• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ମମିତା ମାମଲାରେ ଧୃତରାଷ୍ଟ୍ର ଭଳି ବସିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ସଭା କୌରବମାନଙ୍କର ସଭା ପରି ଲାଗିଲା । ଦୌପଦୀଙ୍କୁ କୁରୁସଭାରେ ଲାଞ୍ଚିତ କରିବା ଭଳି ଓଡ଼ିଆ ମାଟିର ଝିଅ ମମିତାକୁ ଅପମାନିତ କରାଗଲା । ଦୁଃଶାସନ ଭୂମିକାରେ ଓଡ଼ିଶାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଥିବା ବେଳେ ଶକୁନି ଭୂମିକାରେ ଅଛନ୍ତି ନବ ଦାସ । ଆଉ ସେ ଓଡ଼ିଶାରେ ବିଜୁ ଜନତା ଦଳକୁ ଧ୍ୱସ୍ତ କରିବାକୁ ପଣ କରିଛନ୍ତି । ମମିତା ହତ୍ୟା ମାମଲାକୁ ମହାଭାରତ କାହାଣୀ ସହ ଯୋଡିଲେ  ବିଜେପି ନେତା ପ୍ରଦୀପ ପୁରୋହିତ ।

ମମିତା ମେହେର ମାମଲାରେ ପଦୁଟିଏ ହେଲେ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ବାହାରିଲା ନାହିଁ । ଭବାନୀପାଟଣା ସମାବେଶରେ ଲୋକେ ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ମମିତା ଘଟଣାରେ ଦୁଃଖ ପ୍ରକାଶ କରିବେ । ଓଡ଼ିଶାର ଝିଅ ପାଇଁ କିଛି ତ କହିବେ । କାରଣ ଲୋକଙ୍କ ମନରୁ ଏବେ ଯାଏ ସେ କଥା ଲିଭିନାହିଁ । ଓଡ଼ିଶାର ମହିଳାମାନେ ଏବେ ବି ଚିନ୍ତିତ ତଥା ବ୍ୟଥିତ ଅଛନ୍ତି । ସମସ୍ତଙ୍କ ମନରେ ଥିଲା , ଆଇନ୍ ତା ବାଟରେ ଯିବ ଓ ଦୋଷୀକୁ ଦଣ୍ଡ ଦେବାକୁ ପ୍ରାବଧାନ କରିବେ ମୁଖ୍ୟମନ୍ତ୍ରୀ । ହେଲେ ଧୃତରାଷ୍ଟ୍ରଙ୍କ ଠାରୁ ମଧ୍ୟ ବଳିଗଲେ ମୁଖ୍ୟମନ୍ତ୍ରୀ । ମମିତାଙ୍କ ପରିବାରକୁ ମଧ୍ୟ ବଶ କରିଥିବା କଥା ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

ମମିତା ମେହେର୍ କେବଳ ତାଙ୍କ ବାପାମା’ଙ୍କ ଝିଅ ନୁହଁ, ଏ ମାଟିର ଝିଅ, ଓଡ଼ିଶା ମାଟିର ଝିଅ । ରାଜ୍ୟ ସରକାର ମମିତାଙ୍କ ମା’ବାପାଙ୍କୁ ନିଜ ପକ୍ଷକୁ ନେବା ପାଇଁ ଚେଷ୍ଟା କରିପାରନ୍ତି । ହେଲେ ଲୋକେ ସବୁ ଦେଖୁଛନ୍ତି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ବୋଲି କହୁଛନ୍ତି ମମିତାଙ୍କ ବାପାମା’ । ଓଡ଼ିଶା ପୋଲିସ୍ ଠିକ୍ କାମ କରୁଛି । ହଠାତ୍ ତାଙ୍କର ପ୍ରତିକ୍ରିୟା କିପରି ବଦଳିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । କାରଣ କିଛି ଦିନ ପୂର୍ବରୁ ସ୍ଥିତି ଥିଲା ପୂରା ଭିନ୍ନ । ମୋ ଝିଅକୁ ନ୍ୟାୟ ଦିଅ ବୋଲି କାକୁତି ମିନତୀ ହେଉଥିଲେ । ଏମାନେ ମୋ ଝିଅକୁ ମାରିଦେଲେ । ଆଜି ଏପରି କ’ଣ ଘଟିଗଲା ଯେ ସେମାନେ ଖୁସି ଅଛନ୍ତି । 

ଜେଲରେ ଖୁସିରେ ଅଛି ଗୋବିନ୍ଦ

ଆଜି ଗୋବିନ୍ଦ ସାହୁ ଜେଲରେ ଅଛି । ହେଲେ ଅଭିଯୁକ୍ତକୁ ସାହାଯ୍ୟ କରିବାକୁ ଗୋଟିଏ ପ୍ଲଟ୍ ତିଆରି କଲା ପୋଲିସ୍ । ଗୋବିନ୍ଦ ସାହୁକୁ ଗିରଫ କରି ଜେଲ୍ ପଠାଇଲା । ଅଭିଯୁକ୍ତ ସାହୁ ହତ୍ୟା ସମ୍ପର୍କରେ ସବିଶେଷ ବିବରଣୀ ଦେବା ପୂର୍ବରୁ ଜେସିବିରେ ଜାଗା ଖୋଳାଇଲା ପୋଲିସ୍ । ଆଉ ଏବେ ଗୋବିନ୍ଦ ସାହୁକୁ କିପରି ନିର୍ଦ୍ଦୋଷରେ ଖଲାସ କରାଯିବ, ତା’ର ବ୍ୟବସ୍ଥା ମଧ୍ୟ କରାଯାଉଛି । ସେଥିପାଇଁ ଆଜି ଗୋବିନ୍ଦ ସାହୁ ଜେଲ ଭିତରେ ଥିଲେ ବି ଖୁସିରେ ଅଛି ।

ନବୀନ ବାବୁ ତାଙ୍କ ବାପାମା’ ତଥା ପରିବାର ଲୋକଙ୍କୁ ହୁଏତଃ ନିଜ ପକ୍ଷକୁ ନେଇପାରନ୍ତି । ହେଲେ ଇତିହାସ କେବେ ଅପରାଧୀଙ୍କୁ କ୍ଷମା ଦେବନାହିଁ । ମମିତା ମେହରଙ୍କୁ ଯେପରି ନିର୍ମମ ହତ୍ୟା କରାଯାଇଛି, ସେଥିରେ ଓଡ଼ିଶାବାସୀ ସ୍ତବ୍ଧ । ଆଗକୁ ଆନ୍ଦୋଳନ ଚାଲିବ । ଓଡ଼ିଶାବାସୀ ଏହାକୁ ବରଦାସ୍ତ କରିବେ ନାହିଁ । ଏହି ମାମଲାରେ କେବଳ ଦିବ୍ୟଶଙ୍କର ମିଶ୍ର ନୁହଁନ୍ତି, ତୃତୀୟ ମହଲାରୁ ରାଜ୍ୟକୁ ନିୟନ୍ତ୍ରଣ କରୁଥିବା ତଥା ବଡ଼ ବଡ଼ ମୁଣ୍ଡ ଏଥିରେ ସଂପୃକ୍ତ ଅଛନ୍ତି । ଅପରାଧୀ ସାମ୍ନାକୁ ଆସିଲେ ସରକାର ଦୋହଲିଯିବ ବୋଲି ଭୟ ରହିଛି । ଯୋଜନାବଦ୍ଧ ଭାବେ ଏ ଘଟଣାକୁ ଚପାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।