• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନୁତପ୍ତ ନୁହଁନ୍ତି ପ୍ରଶାନ୍ତ ଜଗଦେବ । ଜେଲ୍‌ରୁ ଫେରିବା ପରେ ମଧ୍ୟ ତାଉ ଦେଖାଉଛନ୍ତି ।  ଜାମିନ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗାଡ଼ି ମଡ଼ାଇବା ଘଟଣା ପାଇଁ ଅନୁତପ୍ତ ନୁହଁନ୍ତି ଏବଂ ତାହା ବିଜେପିର ଏକ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି । ବାଣପୁର ବ୍ଲକ ଅଫିସ ପାଖରେ ବିଜେପି କର୍ମୀମାନେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ । 

ସେମାନେ ମୋତେ ମାରି ଦେବାକୁ ଉଦ୍ୟମ କରି ଠେଙ୍ଗାରେ ପିଟି ଚାଲିଥିଲେ । ପ୍ରବଳ ମାଡ଼ରେ ବ୍ଲାକଆଉଟ ହେବାରୁ ଏକ୍ସଲେରେଟରରେ ଗୋଡ଼ ଚପି ଯାଇଥିଲେ । ଏହାସହ ଗାଡ଼ିରେ ମଦ ବୋତଲ ଓ ନମ୍ବର ପ୍ଲେଟ ବଦଳ ବି ବିଜେପି ଷଡ଼ଯନ୍ତ୍ର ଥିଲା । ନିଲମ୍ବନ ଓ ବହିଷ୍କାର ହେଲେ ମଧ୍ୟ ସେ ବିଜେଡ଼ିରେ ଅଛନ୍ତି , ବିଜେଡି ପାଇଁ କାମ କରୁଛନ୍ତି । ଏବେ ଘରେ ରହି ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣୁଛି । ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ପୂର୍ବରୁ ବହୁ ନେତା ନିଲମ୍ବନ ଓ ବହିଷ୍କାର ହେବା ପରେ ବି ଟିକେଟ ପାଇ ର୍ନିବାଚନ ଲଢ଼ିଛନ୍ତି । ଦଳ ଟିକେଟ ଦେବା ବେଳେ ନିଷ୍ପତ୍ତି ନେବ ବୋଲି ପ୍ରଶାନ୍ତ ଜଗଦେବ କହିଛନ୍ତି ।

ସେପଟେ ଜଗଦେବଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ । ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟକୁ ସେ ପାଗଳର ପ୍ରଳାପ ବୋଲି କହିଛନ୍ତି । ସେ କହିଛନ୍ତି , ତାଙ୍କ କହିବା ଅର୍ଥ ସେଠି ଥିବା ସବୁ ଲୋକ ଭୁଲ୍, ସେ ଏକା ସତ କହୁଛନ୍ତି । ଏହାକୁ ଏକ ପାଗଳର ପ୍ରଳାପ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିଧାୟକ ସେଦିନ ସଂପୂର୍ଣ୍ଣ ନିଶାଗ୍ରସ୍ତ ଅବସ୍ଥାରେ ଥିଲେ । ନିଶାଗ୍ରସ୍ତ ଅବସ୍ଥାରେ ଥାଇ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ । ଏଭଳି ଆସୁରିକ ପ୍ରବୃତ୍ତି ଜଣେ ବିଧାୟକ ପୁଣି ପ୍ରଦର୍ଶନ କରିବେ, ତା ପରେ କହିବେ ଅନୁତପ୍ତ ନୁହେଁ, ତାଠାରୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ । ଏଭଳି ଲୋକଙ୍କୁ ପାଗଳଖାନାରେ ରଖିବା ଦରକାର, ସେଇଠି ହିଁ ତାଙ୍କୁ ପ୍ରକୃଷ୍ଟ ସ୍ଥାନ ମିଳିବ ବୋଲି ସେ କହିଛନ୍ତି ।

ଜୁଲାଇ ୨୫ ତାରିଖରେ ସୁପ୍ରିମକୋର୍ଟରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା ।  ତେବେ ଏଥିପାଇଁ ସର୍ବୋଚ୍ଚ ନ୍ୟାୟଳୟ କିଛି ସର୍ତ୍ତ ରଖିଥିଲେ ।  ସର୍ତ୍ତ ଅନୁସାରେ ବର୍ଷେ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ଚାହିଁଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ । ସେହିପରି ପ୍ରଶାନ୍ତ ଜଗଦ୍ଦେବ ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ । ଏହାପରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ। ଘଟଣା ପରେ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିଥିଲେ। ଏହାପରଠୁ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ଓ ସେ ଜେଲ୍‌ ଯାଇଥିଲେ । ଜେଲ୍‌ରୁ ମୁକୁଳିବା ପାଇଁ ପ୍ରଶାନ୍ତ ଜାମିନ ଆବେଦନ କରିଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା ।