• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁଇ ଦିନ ପରେ ଆଜି ପୁଣି ସରଗରମ ହୋଇପାରେ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ଅତିରିକ୍ତ ବଜେଟକୁ ଗୃହର ମଂଜୁରୀ ମିଳିବ । ତେବେ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ । ତେଣୁ ବିଧାନସଭା ସରଗରମ ରହିବ ବୋଲି ଆଶା କରାଯାଉଛି ।

ଆଜି ପ୍ରଶ୍ନକାଳରେ ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି । ସେହିପରି ଆଜି ଗୃହରେ CAG ରିପୋର୍ଟ ଉପସ୍ଥାପିତ ହେବ । ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି ।

କିଛିଦିନ ପୂର୍ବରୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଦୁଇ ବିଜେପି ବିଧାୟକ ଡାଲି ଫିଙ୍ଗିଥିବାର ଅଭିଯୋଗ ହୋଇଥିଲା । ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା ପରେ ବିଜେପି ସଦସ୍ୟ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ମାଡ଼ କରିଥିବାର ସୂଚନା ମିଳିଥିଲା । ଏନେଇ ଦୁହିଁଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରାଯାଇଛି । ଚଳିତ ଅଧିବେଶନ ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।