• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସନ୍ଧ୍ୟା ୭ଟା ୧୫ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ ।

ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମୋଦି ଶପଥ ନେବାକୁ ଥିବା ବେଳେ, ତାଙ୍କ ସହ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ତେବେ କାହାକୁ କେଉଁ ମନ୍ତ୍ରୀ ପଦ ମିଳିବ ଏବଂ କ୍ୟାବିନେଟର ରୂପରେଖ କଣ ରହିବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮ ହଜାର ଅତିଥି ।

ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆଜିର ସମାରୋହ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଛି ରାଜଧାନୀ ଦିଲ୍ଲୀ । ସିସିଟିଭି ନଜରରେ କର୍ତ୍ତବ୍ୟପଥ । ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ, ଦିଲ୍ଲୀ NCRକୁ ଦୁଇ ଦିନ ପାଇଁ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି । କର୍ତ୍ତବ୍ୟପଥକୁ ଲାଗିଥିବା କେତେକ ରୋଡରେ ୧୪୪ ଧାରା ଜାରି ହୋଇଛି । ରାଷ୍ଟ୍ରପତି ଭବନକୁ ଜଗିଛନ୍ତି ୫ କଂପାନୀ ପାରାମିଲିଟାରୀ ପର୍ସନେଲ୍, ଏନ୍ଏସ୍ଜି କମାଣ୍ଡୋ, ଡ୍ରୋନ୍ ଓ ସ୍ନାଇପର୍ ।

ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସହଯୋଗୀ ଦଳକୁ କେଉଁ ମନ୍ତ୍ରାଳୟ ମିଳିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଚର୍ଚ୍ଚା ଯେ, ମୋଦିଙ୍କ ସହ ପ୍ରାୟ ୫୨ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ଏଥିରେ ୧୯ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ ଟିଡିପି, ଜେଡିୟୁ, ଏଲଜେପି, ଆରଏଲଡି, ଜନସେନା, ଜେଡିଏସ ଓ ଅପନା ଦଳ ଏନଡିଏର ସହଯୋଗୀ ଭାବେ ସରକାରରେ ସାମିଲ ହୋଇପାରନ୍ତି ।

ଚର୍ଚ୍ଚା ଏହା ବି ଯେ, ଟିଡିପିକୁ ଗୋଟିଏ କ୍ୟାବିନେଟ, ଦୁଇଟି ରାଷ୍ଟ୍ରମନ୍ତ୍ରୀ, ଜେଡିୟୁକୁ ଗୋଟିଏ କ୍ୟାବିନେଟ, ଶିବସେନା, ଏଲଜେପି, ଆରଏଲଡି ଏବଂ ଏନସିପିକୁ ଗୋଟିଏ ମନ୍ତ୍ରୀ ପଦ ଦେଇ ସରକାରରେ ସାମିଲ କରାଯାଇପାରେ ।

OTV is now on Whatsapp

Join and get latest news update delivered to you via whatsapp

Join Now