‘ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି’ ! ନବୀନ ସରକାର ଉପରେ ପୁଣି ବର୍ଷିଲେ ଧର୍ମେନ୍ଦ୍ର

ଦେବାଳିଆ ଓ ଅପାରଗ ସରକାର କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

Padampur Bypoll

୨୨ ବର୍ଷ ଶାସନରେ ରହି ଦେବାଳିଆ ହୋଇଗଲାଣି ବିଜେଡି ସରକାର । ଏ ଅପାରଗ ସରକାର ମୁଣ୍ଡରେ ଆଉ କିଛି ନୂଆ ବୁଦ୍ଧି ଜୁଟୁନଥିବାରୁ କେନ୍ଦ୍ରର ଯୋଜନାକୁ ନିଜର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନବୀନ ପଟ୍ଟନାୟକ । ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି । ପଦ୍ମପୁର ନିର୍ବାଚନୀ ମୈଦାନରେ ଆଜି ଲଗତର ଦ୍ୱିତୀୟ ଦିନ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜେଡ଼ି, କେନ୍ଦ୍ରମନ୍ତ୍ରୀଙ୍କ ଏ କଟୁ ସମାଲୋଚନାର ଉତ୍ତର ରଖି ପାଲଟା ଆକ୍ରମଣ ବି କରିଛି । ୟା ଭିତରେ ପ୍ରଚାର ସମୟ ସରି ସରି ଆସୁଥିବା ପଦ୍ମପୁରବାସୀଙ୍କ ମନ ଜିତିବାକୁ ନିଆରା ଉପାୟ କରି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରିଛନ୍ତି ସବୁ ଦଳ।

ପଦ୍ମପୁର ପ୍ରଚାର ମୈଦାନରେ ପୁଣି ସିଧା ନବୀନଙ୍କୁ ଟାର୍ଗେଟ୍ । ଚାଷୀରୁ ଦାଦନ, ସ୍ୱାସ୍ଥ୍ୟ-ଶିକ୍ଷାରୁ ଗମନାଗମନ, ସବୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ସମାଲୋଚନା । ଆଜି ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କ ଉପରେ ଲଗାତର ଦ୍ୱିତୀୟ ଦିନ ପାଇଁ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଦିକଟାରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ଧର୍ମେନ୍ଦ୍ର କହିଛନ୍ତି ୨୨ ବର୍ଷର ଏ ଅପାରଗ ସରକାର ଦେବାଳିଆ ହୋଇଗଲାଣି । ଆଦିବାସୀ, ହରିଜନ, ଓବିସିଙ୍କୁ ସବୁଠାରୁ ବେଶି ଅବହେଳିତ ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ତା ସହ ମୁଖ୍ୟମନ୍ତ୍ରୀ ଯଦି ପଦ୍ମପୁରର ବିକାଶ ଚାହୁଁଛନ୍ତି, ତାହେଲେ ପଦ୍ମପୁରକୁ ତୁରନ୍ତ ଜିଲ୍ଲା ଘୋଷଣା କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ପଦ୍ମପୁରରେ ନିର୍ଣ୍ଣାୟକ ହେବ କି କଂଗ୍ରେସ ଭୋଟ୍ ?

ପଦ୍ମପୁର ଭୋଟ୍ ପାଖେଇ ଆସୁଥିବା ବେଳେ ଏପଟେ କ୍ୟାମ୍ପେନକୁ ଜୋରଦାର କରିଛନ୍ତି ସବୁ ଦଳ । ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ରିତା ସାହୁ ପ୍ରମୁଖ । ବର୍ଷା ନିଜେ ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

ତେଣେ ସ୍ଥାନୀୟ ନେତାଙ୍କୁ ଧରି ପ୍ରଚାର ଅଭିଯାନକୁ ଆଗକୁ ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ତେବେ ଛତିଶଗଡ଼ ସୀମାନ୍ତ ଝାରବନ୍ଧ ବ୍ଲକ୍ ଅଞ୍ଚଳରେ ପ୍ରଚାର ବେଳେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନେତାଏ କିଛି ନିଆରା ଉପାୟ ଅବଲମ୍ବନ କରୁଛନ୍ତି । ନୂଆପଡ଼ା ବାସିନ୍ଦା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଝାରବନ୍ଧ ଅଞ୍ଚଳରେ ସଭା ସମିତି କରୁଥିବା ବେଳେ ଦେଖିବାକୁ ମିଳିଛି ନାଚ ଗୀତର ଖୁବ୍ ଆସର ।

ସେହିଭଳି ଏ ଅଞ୍ଚଳରେ ଲୋକଙ୍କ ମନ ଜିତିବାକୁ ମ୍ୟାଜିକ୍ ମାଧ୍ୟମରେ ପ୍ରଚାର କରିଛନ୍ତି କିଛି ବିଜେପି ନେତା । ଏଣେ ଛତିଶଗଡ଼ ସୀମାକୁ ଲାଗିଥିବା ଝାରବନ୍ଧ ବ୍ଲକର କିଛି ସୀମାନ୍ତ ଗାଁ ଲୋକଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତା । ପଡ଼ୋଶୀ ଛତିଶଗଡ଼ୀ ନେତାଙ୍କୁ ଆଣି ପ୍ରଚାର କାର୍ଯ୍ୟକ୍ରମରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି ।

ପ୍ରଚାର ପାଇଁ ହାତରେ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ଆସନ୍ତା ୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଯାଇ କ୍ୟାଂପେନ୍ କରିବେ ବୋଲି ସ୍ପଷ୍ଟ କରିଛି ବିଜଡି । ସେହିଭଳି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ୨ ତାରିଖରେ ପଦ୍ମପୁର ଯାଉଥିବା ସୂଚନା ମିଳିଛି ।