• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି । ଦଳର କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ କହିଛନ୍ତି, ଲୋକଙ୍କ ମତ ହେଉଛି ଜଣେ ରାଜନେତାଙ୍କ ସଫଳତାର ମାପକାଠି । ସେପଟେ ବର୍ଷା ଏପର୍ଯ୍ୟନ୍ତ ଏନେଇ ମୁହଁ ଖୋଲି ନଥିଲାବେଳେ ବର୍ଷାଙ୍କ ଫ୍ୟାନ୍ କ୍ଲବ୍ ଟୁଇଟ୍ କରି କହିଛି ଏହା ଅନୁଭବଙ୍କ ମିଛ କାନ୍ଦ, ମହାଡ୍ରାମା ।

ପତ୍ନୀ ବର୍ଷାଙ୍କ ସହ ଲାଗି ରହିଥିବା ଲମ୍ବା ବିବାହ ବିଚ୍ଛେଦ ବିବାଦ ଭିତରେ ସୋସିଆଲ୍ ମିଡିଆରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ଅଧଘଣ୍ଟିଆ ଭିଡିଓ ପୋଷ୍ଟ କରିଥିଲେ । ତାଙ୍କ ଭଲ ପାଇବା ଭୁଲ୍ ମନ୍ତବ୍ୟକୁ ନେଇ ଯେତିକି ଚର୍ଚ୍ଚା, ସେତିକି ଚର୍ଚ୍ଚା ନିଜ ରାଜନୈତିକ ଭବିଷ୍ୟତ ପ୍ରତି ତାଙ୍କର ସନ୍ଦେହବୋଧକୁ ନେଇ । ଏଭଳି ସ୍ଥିତିରେ ତାଙ୍କ ସନ୍ଦେହକୁ ସାବ୍ୟସ୍ତ କଲାଭଳି ମନ୍ତବ୍ୟ ଆସିଛି । ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟଙ୍କ ଠାରୁ ।

 

ଅନୁଭବଙ୍କ ସୋସିଆଲ୍ ମିଡିଆ ଭିଡିଓ ଉପରେ ପ୍ରତିକ୍ରିୟା ରଖି ଦେବାଶିଷ ଏୟା ବି କହିଛନ୍ତି, ଭିଡିଓରେ ସାଂସଦ ନିଜ ବ୍ୟକ୍ତିଗତ ଜୀବନ କଥା କହିଛନ୍ତି । ହେଲେ ସାଂସଦ ହିସାବରେ କେନ୍ଦ୍ରାପଡ଼ା ଲୋକଙ୍କ ପାଇଁ କଣ କରିଛନ୍ତି ସେ କହିନାହାନ୍ତି । ତେବେ ଦଳରେ ତାଙ୍କୁ କୋଣଠେସା କରାଯିବା ପ୍ରସଙ୍ଗକୁ ଏଡ଼ାଇ, କେନ୍ଦ୍ରାପଡ଼ାର ସବୁ ମିଟିଂକୁ ତାଙ୍କୁ ଡକାଯାଏ ବୋଲି କହିଛନ୍ତି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଦେବାଶିଷ । ସେହିପରି ବ୍ରଜରାଜନଗର ଷ୍ଟାର କ୍ୟାମ୍ପେନର ତାଲିକାରୁ ବାଦ୍ ପ୍ରସଙ୍ଗରେ ପ୍ରତିକ୍ରିୟାରେ ଦେବାଶିଷ କହିଛନ୍ତି, ସଂପୃକ୍ତ ଅଞ୍ଚଳ ସହ ପରିଚିତି ଦେଖି ହିଁ ପାର୍ଟି କ୍ୟାମ୍ପେନର ଲିଷ୍ଟ ପ୍ରସ୍ତୁତ କରିଥାଏ ।

ପତ୍ନୀ ବର୍ଷାଙ୍କ ନାଁ ନନେଇ ଅନୁଭବଙ୍କ ଭାବବିହ୍ୱଳ ଭିଡିଓ ପୋଷ୍ଟର ଦିନକ ପରେ ବି ବର୍ଷା ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । ହେଲେ ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ସ କ୍ଲବ୍ ପକ୍ଷରୁ ଆସିଛି ଏମିତି ସିରିଜ୍ ଟୁଇଟ୍ । ଯେଉଁଥିରେ ଅନୁଭବଙ୍କ ନାଁ ନନେଇ ମିଥ୍ୟାବାଦୀର ମିଥ୍ୟା ଆରୋପର ଗପ କହି କାଉଣ୍ଟର କରାଯାଇଛି । ଟୁଇଟରେ ମିଛର ମହାଡ୍ରାମା, ସତ୍ୟ ଉପରେ ଅସତ୍ୟର ଚାଦର ଘୋଡ଼ାଇବା ପାଇଁ ମିଛ କାନ୍ଦ, ବରବାଦ କରିବାର ଷଡ଼ଯନ୍ତ୍ର ବୋଲି ଉଲ୍ଲେଖ ରହିବା ସହ ଏ ଲଢ଼େଇରେ ସତ୍ୟର ନିଶ୍ଚିତ ଜୟ ହେବ ବୋଲି ଲେଖାଯାଇଛି । ଏହା ଉପରେ ସିଧାସଳଖ ପ୍ରତିକ୍ରିୟା ରଖି ନଥିଲେ ବି ଟୁଇଟକୁ ଲାଇକ୍ କରିଛନ୍ତି ବର୍ଷା ।