• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Akshaya Kumar Sahoo

ଏବେ କେତେଦିନ ହେବ ଓଡ଼ିଶା ରାଜନୀତି ଉଠୁଛି ଆଉ ପଡ଼ୁଛି । ଏହାର କାରଣ ହେଲା ଯେ ରାଜ୍ୟର ମୋହନ ମାଝି ସରକାର ମାର୍ଚ୍ଚ ୫ ତାରିଖ ଦିନ ଏଣିକି ଆଉ ପଞ୍ଚାୟତ ଦିବସ ପାଳନ ନକରିବାକୁ ନିଷ୍ପତି ନେଇଛନ୍ତି । ଏଥି ସହିତ ଏଣିକି ଏହି ଦିନ ଆଉ ସରକାରୀ ଛୁଟି ଭାବେ ପରିଗଣିତ ହେବ ନାହିଁ ବୋଲି ଘୋଷଣା ହୋଇଛି ।

ଭାରତୀୟ ଜନତା ପାର୍ଟି ସରକାରଙ୍କ ଉପରୋକ୍ତ ନିଷ୍ପତିକୁ ବିଜୁ ଜନତା ଦଳ (ବିଜେଡି) ଦୃଢ ପ୍ରତିବାଦ କଲା । ଅପରପକ୍ଷରେ ବିଜେଡିର ପ୍ରତିବାଦ ରାଜନୀତିରେ ଚାପଗ୍ରସ୍ତ ନହୋଇ ମୋହନ ମାଝି ସରକାର ବିଜୁବାବୁଙ୍କର ଏହି ୧୦୯ ତମ ଜନ୍ମ ଜୟନ୍ତୀକୁ ମାର୍ଚ୍ଚ ୫ ତାରିଖ ଅର୍ଥାତ ବୁଧବାର ଦିନ ଉଭୟ ସକାଳେ ଓ ସଂଧ୍ୟାରେ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ।

ବିଜୁ ଜୟନ୍ତୀର ପ୍ରଥମ ଉତ୍ସବ ବିଧାନସଭା ସଚିବାଳୟ ତରଫରୁ ପାଳନ କରାଯାଇଥିଲା । ବାଚଷ୍ପତିଙ୍କ ଦ୍ୱାରା ଆହୂତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା; ବାଚଷ୍ପତି ସୁରମା ପାଢୀ, ଉପବାଚଷ୍ପତି, ସରକାରୀ ଦଳର ମୁଖ୍ୟସଚେତକ, ବହୁ ସମାଜସେବୀ ଓ ସାମ୍ବାଦିକଙ୍କ ସମେତ ବିଜେଡି ତରଫରୁ ଦଳର ପ୍ରତିଷ୍ଠାତା ସଭ୍ୟ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଏହି ଉତ୍ସବରେ ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେବା ସହିତ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କ ଗହଣରେ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ବିତାଇଥିଲେ ।

ଉତ୍ସବ ପରେ ଯେତେବେଳେ ସେଠାରେ ଉପସ୍ଥିତ ସାମ୍ବାଦିକମାନେ ପ୍ରସନ୍ନଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଲେ ସେ ନିଜର ଖୁସି ବ୍ୟକ୍ତ କରିବା ସହିତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଠିକ୍ ସେହିପରି ସଂଧ୍ୟାରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ଉତ୍ସବରେ ବିଜେଡିର ବରିଷ୍ଠ ନେତା ପ୍ରଫୁଲ ଘଡାଇ ଯୋଗଦେଇ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ଅଭିଭାଷଣ ଦେଇଥିଲେ । ତାଙ୍କ ଅଭିଭାଷଣରେ ସେ ବିଜୁ ପଟ୍ଟନାୟଙ୍କର ଅନନ୍ୟ କୃତି ଓ ସଫଳତା ତଥା ଓଡ଼ିଶା ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଅତ୍ୟନ୍ତ ସାରଗର୍ଭକ ଆଲୋଚନା କରି ଉପସ୍ଥିତ ଶ୍ରୋତାମାନଙ୍କର ମନ କିଣି ନେଇଥିଲେ ।

ଏହାଛଡା ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କଳିଙ୍ଗ କପ୍ ଓ ବିଜ୍ଞାନ ବିଦ୍ୟାର ପ୍ରସାର ପାଇଁ ଉଦ୍ଦିଷ୍ଟ କଳିଙ୍ଗ ୟୁନେସ୍କୋ ଆୱାର୍ଡ ବହୁଦିନରୁ ବନ୍ଦ ହୋଇଯିବା ନେଇ ନିଜର ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ଉତ୍ସବର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶେଷରେ ଭାଷଣ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ତାଙ୍କର ଦୀର୍ଘ ଏକ ଘଣ୍ଟାର ଭାଷଣ ମଧ୍ୟରେ ସେ ବିଜୁବାବୁଙ୍କ ଗୁଣଗାନ କରିବା ସହିତ କଳିଙ୍ଗ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ପୁଣିଥରେ ଆରମ୍ଭ କରିବା ସହିତ ଉଦ୍ଦିଷ୍ଟ କଳିଙ୍ଗ ୟୁନେସ୍କୋ ଆୱାର୍ଡକୁ ପୁଣିଥିରେ ଆରମ୍ଭ କରିବାର ନିିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ଜୟଦେବ ଭବନ ଠାରେ ଆଉ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଠାରେ ବିଜୁବାବୁଙ୍କ ଜୀବନୀ ବୃତ୍ତାନ୍ତ ଉପରେ ଏକ ଚିତାକର୍ଷକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହା ମଧ୍ୟ ଦର୍ଶକମାନଙ୍କୁ ବେଶ୍ ପ୍ରଭାବିତ କରିଥିଲା ।
ଜୟଦେବ ଭବନ ଭିତରେ ପ୍ରାୟ ୫ଶହ ଲୋକ ଓ ବାହାରେ ସମପରିମାଣରେ ଲୋକ ରୁଣ୍ଡ ହୋଇଥିଲେ । ଉତ୍ସବର ଭବ୍ୟତା ଓ ଦିବ୍ୟତା ସମସ୍ତେ ଉପଲବଧି କରିପାରୁଥିଲେ । ନିଜ ଅଭିଭାଷଣରେ ପ୍ରଫୁଲ ଘଡାଇ କହିଲେ ଯେ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗଦେଇଥିଲେ ଖୁବ୍ ଭଲ ହୋଇଥାନ୍ତା । ମୁଖ୍ୟମନ୍ତ୍ରୀ ମୋହନ ମାଝି ଏକ ପରୋକ୍ଷ ସମାଲୋଚନାରେ କହିଲେ ଯେ ଯେଉଁମାନେ ଏହି ସ୍ମତିସଭାରେ ଯୋଗଦେଇନାହାଁନ୍ତି, ସେମାନେ ‘ପାପ’ କରିଛନ୍ତି ।

ବିଜୁ ଜୟନ୍ତୀ ନେଇ ଘଟିଥିବା ଘଟଣାବଳୀକୁ ଦେଖିଲେ ଜଣାପଡୁଛି ଯେ ବିଜୁ ଜନତା ଦଳ ଭିତରେ ନେତାମାନଙ୍କ ମଧ୍ୟରେ ବିଜୁ ଜୟନ୍ତୀକୁ ନେଇ ଦ୍ୱନ୍ଦ ରହିଛି । କିଛି ବ୍ୟକ୍ତି ବିଜୁଙ୍କୁ ବିଜୁ ଜନତା ଦଳ ମଧ୍ୟରେ ସୀମିତ ରଖିବା ପାଇଁ ଚେଷ୍ଟା କରିଆସୁଥିବା ବେଳେ ମୋହନ ମାଝି ସରକାର ତାଙ୍କୁ ରାଷ୍ଟ୍ରର ସମ୍ପତି କରିବା ପାଇଁ ସଙ୍କଳ୍ପ ନେଇଛନ୍ତି ।

ବିଜୁ ଜନତା ଦଳ ଫରେଷ୍ଟ ପାର୍କରେ ବିଜୁ ଜୟନ୍ତୀ ପାଳନ କରିଥିଲା । ସେଠାରେ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦର୍ଶନ କରିଥିଲେ । ଏହାପରେ ନବୀନ ସମ୍ବାଦିକମାନଙ୍କୁ କହିଥିଲେ ଯେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତ ଦିବସ ଭାବେ ପାଳନ ନକରିବା ଏବଂ ଏହି ଦିନଟିକୁ ସରକାରୀ ଛୁଟି ତାଲିକାରୁ ବାଦ୍ ଦେବା ମୋହନ ମାଝି ସରକାରଙ୍କ ରାଜନୈତିକ ‘ଅପରିପକ୍ୱ’ ଚରିତ୍ରର ନିଦର୍ଶନ । ହେଲେ ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ନବୀନଙ୍କ ମତମନ୍ତବ୍ୟ ସହିତ ଏକମତ ହୋଇପାରୁନାହାଁନ୍ତି ।

ଯଦି ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରଫୁଲ ଘଡାଇଙ୍କ ଭଳି ବରିଷ୍ଠ, ପ୍ରବୀଣ ତଥା ଅଭିଜ୍ଞ ନେତାମାନେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଉତ୍ସବରେ ଯୋଗଦେଇ ବିଜୁ ଜୟନ୍ତୀକୁ ସାଫଲ୍ୟ ମଣ୍ଡିତ କରିପାରିପାରିଲେ, ନବୀନ ବା ପପୁ ଏପରି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବା ଠିକ୍ ହେଲା ନାହିଁ ବୋଲି ଅନେକ ମତ ରଖନ୍ତି ।

ସମୀକ୍ଷକମାନଙ୍କ ମତରେ ବିଜୁ ଉତ୍ସବରେ ପ୍ରଫୁଲ ଘଡାଇ ଓ ପ୍ରସନ୍ନଙ୍କ ଭଳି ବରିଷ୍ଠ ନେତା ଯୋଗଦେବା ନବୀନଙ୍କ ‘ଅପରିପକ୍ୱ ରାଜନୀତି’ ମନ୍ତବ୍ୟକୁ କେବଳ ଭୂଲ ପ୍ରମାଣିତ କରୁନାହିଁ, ନବୀନଙ୍କର ଅଜ୍ଞତାକୁ ମଧ୍ୟ ପ୍ରଦର୍ଶିତ କରୁଛି । ବିଜୟ ମହାପାତ୍ର, ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ବ୍ରଜକିଶୋର ତ୍ରୀପାଠୀ, ଭର୍ତୃହରି ମହାତବ, ଦିଲ୍ଲୀପ ରାୟ ଓ ବୈଜୟନ୍ତ ପଣ୍ଡାଙ୍କ ଭଳି ନେତା ନବୀନଙ୍କୁ ଓଡ଼ିଶା ରାଜନୀତିର ଖଡି ଛୁଆଁଇଥିଲେ । ନବୀନ ସେମାନଙ୍କ ମଧ୍ୟରୁ ଅନେକଙ୍କ ରାଜନୀତି କ୍ୟାରିୟରରେ ପୂଣ୍ଣଛେଦ ଟାଣି ସାରିଛନ୍ତି । କେବଳ କୌଣସି ପ୍ରକାର ପ୍ରସନ୍ନ ଆଚାର୍ଯ୍ୟ ଦଳରେ କଷ୍ଟେମଷ୍ଟେ ପରିସ୍ଥିତି ସହିତ ଖାପଖୁଆଇ ରହିଛନ୍ତି । ଦଳ ତିଆରି ସମୟରେ ପ୍ରସନ୍ନ ଥିଲେ ଦଳର ମହାସଚିବ । ପରବର୍ତ୍ତୀ ସମୟରେ ତାଙ୍କ ଠାରୁ ସେ ବଡ ପଦବୀ ନେଇ ତାଙ୍କୁ ଉପସଭାପତି କଲେ ବି ସେ କେବେ ପ୍ରତିବାଦ କରିନାହାଁନ୍ତି ।

ପ୍ରସନ୍ନ ଆଚାର୍ଯ୍ୟ ହୁଅନ୍ତୁ ବା ପ୍ରଫୁଲ ଘଡାଇ । ଏମାନେ ଜାଣି ସାରିଛନ୍ତି ଯେ ନବୀନ ଆଜି ପର୍ଯ୍ୟନ୍ତ ବିଜେଡିକୁ ଏକ ପ୍ରୋପାଇଟରସିପ୍ ବା ଘରୋଇମାଲିକାନାରେ ଚାଲୁଥିବା ଦଳ ଭାବରେ ଚଳାଉଛନ୍ତି । ଦୀର୍ଘ ରାଜନୀତିରେ ଦୌଡିବାକୁ ଇଛା ରଖିଥିବା ବ୍ୟକ୍ତି ଏହି ଦଳରେ ନିଜ ଯୋଗ୍ୟତାରେ ଊପରକୁ ଉଠିବା କଷ୍ଠ । ଆହୁରି ମଧ୍ୟ ଏହି ପ୍ରୋପାଇଟରସିପ୍ ଭବିଷ୍ୟତ ସେତେ ଉଜ୍ଜ୍ୱଳ ନୁହେଁ । ତେଣୁ ଇତିହାସରେ ସେମାନଙ୍କୁ ଭିନ୍ନ ଭାବରେ ଚିତ୍ରଣ ନକାରାଯାଉ, ସେହି ଦୃଷ୍ଟିରୁ ସେମାନେ ଯାହା ଠିକ୍ ଭାବିଛନ୍ତି, ତାହା କରିଛନ୍ତି ବୋଲି ସମୀକ୍ଷକମାନେ ମତ ରଖନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now