• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପଞ୍ଚାୟତ ପରେ ଏବେ ପୌର ଟକ୍କର । କିଏ ହାତେଇବ କୋରପୁଟ ପୌରାଧ୍ୟକ୍ଷ ଆସନ । ୩ ପ୍ରମୁଖ ଦଳ ଭିତରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ । ସମସ୍ତ ରାଜନୈତିକ ଦଳ ବିକାଶର ନୀଳ ନକ୍ସା ଧରି ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି । ଏହାରି ଭିତରେ ରାଜନୈତିକ ଦଳମାନଙ୍କ ମଧ୍ୟରେ କାଦୁଅ ଫିଙ୍ଗା ପର୍ବ ଆହୁରି ଜୋରଦାର ହୋଇଛି । ହେଲେ ପ୍ରତି ୫ ବର୍ଷରେ କେବଳ ନେତା ହିଁ ବଦଳନ୍ତି କିନ୍ତୁ ଏବେ ଯାଏଁ କୋରାପୁଟ ସହର ବଦଳିନି । ତେଣୁ ଯିଏ ବିକାଶ କରିବ ତାଙ୍କୁ ହିଁ ନେତା ବାଛିବୁ ବୋଲି ଭୋଟର କହିଛନ୍ତି ।

କୋରାପୁଟରେ ୫୦ ହଜାରରୁ ଅଧିକ ଲୋକ ବାସ କରିଥାନ୍ତି ହେଲେ ଏବେବି ସହରରେ ଦୁର୍ଦ୍ଦଶା କମୁନି । କେଉଁଠି ଡ୍ରେନ ନାହିଁ ତ ଆଉ କେଉଁଠୁ ମଇଳା ଉଠୁନି ପୁଣି କେଉଁଠି ପିଇବା ପାଣିର ସୁବିଧା ନାହିଁ । ଏମିତି ମାଳ ମାଳ ସମସ୍ୟା ଭିତରେ ପୁଣି ଆସିଛି ପୌର ନିର୍ବାଚନ । ପ୍ରତିଥର ଭଳି ପୁଣି ଭୋଟରଙ୍କ ଦୁଆର ମୁହଁରେ ପ୍ରାର୍ଥୀଙ୍କ ଭିଡ଼ ଲାଗିଲାଣି । ଗାଁ ଦାଣ୍ଡରେ ପ୍ରତିଶ୍ରୁତି ଓ ପ୍ରତାରଣାର ସ୍ୱର ମଧ୍ୟ ଶୁଭିଲାଣି । ହେଲେ ଏଥର ଆଉ ନେତାଙ୍କ ସୁନେଲି ସ୍ୱପ୍ନରେ ନଭାସି ବିକାଶର ସାଥୀ ଖୋଜିବୁ ବୋଲି କହିଛନ୍ତି ଭୋଟର ।

କୋରାପୁଟ ପୌର ପରିଷଦର ୨୧ଟି ଓ୍ୱାର୍ଡର ଭୋଟ ସଂଖ୍ୟା ୩୨ ହଜାରରୁ ଅଧିକ ରହିଛି । ବିଭିନ୍ନ ପର୍ଯ୍ୟାୟରେ ଶାସନ ଡୋର ବିଜେଡି, ବିଜେପି ଓ କଂଗ୍ରେସ ହାତରେ ରହିଆସିଛି । ହେଲେ ଆଖିଦୃଶିଆ ବିକାଶ ହୋଇନଥିବାର ଭୋଟରଙ୍କ ଅଭିଯୋଗ କରିଛନ୍ତି । ସଚେତନ ଭୋଟର ନେତାଙ୍କୁ ରିପୋର୍ଟ କାର୍ଡ ମାଗୁଥିବା ବେଳେ, ନେତାଏ କିନ୍ତୁ ପରସ୍ପର ଉପରକୁ କାଦୁଅ ଫିଙ୍ଗାରେ ବ୍ୟସ୍ତ ଅଛନ୍ତି ।

୧୯୫୩ ମସିହାରୁ କୋରାପୁଟକୁ ସହରକୁ ଏନଏସି ମାନ୍ୟତା ମିଳିଥିବା ବେଳେ, ୨୦୧୪ରେ ସହର ତଳି କିଛି ଗାଁକୁ ମିଶାଇ ପୌର ପରିଷଦ ଗଠନ ହୋଇଥିଲା । ୫ ବର୍ଷ ପରେ ପୁଣି ନିର୍ବାଚନ ଆସିଥିବା ବେଳେ ଅଞ୍ଚଳବାସୀମାନେ ମୌଳିକ ସମସ୍ୟାରୁ ମୁକ୍ତି ଆଶାରେ ରହିଛନ୍ତି ।