• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

5T ସଚିବଙ୍କ ଗଞ୍ଜାମ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତୀବ୍ର ବିରୋଧ । କିଏ ଅଣ୍ଡା, ପଥର ସହ ବୋତଲ ମାଡ଼ କଲେ ତ ଆଉ କିଏ ଗାଡ଼ି ଉପରେ ଚଢ଼ି ହଙ୍ଗାମା ମଚାଇଲେ । ଆଶ୍ଚର୍ଯ୍ୟର କଥା ହେଉଛି, ସବୁ ଘଟଣା ଘଟିଲା ପୋଲିସର ଆଖି ସାମ୍ନାରେ । ଅଥଚ ନା କେହି ସୁରକ୍ଷା ଦେଲେ ନା ଘଟଣାକୁ ଏଡ଼ାଇ ଦେଇପାରିଲେ । ସ୍ଥିତି ଏପରି ହେଲା ଯେ, ୩ ଘଣ୍ଟାର ଆତଙ୍କରାଜ ଭିତରେ ଜଣେ ବିଧାୟକ କାରରେ ଫସିରହିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସ ଓ ପ୍ରଶାସନର ଦାୟିତ୍ୱପଣିଆକୁ ନେଇ ବର୍ଷିଛନ୍ତି ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ନେଇ 5T ସଚିବ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

ରାଜରାସ୍ତାରେ ଧସ୍ତାଧସ୍ତି... ନାରାବାଜି ସହ ମୁହାଁମୁହିଁ... ତାହାରି ଭିତରେ ଗାଡ଼ିରେ ଫସିରହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗାଡ଼ିକୁ ହୋଇଛି ଅଣ୍ଡା ମାଡ଼ । ଫିଙ୍ଗାଯାଇଛି ଟେକାପଥର । ପାଣି ବୋତଲ ବି ମାଡ଼ ହୋଇଛି । ଆଉ ଏହାକୁ ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଷ୍ଠୀ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । କିଏ ପ୍ରଦୀପଙ୍କ ଗାଡ଼ିର ବନେଟ୍ ଉପରେ ଚଢ଼ିଯାଇଛନ୍ତି ତ ଆଉ କିଏ ବିପକ୍ଷ ଗୋଷ୍ଠୀଙ୍କୁ ଗାଡ଼ି ଉପରୁ ଘୋଷାଡ଼ି ଆଣିଛନ୍ତି । ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଏନଏଚରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି ।

କନିଷୀରେ ଆଜି ଥିଲା 5T ସଚିବଙ୍କ କାର୍ଯ୍ୟକ୍ରମ । ପୂର୍ବ ଘୋଷଣା ମୁତାବକ ଏଥିରେ ଯୋଗଦେବାକୁ ଯାଉଥିଲେ ପ୍ରଦୀପ । କିନ୍ତୁ ଲାଞ୍ଜିପଲ୍ଲୀରେ ପ୍ରଦୀପଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଉପରକୁ ଏଭଳି ଅଣ୍ଡା, ପଥର ସହ ବୋତଲ ମାଡ଼ କରିଥିଲେ ଗୋଟିଏ ଗୋଷ୍ଠୀ । ତାହାରି ଭିତରେ ଗାଡ଼ିରୁ ବାହାରିପାରିନଥିବା ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କରିବା ସହ ରାଜ୍ୟ ସରକାର, ପ୍ରଶାସନ ଏବଂ ଦଳ ଏକାଠି ହୋଇ ଆକ୍ରମଣ କରିଥିବା ଦର୍ଶାଇଛନ୍ତି । ତା’ସହ ଲେଖିଛନ୍ତି, ଗଣତନ୍ତ୍ରକୁ ସୁରକ୍ଷା ଦେବାରେ ଆପଣଙ୍କ ସରକାର ବିଫଳ ହୋଇଛି ।

ଏଭଳି ମୁହାଁମୁହିଁ ସ୍ଥିତି ଭିତରେ ଶେଷରେ ପ୍ରାୟ ୩ ଘଣ୍ଟା ପରେ ମୁକ୍ତ ହୋଇଥିଲେ ପ୍ରଦୀପ ଏବଂ 5T ସଚିବଙ୍କ ସମେତ ଶାସକ ବିଜେଡି ଓ ପୋଲିସ ପ୍ରଶାସନ ବିରୋଧରେ ବିଷୋଦଗାର କରିଥିଲେ । ୩ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା 5T ସଚିବଙ୍କ ଆଜି କାର୍ଯ୍ୟକ୍ରମ ଥିଲା କବିସୂର୍ଯ୍ୟନଗର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀରେ । ତେବେ ଗୋପାଳପୁର ଯେହେତୁ ପ୍ରଦୀପ ପାଣିଗ୍ରାହୀଙ୍କ ନିର୍ବାଚନ ମଣ୍ଡଳୀ, ତେଣୁ ସ୍ଥାନୀୟ ଜନପ୍ରତିନିଧି ଭାବେ ନିଜ ଆଡୁ ଯୋଗ

ଦେବା ପାଇଁ ଯାଇଥିଲେ । ଯିବା ପୂର୍ବରୁ ଗତକାଲି ଓ ଆଜି ଗଣମାଧ୍ୟମରେ ମନ୍ତବ୍ୟ ରଖିବା ସହ ଫାଇଭ୍-ଟି ସଚିବଙ୍କୁ ଚ୍ୟାଲେଂଜ କରି ବ୍ରହ୍ମପୁର ବାହାରିଥିଲେ ।

ଆସିବା ପୂର୍ବରୁ ବ୍ରହ୍ମପୁର ଏସପିଙ୍କୁ ବି ଜଣାଇଥିଲେ । ଅର୍ଥାତ ପ୍ରଦୀପ ପାଣିଗ୍ରାହୀ ଆସୁଥିବା ଖବର ପୋଲିସକୁ ଜଣାଥିଲେ ବି କାହିଁକି ତାଙ୍କୁ ଦେଇପାରିଲାନି ସୁରକ୍ଷା ? ପରିଣାମ ସ୍ୱରୂପ, ଲାଞ୍ଜିପଲ୍ଲୀ ଏନଏଚରେ ଯେଉଁ ପରିସ୍ଥିତି ଉପୁଜିଲା, ଏଥିପାଇଁ ଦାୟୀ କିଏ ? ସେନେଇ ନାନା ପ୍ରଶ୍ନ ଉଠିଥିବାବେଳେ ଟାଟାରେ ଚାକିରି କରାଇଦେବା ପାଇଁ ଆଶାୟୀଙ୍କ ଠାରୁ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣି ବର୍ଷିଛନ୍ତି ବିଜେଡି କର୍ମୀ ।
ସେପଟେ 5T ସଚିବଙ୍କ ଗଞ୍ଜାମ ଗସ୍ତକୁ ବିଜେପି ବି ଆଜି ତୀବ୍ର ବିରୋଧ କରିଛି ।

କନିଷି ଛକରେ କଳା ଗାମୁଛା ଉଡ଼ାଇବା ସହ ପ୍ରତିବାଦ କରିଥିବାବେଳେ ପୋଲିସ ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ବେଗୁନିଆପଡ଼ା ପାଖରୁ ଉଠାଇନେଇଥିଲା ।

  • Reported by:
  • ASHOK BRAHMA , JAGANATH SAHU , Silu Biswal