• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶେଷ ପର୍ଯ୍ୟାୟରେ ପୌର ନିର୍ବାଚନ ପ୍ରଚାର । ଆସନ୍ତାକାଲି ସଂଧ୍ୟାରେ କ୍ୟାଂପେନ୍ ସରୁଥିବାରୁ ସବୁଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜୋରଦାର୍ ପ୍ରୟାସ ଚଳାଇଛନ୍ତି । ତେବେ ପୌର ଦଖଲ ପାଇଁ ଫୋକସ୍‌ରେ ରହିଛି ବସ୍ତି ଭୋଟ୍ । କାରଣ ବସ୍ତି ଭୋଟ୍ ହିଁ ହାର ଜିତ୍‌ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ତେଣୁ ବସ୍ତିବାସିନ୍ଦାଙ୍କ ମନଜିଣିବା ଲାଗି ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ସବୁ ଦଳ । ସେପଟେ ୨୪ ତାରିଖରେ ହେବାକୁ ଥିବା ଭୋଟ୍ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ପୌର ମହାଲଢେଇ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ହାତରେ ଆଉ ୨୪ ଘଣ୍ଟାରୁ ବି କମ୍ ସମୟ । ତେଣୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ଏବଂ ୧୦୬ ପୌରପାଳିକାରେ ଆଜି ଦିନ ତମାମ୍ ଜୋରଦାର୍ ପ୍ରଚାର ଚାଲିଛି । ସାହି-ସାହି ଗଳିକନ୍ଦିରେ ବୁଲି ଘରକୁ ଘର ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ବିଭିନ୍ନ ସ୍ଥାନରେ ରୋଡ୍ ସୋ, ସଭା, ଶୋଭାଯାତ୍ରାରେ କମ୍ପୁଛି ସହର ।

ତେବେ ସବୁ ଦଳର ଫୋକସ୍‌ରେ ରହିଛି ବସ୍ତି ଭୋଟ୍ । କାରଣ ବସ୍ତି ଭୋଟ୍ ହିଁ ପୌର ନିର୍ବାଚନର ହାର ଜିତ୍‌ର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପୌରାଞ୍ଚଳରେ ଶିକ୍ଷିତ ଭୋଟର୍ ପ୍ରାୟତଃ କମ୍ ଭୋଟ୍ ଦେବାକୁ ଯାଇଥାନ୍ତି । କିନ୍ତୁ ବସ୍ତିବାସିନ୍ଦା ଅଧିକ ମାତ୍ରାରେ ଭୋଟ ଦେଇଥାନ୍ତି । ତେଣୁ ବସ୍ତିକୁ ଫୋକସ୍ କରି ସବୁ ଦଳ ପ୍ରଚାର ଚଳାଇଛନ୍ତି ।

ଚଳିତ ନିର୍ବାଚନରେ ଜାଗା ମିଶନ୍‌କୁ ଏକ ମୁଖ୍ୟ ପ୍ରସଙ୍ଗ କରିଛି ଶାସକ ଦଳ । ଆଉ ବସ୍ତିକୁ ଦିଆଯାଉଥିବା ମୌଳିକ ସୁବିଧା ଉପରେ ଦଳ ପକ୍ଷରୁ ଭୋଟରଙ୍କୁ ଅବଗତ କରାଯାଉଛି । ସେପଟେ ବିଜେପି ରାଜ୍ୟ ସରକାରଙ୍କ ବିଫଳତା କଥା ଉଠାଉଛି । ବସ୍ତି ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ସମସ୍ୟା କଥା ଉଠାଇ ଭୋଟ୍ ମାଗୁଛି ଦଳ ।

ସେପଟେ କଂଗ୍ରେସ ବି ବସ୍ତି ଅଞ୍ଚଳରେ ପ୍ରଚାରକୁ ଜୋରଦାର କରିଛି । ନିର୍ବାଚନରେ ଜିତିଲେ ସବୁ ପ୍ରକାର ସୁବିଧା ଯୋଗାଇବାକୁ ପ୍ରତିଶ୍ରୁତି ଦେଉଛି । ଭୁବନେଶ୍ୱରରେ ୪୦୦ରୁ ଅଧିକ ବସ୍ତି ଥିବା ବେଳେ କଟକରେ ପ୍ରାୟ ଅଢ଼େଇ ଶହ ଓ ବ୍ରହ୍ମପୁରରେ ପାଖାପାଖି ଦେଢ଼ଶହ ବସ୍ତି ରହିଛି।

ଆସନ୍ତା ୨୪ ତାରିଖରେ ପଡିବ ପୌର ଭୋଟ୍ । ସକାଳ ୮ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭାଟ୍‌ଗ୍ରହଣ । ସମୁଦାୟ ୧୮୩୭ ୱାର୍ଡରେ ହେବ ଭୋଟ୍ । ଏଥିପାଇଁ ରହିଛି ୪, ୩୭୩ ବୁଥ୍, ଯେଉଁଥିରେ ମତଦାନ କରିବେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା । ନିର୍ବାଚନରେ ମୋଟ୍ ୧୯୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ । ସେଥି ମଧ୍ୟରୁ କେବଳ ତିନି ମହାନଗର ନିଗମରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତାସହ ୩୦୦ ମୋବାଇଲ୍ ପାର୍ଟି ବି ନିୟୋଜିତ ହୋଇଛନ୍ତି । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ରିଜର୍ଭ ରହିବ ।

ସେପଟେ ନିର୍ବାଚନ ପରିଚାଳନା ଲାଗି ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତି ବୁଥ୍‌ରେ ମେୟର, ପୌରାଧ୍ୟକ୍ଷ ପଦବୀ ଲାଗି ଗୋଟିଏ ଇଭିଏମ୍ ଏବଂ କାଉନ୍ସିଲର୍ ଓ କର୍ପୋରେଟର ପଦବୀ ଲାଗି ଆଉ ଗୋଟିଏ ଇଭିଏମ୍ ରହିବ । ପ୍ରତି ପୌରପାଳିକାରେ ଗୋଟିଏ ମଡେଲ୍ ଓ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ୍ ଏବଂ ପ୍ରତି ମହାନଗର ନିଗମରେ ୫ଟି ଲେଖାଏଁ ମଡେଲ୍ ଓ ପିଙ୍କ୍ ବୁଥ୍ ରହିବ । ସେହିପରି ପୌର ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ବିକଳ୍ପ ବି ରହିବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି । ୨୪ରେ ନିର୍ବାଚନ ପରେ ଆସନ୍ତା ୨୬ ତାରିଖ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଫଳାଫଳ ଆସିବା ଯାଏଁ ଚାଲିବ ।

ରିପୋର୍ଟର- ଭୁବନେଶ୍ୱରରୁ ହରିହର ଚାନ୍ଦ