• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୌର ଭୋଟ୍ ପୂର୍ବରୁ ସାରା ରାଜ୍ୟରୁ ଆସୁଛି ନୋଟ୍ ଫର୍ ଭୋଟ୍‌ର ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱରରୁ କୋରାପୁଟ ପର୍ଯ୍ୟନ୍ତ ଅଧିକାଂଶ ପୌରାଞ୍ଚଳରେ ଶାସକ ଦଳ ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି । କିଛି ସ୍ଥାନରେ ଟଙ୍କା ବଣ୍ଟା ଭିଡିଓ ବି ଭାଇରାଲ୍ ହୋଇଛି । ଯାହାକୁ ନେଇ ତେଜିଛି ରାଜନୀତି । ରାଜ୍ୟ ନିର୍ବାଚନ ଆୟୋଗ ଜିଲ୍ଲା ପ୍ରଶାସନ ଓ ପୋଲିସ୍‌କୁ ଏନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।

ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି ଫର୍ମୁଲା ଧରିଥିବା ଅଭିଯୋଗ ହେଉଛି ।

ଭୁବନେଶ୍ୱର ୬୩ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥିନୀ ରୁନୁ ଜେନା ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା, ଯାହାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି । ସୁନାବେଡାର ଏହି ଭାଇରାଲ୍ ଭିଡିଓରେ ଖୋଦ୍ କୋରାପୁଟ ବିଜେଡି ବିଧାୟକ ରଘୁରାମ୍ ପଡାଲ୍ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଛି । ସେପଟେ ରେମୁଣା ଏନ୍ଏସିର ୫ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ଦାସ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିଛି ।

 

ସେହିପରି ବାରିପଦା ସହରର ୨୦ ନମ୍ବର ୱାର୍ଡ ଟିବି ହାସପିଟାଲ୍ ସାହିରେ ଜଣେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକମାନେ ୫୦୦ ଟଙ୍କିଆ ନୋଟ୍ ଜବତ କରିବା ପରେ ଏଠାରେ ପାଟିତୁଣ୍ଡ ହୋଇଥିଲା । ସେହି ବାରିପଦାର ୧୭ ନମ୍ବର ୱାର୍ଡରେ ପ୍ରାର୍ଥୀ ଓ ତାଙ୍କ ସମର୍ଥକ ମଧ୍ୟରାତ୍ରିରେ ବୁଲୁଥିବାରୁ ଟଙ୍କା ବାଣ୍ଟିବାକୁ ଆସିଛନ୍ତି କି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଥିଲେ ।

କେନ୍ଦୁଝର ପୌରପାଳିକାର ଅଟୋପୁର ବେହେରା ସାହିରେ ବିଜେଡି କର୍ମୀମାନେ ଭୋଟ୍ ପିଛା ୨ ହଜାର ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ବିଜେପି କାର୍ମୀମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ କରି ଟାଉନ୍ ଥାନା ଘେରାଉ କରିଥିଲେ ବିଜେପି ବିଧାୟକ ମୋହନ ମାଝୀ ।

ସାରା ରାଜ୍ୟରୁ ଟଙ୍କା ବଣ୍ଟାର ଏଭଳି ମାଳମାଳ ଅଭିଯୋଗ ଆସୁଥିବା ବେଳେ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଏଭଳି ଏକ ଭିଡିଓକୁ ରି-ଟୁଇଟ୍ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ ଲେଖିଛନ୍ତି ଯେ, ବିଜେଡି ନିଜକୁ ଅସୁରକ୍ଷିତ ମନେକରୁଛି, ଟଙ୍କା ନବାଣ୍ଟି ବିଜେଡି ଜିତି ପାରିବ ନାହିଁ ବୋଲି ଅପରାଜିତା ଦର୍ଶାଇଛନ୍ତି । ଏହାର ଜବାବରେ ବିଜେଡି ମୁଖପାତ୍ର ସୁଲତା ଦେଓ ଟୁଇଟ୍ କରିଛନ୍ତି ଯେ, ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥିନୀ ନିର୍ବାଚନ ହାରୁଥିବା ଜାଣିସାରିଥିବାରୁ ଜାତୀୟ ନେତାଙ୍କ ଆଗରେ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ସେ ଏଭଳି ଏହି ଅଭିଯୋଗ ଆଣିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବି ଟଙ୍କା ବଣ୍ଟା ଅଭିଯୋଗ ଆସିଛି । ଏନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ୍‌ର ଆଦିତ୍ୟ ପ୍ରସାଦ ପାଢ଼ୀ । ପଞ୍ଚାୟତ ନିର୍ବାଚନ ସମୟରେ ବି ଟଙ୍କା ବଣ୍ଟାର ମାଳ ମାଳ ଅଭିଯୋଗ ଆସିଥିଲା । ପୌର ଭୋଟ୍ ବେଳେ ବି ସମାନ ଅଭିଯୋଗ ଆସିଛି । ତେବେ ଏନେଇ ଯେଭଳି କାର୍ଯ୍ୟାନୁଷ୍ଠାନ ହେବା କଥା, ସେଭଳି ହୋଇନଥିବା ଅଭିଯୋଗ ହେଉଛି ।