• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ଆସୁଥିବା ହିଞ୍ଜିଳିକାଟୁ ମ୍ୟୁନସିପାଲଟି ଏନ୍ଏସିରୁ ପୌରପରିଷଦ ହେବା ପରେ ଏଠି ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୌର ଭୋଟ୍ । ପୌରାଧ୍ୟକ୍ଷ ପଦ ପାଇଁ ମୈଦାନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ଦଳ ପ୍ରାର୍ଥୀ ଦେଇଥିଲା ବେଳେ ଟକ୍କର ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ।

୨୦୧୭ରେ ଏନ୍ଏସିରୁ ମ୍ୟୁନିସିପାଲଟି ମାନ୍ୟତା ପାଇଥିବା ବେଳେ ଏଠାରେ ବଢିଛି ଘର ଓ ସଫେଇ ଟିକସ । ଘର ଟିକସ ପାଖାପାଖି ୫ ଗୁଣା ଆଉ ସଫେଇ ଟିକସ ବର୍ଷକୁ ୩୬୦ ଟଙ୍କା । ଟିକସ ବଢ଼ିଛି ହେଲେ ସାହି ଗଳିରେ ଥିବା ନାଳ ନର୍ଦ୍ଦମା ଉପରେ ଅଧିକାଂଶ ନାଳରେ ଘୋଡଣୀ ନାହିଁ । ଅଳିଆ ଆବର୍ଜନାରେ ଏକରକମ୍ ଜାମ୍ ଭଳି ସ୍ଥିତି ।

ଠିକରେ ସଫେଇ କରାଯାଉନଥିବାରୁ ମଶାମାଛି ଉପଦ୍ରବରେ ଲୋକେ ନୟାନ୍ତ । ଅନେକ ସାହିକୁ ପକ୍କା ରାସ୍ତାଟିଏ ଯାଇନି । କେଉଁଠି ଖାଲ ଖମାରେ ଭର୍ତ୍ତି ତ ଆଉ କେଉଁଠି ରାସ୍ତାକାମ ଅଧାପନ୍ତରିଆ । ଏବେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ, ଯିଏ ସମସ୍ୟା ଦୂର କରିବ, ତାକୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ଭୋଟର ।

ହିଞ୍ଜିଳିକାଟୁ ମ୍ୟୁନିସିପାଲଟିର ଛାତି ଉପରେ ରହିଛି ବଡ଼ ପନିପରିବା ବଜାର । ଆଖପାଖ ଗାଁ ଏବଂ ସହରାଂଚଳର ଚାଷୀ ଏଠାକୁ ନିଇତି ଆସନ୍ତି ପରିବା ବିକ୍ରି କରିବାକୁ । ତେବେ ବଜାର ଘର ଦିଆଯାଇନଥିବାରୁ ରାସ୍ତାକଡ଼େ ବିକ୍ରି କରୁଛନ୍ତି । ସେଥିରେ କେତେବେଳେ ପୋଲିସ ତ ଆଉ କେତେବେଳେ ପ୍ରଶାସନର ନାଲିଆଖି । ସେପଟେ ଖତ ଖାଉଛି ଦୀର୍ଘ ବର୍ଷର ନିୟନ୍ତ୍ରିତ ବଜାର କମିଟି । ପରିବା ଚାଷୀଙ୍କ ପାଇଁ ତିଆରି ହୋଇଥିବା ଶୀତଳ ଭଣ୍ଡାରରେ ତାଲା ଝୁଲୁଛି ।

ଏଠାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ରୋଗୀଙ୍କ ଭିଡ ଲାଗୁଛି । ହେଲେ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଡାକ୍ତର ନଥିବା ଅଭିଯୋଗ ହୋଇଛି ମେଡିକାଲ ଯାଉ ଯାଉ ରୋଗୀଙ୍କୁ ପଠାଇ ଦିଆଯାଉଛି ବ୍ରହ୍ମପୁର ବଡ ମେଡିକାଲ । ଏଥର ମ୍ୟୁନିସିପାଲଟି ନିର୍ବାଚନରେ ପ୍ରମୁଖ ମୁଦ୍ଦା ହେବ ଏସବୁ ପ୍ରସଙ୍ଗ ।

ଏପଟେ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଗଲାଣି ଘମାଘୋଟ ପ୍ରଚାର । ପୌରାଧ୍ୟକ୍ଷ ପଦ ପାଇଁ ଚାଲିଛି ସାହି ସାହିରେ କ୍ୟାମ୍ପେନ୍ । କମ୍ପିଲାଣି ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ମାଟି । ସମର୍ଥକଙ୍କୁ ସାଥିରେ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରୁଛନ୍ତି ବିଜେପି ପ୍ରାର୍ଥୀ ସନ୍ତୋଷ ପାଣିଗ୍ରାହୀ । ବର୍ଷ ବର୍ଷ ଧରି ହିଞ୍ଜିଳିରେ ହୋଇଥିବା ଦୁର୍ନୀତିକୁ ପାଥେୟ କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ସଫ୍ଟୱେର ଇଂଜିନିୟର ସନ୍ତୋଷ ।

ହିଞ୍ଜିଳି ବ୍ୟାଟଲ ଫିଲ୍ଡରେ ସନ୍ତୋଷଙ୍କୁ ସିଧାସଳଖ ଟକ୍କର ଦେଉଛନ୍ତି ବିଜେଡି ପ୍ରାର୍ଥୀ ସୁବାସ ପଲାଇ । ପୂର୍ବତନ ଏନଏସି ଭାଇସ ଚେୟାରମ୍ୟାନ୍ । ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲ, ସ୍ମାର୍ଟ ସହର ସମେତ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସାଙ୍ଗରେ ନେଇ ଘରେ ଘର ବୁଲି ମାଗୁଛନ୍ତି ଭୋଟ୍ । ସେହିପରି କଂଗ୍ରେସ ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ସୁନାରାମ ସାବତଙ୍କୁ ମୈଦାନକୁ ଓହ୍ଲାଇଥିବା କଂଗ୍ରେସ ବି ଆରମ୍ଭ କରିଦେଇଛ ପ୍ରଚାର ।