍ରେସ ପଦରୁ ଇସ୍ତଫା ପ୍ରତ୍ୟାହାର କରିଥିଲେ ସିଦ୍ଧୁ । ତଥାପି ତାଙ୍କର ମନ ମାନିଲାନି । ବର୍ତ୍ତମାନ ପୁଣି ସେ ସୋନିଆ ଗାନ୍ଧୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି । ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି କରିଥିବାରୁ ପ୍ରଶ୍ନ କରିବା ସହ ପଞ୍ଜାବ ସରକାରଙ୍କୁ ୧୩ ଟି ପ୍ରସଙ୍ଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମଧ୍ୟ ଅସନ୍ତୋଷର ବହ୍ନିରେ ଜଳୁଛନ୍ତି ସିଦ୍ଧୁ । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ଏକଥା ସ୍ପଷ୍ଟ ହୋଇଛି । ସୋନିଆଙ୍କୁ ଏକ ଖୋଲା ଚିଠି ଲେଖି ପଞ୍ଜାବ ସରକାରଙ୍କୁ ୧୩ଟି ପ୍ରସଙ୍ଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି । ଏହାସହ ସୋନିଆଙ୍କୁ ଭେଟିବା ପାଇଁ ମଧ୍ୟ ସମୟ ମାଗିଛନ୍ତି । ଏହି ଚିଠିରେ ସିଦ୍ଧୁ ନିଜକୁ ପଞ୍ଜାବ କଂଗ୍ରେସ ସଭାପତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ସରକାରଙ୍କ ଉପରେ ନଜର ରଖିବାର ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଲୋଭ ନାହିଁ ବୋଲି କହି ହେଉଛନ୍ତି ନବଜୋତ ସିଂ ସିଦ୍ଧୁ । କିନ୍ତୁ ମନରେ ପଦବୀ ଲୋଭ ଛାଡ଼ି ପାରୁନଥିବା କଥା ତାଙ୍କ ହାବଭାବରୁ ସ୍ପଷ୍ଟ ହେଉଛି । ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ସିଦ୍ଧୁ କହିଛନ୍ତି, ପଞ୍ଜାବରେ ଜଣେ ଦଳିତଙ୍କୁ ସିଏମ୍ କରାଥିଲା କିନ୍ତୁ ସାରା ରାଜ୍ୟରେ ଦଳିତ ସମାଜ ସମାନ ପ୍ରତିନିଧିତ୍ୱ ପାଇନାହାଁନ୍ତି । ଚନ୍ନି କ୍ୟାବିନେଟରେ ଧାର୍ମିକ ଶିଖ ସମାଜରୁ ଜଣେ, ଦୁଇଜଣ ପଛୁଆ ସମାଜରୁ ଏବଂ ଦୋଆବା ଅଞ୍ଚଳରୁ ଜଣଙ୍କୁ ମନ୍ତ୍ରୀ କରିବା ଉଚିତ୍ ବୋଲି ନବଜୋତ ସିଂ ସିଦ୍ଧୁ ସୋନିଆଙ୍କ ନିକଟରେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଆଉ ୬ ମାସ ସମୟ ବାକି ଅଛି । ତଥାପି ପାରସ୍ପରିକ ମତଭେଦ ଦୂର କରିବାରେ ସକ୍ଷମ ନୁହେଁ କଂଗ୍ରେସ । ଚନ୍ନି ସରକାର ଗଠନର ଏକ ସପ୍ତାହ ମଧ୍ୟରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରି ଦେଇଥିଲେ । ରାଜ୍ୟର ଡିଜିପି ଏବଂ ଆଡଭୋକେଟ୍ ଜେନେରାଲଙ୍କ ନିଯୁକ୍ତିକୁ ନେଇ ଚନ୍ନି ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ନବଜୋତ ସିଂ ସିଦ୍ଧୁଙ୍କୁ ଚଳିତ ବର୍ଷ ଜୁଲାଇରେ କଂଗ୍ରେସ ରାଜ୍ୟ ସଭାପତି କରାଯାଇଥିଲା।