Advertisment

Government's First Year: ପ୍ରଥମ ବର୍ଷର ହିସାବନିକାସ କରିବ ମୋହନ ସରକାର...ଏବେ କେଉଁଠି ଅଛନ୍ତି ବିରୋଧିଦଳ ?

ସବୁଠାରୁ ବଡ଼ ପ୍ରଶ୍ନ ହେଲା ବିଜେଡ଼ିର ଆନ୍ଦୋଳନ କାହିଁକି ପ୍ରଭାବୀ ହେଉନାହିଁ ? କାହିିଁକି ଦଳ ଏବେ ଟିକିଏ ଜାକିଜୁକି ହେଉଛି? କ’ଣ ପାଇଁ ଦଳର ନେତାମାନେ ଏକାଠି ହେଉନାହାଁନ୍ତି ? ଏହାର ଉତ୍ତର ରାଜନୈତିକ ମହଲରେ ମଧ୍ୟ ଭିନ୍ନଭିନ୍ନ ଭାବେ ଆଲୋଚନା ହେଉଛି ।

author-image
Akshaya Kumar Sahoo
ଅଦ୍ୟତନ ହୋଇଛି
ମୋହନ ସରକାରଙ୍କ ବର୍ଷପୁର୍ତ୍ତି

ମୋହନ ସରକାରଙ୍କ ବର୍ଷପୁର୍ତ୍ତି

ଗୋଟିଏ ବର୍ଷ ! ଅର୍ଥାତ୍ ୧୨ ମାସ । କାହିଁକି କେଜାଣି ଏହି କାଳଖଣ୍ଡ ସମାଜ ନୀତି ଠାରୁ ଆରମ୍ଭ କରି ଧାର୍ମିକ ପରମ୍ପରା ଓ ରାଜନୀତି ଦୁନିଆଁରେ ବେଶ୍ ମହତ୍ୱ ରଖେ । ଛୁଆଟିଏ ଜନ୍ମ ହେଲେ ତା’ର ପ୍ରଥମ ଜନ୍ମଦିନ ପାଳନ କରାଯାଏ । ଯୁବକ ବା ଯୁବତୀଟିଏ ବିବାହ ବନ୍ଧନରେ ବାନ୍ଧି ହେଲେ ବର୍ଷକ ପରେ ବିବାହବାର୍ଷିକି ପାଳନ କରନ୍ତି । ସେହିପରି ଜଣେ ବ୍ୟକ୍ତି ମୃତ୍ୟୁବରଣ କଲେ ଠିକ୍ ବର୍ଷକ ପରେ ତା’ର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଏ । ଧାର୍ମିକ ରୀତିନୀତିରେ ମଧ୍ୟ ବିଭିନ୍ନ ଧର୍ମର ଉପାସକମାନେ ଏକ ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ବା ପ୍ରାପ୍ତି ଉଦ୍ଦେଶ୍ୟରେ ଭିନ୍ନଭିନ୍ନ ପ୍ରକାରର ବ୍ରତ ପାଳନ କରିଥାନ୍ତି ।

Advertisment

ରାଜନୀତିରେ ଗୋଟିଏ ରାଜନୈତିକ ଦଳ କ୍ଷମତାରେ ଏକ ବର୍ଷ ପୂରଣ କଲାବେଳେ ସରକାରୀ ଭାବେ ବର୍ଷ ପୂର୍ତ୍ତି ପାଳନ କରନ୍ତି । ଠିକ୍ ସେହି ନ୍ୟାୟରେ ଓଡ଼ିଶାର ମୋହନ ମାଝି ସରକାର ବର୍ତମାନ ବଡ଼ ଧୂମ୍‌ଧାମରେ ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି । ଏଥିପାଇଁ ବ୍ୟାପକ ଆୟୋଜନ ମଧ୍ୟ କରାଯାଇଛି । ମୋହନ ମାଝିଙ୍କ ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବ ପାଳନ କରିବା ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଏବେ ଢ଼େର୍ ଚର୍ଚ୍ଚା । ହେବ ନାହିଁ ବା କେମିତି । ଆଜି ପର୍ଯ୍ୟନ୍ତ ଜଣେ ବି ଆଦିବାସୀ ନେତା କ୍ଷମତାରେ ଏକ ବର୍ଷ ପୂରଣ କରିନଥିଲେ । ହେମାନନ୍ଦ ବିଶ୍ୱାଳ ଓ ଗିରିଧାରୀ ଗମାଙ୍ଗ ଏକ ବର୍ଷ ଠାରୁ କମ୍ କ୍ଷମତାରେ ରହିଛନ୍ତି ।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମବାର୍ଷିିକୀ ପାଳନ ପାଇଁ ମଧ୍ୟ ବ୍ୟାପକ ଆୟୋଜନ କରାଯାଉଛି । ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର, ପ୍ରଥମବାର୍ଷିକୀ ପାଳନ ଅବସରରେ ସେମାନେ ଏହି କାଳଖଣ୍ଡ ମଧ୍ୟରେ ନିଜର ସଫଳତା ତଥା ଉପଲବ୍‌ଧିକୁ ଜନସାଧାରଣଙ୍କ ନିକଟରେ ରଖିଥାନ୍ତି । ସେମାନଙ୍କର ଏହି ସଫଳତା ବା ଉପଲବ୍‌ଧିର ତାଲିକା ପଢ଼ିଲା ପରେ ଜନସାଧାରଣ ତା’ର ସୁନ୍ଦର ହିସାବକିତାବ କରି ଢ଼େର ଆଲୋଚନା ଓ ବିଶ୍ଳେଷଣ କରନ୍ତି । କିନ୍ତୁ ଏହି ଏକ ବର୍ଷ ମଧ୍ୟରେ ଏକ ବିରୋଧୀଦଳର କାର୍ଯ୍ୟକ୍ରମ ବା ସଫଳତାକୁ ବହୁତ୍ କମ୍ ଲୋକ ଆଲୋଚନା କରିଥାନ୍ତି ।

Advertisment

ଗଣତତନ୍ତ୍ରରେ ଶାସନରେ ଥିବା ଦଳ ବା ଦଳମାନଙ୍କ ଠାରୁ ବିରୋଧୀ ଦଳମାନଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମାନେ ସରକାରଙ୍କୁ ଗଠନମୂଳକ ସମାଲୋଚନା ମାଧ୍ୟମରେ ହେଉ ବା ପରାମର୍ଶ ଛଳରେ ସୁଶାସନ ଦେବା ପାଇଁ ପ୍ରେରିତ କରିଥାନ୍ତି । ବର୍ତ୍ତମାନ ରାଜ୍ୟରେ ଯେତେବେଳେ ମୋହନ ମାଝି ସରକାରଙ୍କ ଏକବର୍ଷର ସଫଳତା ଓ ବିଫଳତାକୁ ନେଇ ଆଲୋଚନା ଜୋର ଧରିଛି, ଠିକ୍ ଏହି ସମୟରେ ବିରୋଧୀ ବିଜୁ ଜନତା ଦଳ ଓ କଂଗ୍ରେସର ଉପଲବ୍‌ଧି ବା ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନାର ଆବଶ୍ୟକତା ରହିଛି । ଓଡ଼ିଶାରେ ବିଜୁ ଜନତା ଦଳ ବା ବିଜେଡ଼ି ମୁଖ୍ୟ ବିରୋଧୀ ଦଳ । ସବୁଠାର ବଡ଼ କଥା ହେଲା ଯେ ଏହାର ମୁଖିଆ ନବୀନ ପଟ୍ଟନାୟକ ସର୍ବାଧିକ ୨୪ବର୍ଷରୁ ଅଧିକ ସମୟ ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ନିର୍ବାଚନ ରାଜନୀତିରେ ପ୍ରବେଶ ଠାରୁ ସେ କ୍ଷମତାର ଘିଅ ଆଉ ମହୁରେ ହାତ ଆଉ ମୁହଁ ଧୋଉଥିଲେ । ଏବେ ବିରୋଧୀଦଳର କଠିନ ଚଟାଣ ଉପରେ ତାଙ୍କୁ ଚାଲିବାକୁ ପଡ଼ୁଛି ।

ବର୍ତ୍ତମାନ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟକୁ ଅବଲୋକନ କଲେ ଯାହା ପ୍ରତୀୟମାନ ହୁଏ ତାହା ହେଲା ବିଗତ ଏକ ବର୍ଷ ମଧ୍ୟରେ ବିଜେଡ଼ି ରାଜ୍ୟ ସରକାରଙ୍କୁ କୌଣସି ଏକ ପ୍ରସଙ୍ଗରେ ସେମିତି ପ୍ରଭାବୀ ଢଙ୍ଗରେ ଘେରିବାରେ ସମର୍ଥ ହୋଇପାରିନାହିଁ । ଏହାର ପ୍ରମୂଖ କାରଣ ହେଲା ନବୀନ ପଟ୍ଟନାୟକ ନିଜର ବହୁ ଚର୍ଚ୍ଚିତ ‘ନବୀନ ନିବାସ’ର ପ୍ରାସାଦରୁ ବାହାରକୁ ଗୋଡ଼ କାଢିନାହାନ୍ତି । ଏହାଛଡ଼ା ଦଳ ରାଜ୍ୟବ୍ୟାପି କିମ୍ବା ରାଜରାସ୍ତାରେ ସେମିତି ବଡ଼ଧରଣର ବା ଦୀର୍ଘକାଳୀନ ପ୍ରଭାବ ରଖୁଥିବା ଆନ୍ଦୋଳନ ଗଢି ତୋଳିପାରିନାହିଁ ।

ନିକଟରେ ବିଜେଡ଼ି ପଛୁଆବର୍ଗଙ୍କ ଲାଗି ଚାକିରି ଓ ଉଚ୍ଚଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଲାଗି ରାଜରାସ୍ତାକୁ ଓହ୍ଲାଇଥିଲା । କିନ୍ତୁ ଏହି ପ୍ରସଙ୍ଗ ଜନସାଧାରଣରେ ଯେତିକି ଚର୍ଚ୍ଚା ହେଲା, ତାହା ବିଜେଡ଼ିକୁ ଲାଭ ଅପେକ୍ଷା ବେଶି ହରଡ଼ଘଣାରେ ପକାଇଲା । ବିଜେଡ଼ି ଶାସନ ସମୟରେ ଜଣେ ହେଲେ ପଛୁଆବର୍ଗ ଛାତ୍ର ବା ଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ସଂରକ୍ଷଣ ମିଳିଲା ନାହିଁ । ନିଯୁକ୍ତି କ୍ଷେତ୍ରରେ ୫୪ ପ୍ରତିଶତ ପଛୁଆବର୍ଗର ନିଯୁକ୍ତି ଆଶାୟୀମାନଙ୍କୁ ୧୧ ଦଶମିକ ୨୫ ପ୍ରତିଶତର ଅଧିକ ସଂରକ୍ଷଣ ମିଳିଲା ନାହିଁ । ଏହା ପୂର୍ବରୁ ଏହି ଆଞ୍ଚଳିକ ଦଳ ରାଜ୍ୟରେ ‘ଓଡ଼ିଆ ଅସ୍ମିତା’ ଓ ଆଇନ୍‌ଶୃଙ୍ଖଳା ପ୍ରସଙ୍ଗକୁ ନେଇ ବିଧାନସଭାରେ ତମ୍ବୀତୋଫାନ କରିଥିଲା

ସବୁଠାରୁ ବଡ଼ ପ୍ରଶ୍ନ ହେଲା ବିଜେଡ଼ିର ଆନ୍ଦୋଳନ କାହିଁକି ପ୍ରଭାବୀ ହେଉନାହିଁ ? କାହିିଁକି ଦଳ ଏବେ ଟିକିଏ ଜାକିଜୁକି ହେଉଛି? କ’ଣ ପାଇଁ ଦଳର ନେତାମାନେ ଏକାଠି ହେଉନାହାଁନ୍ତି ? ଏହାର ଉତ୍ତର ରାଜନୈତିକ ମହଲରେ ମଧ୍ୟ ଭିନ୍ନଭିନ୍ନ ଭାବେ ଆଲୋଚନା ହେଉଛି । ନବୀନ ପଟ୍ଟନାୟକ ଦଳର ଦ୍ୱିତୀୟ ଓ ତୃତୀୟ ପିଢିର ନେତାମାନଙ୍କୁ ସ୍ୱୟଂସମ୍ପୂର୍ଣ୍ଣ ଭାବେ ଗଢିତୋଳିଲେ ନାହିଁ । ସମସ୍ତଙ୍କୁ ଅଧାଗଢ଼ା ଦିଅଁ ଭାବେ ଗଢ଼ି ଛାଡ଼ିଦେଲେ । ପୁରୁଣା ନେତାମାନଙ୍କୁ ହତାଦର କଲେ ।

ପୂରୂଣାମାନେ ପ୍ୟାରୀମୋହନ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଭୈରବ କାର୍ତିକେୟନ ପାଣ୍ଡିଆନ୍‌ଙ୍କ ସମୟରେ ନିଜକୁ ରାଜନେତା ଅପେକ୍ଷା ଅଧସ୍ତନ କର୍ମଚାରୀ ଭଳି ବ୍ୟବହାର ପାଉଥିବା ଅନୁଭବ କଲେ ଏବଂ ଲୋକମାନେ ସେମାନଙ୍କର ଏ ଅସହାୟପଣକୁ ମଧ୍ୟ ବେଶ୍ ନିରେଖି ଦେଖି ପାରିଲେ ଓ ପରଖିଲେ ମଧ୍ୟ । ଏବେ ପୂରୂଣା ନେତାମାନଙ୍କ ଠାରୁ ଅସନ୍ତୋଷ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି ଏବଂ ଏହା ଦଳକୁ ବେଶ୍ ଅଡୁଆ ଓ ଅସୁବିଧାଜନକ ସ୍ଥିତରେ ପକାଉଛି ।

କ୍ଷମତାରୁ ଯିବାର ଏହା ମଧ୍ୟରେ ଏକ ବର୍ଷ ହେଉଥିବା ବେଳେ ଦଳ ପୁଣିଥରେ ରାଜରାସ୍ତାରେ ଅଣ୍ଟାଭିଡ଼ି ଛିଡ଼ା ନହୋଇପାରିବା କେବଳ ଦଳ ପାଇଁ କ୍ଷତିକାରକ ନୁହେଁ, ଜନସାଧାରଣ ତଥା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ରାଜ୍ୟର ଦ୍ୱିତୀୟ ବୃହତମ ବିରୋଧୀଦଳ କଂଗ୍ରେସ ମଧ୍ୟ ଅନୂରୂପ ଭାବରେ ଏ ପର୍ଯ୍ୟନ୍ତ ଏକ ସୁସଙ୍ଗଠିତ ଦଳ ଭାବେ ନିଜକୁ ଉପସ୍ଥାପିତ କରିପାରିନାହିଁ । ‘ନ୍ୟାରୀ ନ୍ୟାୟ’ ପାଇଁ ବିଗତ ଦିନରେ ଭୁବନେଶ୍ୱର ଠାରେ ଏକ ବିଶାଳ ଆନ୍ଦୋଳନ କରିବା ପୂର୍ବରୁ ବା ପରେ ଦଳ ତରଫରୁ ଏକ ନିରନ୍ତର ଚାପ ସୃଷ୍ଟିକାରୀ ଗଣତାନ୍ତ୍ରୀକ ଶକ୍ତି ଭାବରେ ଦଳର ପ୍ରଦର୍ଶନ ସେତେଟା ପ୍ରଭାବୀ ହୋଇପାରିନାହିଁ ।

ପ୍ରଦେଶ କଂଗ୍ରେସ ଦଳର ନୂଆ ମଙ୍ଗୁଆଳ ଭକ୍ତ ଚରଣ ଦାସ ଜଣେ ଲଢ଼ୁଆ ନେତା । ତାଙ୍କର ବେଶ୍ କାଟ୍‌ତି ଅଛି ଓ ଖ୍ୟାତି ମଧ୍ୟ ଅଛି । ବିଜୁ ଜନତା ଦଳ ଏବେ ସଙ୍ଗଠିତ ହେବା ପାଇଁ ସମୟ ଲାଗୁଥିବାରୁ ଏହାର ସୁଯୋଗ ଭକ୍ତ ଚରଣ ଦାସଙ୍କ ଭଳି ନେତା ନେବାର ସମ୍ଭାବନା ଢେର୍ ରହିଛି । ହେଲେ କ୍ଷମତା ରାଜନୀତିକୁ ଆସିବା ପାଇଁ ନିର୍ଭୂଲ ହିିସାବକିତାବ ସହିତ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି । ଭାତ ଖାଇବା ପାଇଁ ହେଲେ ହାତର ଆବଶ୍ୟକତା ଅଧିକ । ସେହି ନ୍ୟାୟରେ କଂଗ୍ରେସକୁ ସମ୍ମିଳିତ ଓ ସଙ୍ଗଠିତ ହୋଇ ନିରନ୍ତର ରାଜନୈତିକ କାର୍ଯ୍ୟକଳାପ ଚଳାଇ ରଖିପାରିଲେ, ୨୦୨୯ରେ ଯେ ଏହାର ଭାଗ୍ୟରେ ସୁଧାର ନଆସିବ ତାହା କହିହେବ ନାହିଁ ।

Naveen Patnaik Opposition Parties Odisha Politics Bhakta Charan Das Chief Minister Mohan Majhi
Advertisment
Advertisment