• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବିଜେଡି ଗଢୁଛି ଜୁମ୍ବୋ ଟିମ୍ । ଟାର୍ଗେଟ ୨୦୨୪ । ବିଜେଡିର ମିଶନ୍ ୨୦୨୪, ମାଧ୍ୟମ ହେବେ କି ମହିଳା ! କାରଣ ବିଜେଡି ଗଢ଼ିଛି ୩୯୩ ସଂଖ୍ୟା ବିଶିଷ୍ଟ ବିଶାଳ ମହିଳା ଟିମ୍ । ନିର୍ବାଚନ ବୈତରଣୀ ପାର ହେବା ଲାଗି ଯୁବ ଓ ଛାତ୍ର ପରେ ମହିଳା ସଂଗଠନକୁ ଦଳ ପ୍ରାଧାନ୍ୟ ଦେଇଛି । କିନ୍ତୁ ବିରୋଧୀ ଏଥିରୁ ରାଜନୈତିକ ଗନ୍ଧ ବାରିଛନ୍ତି । ଅସନ୍ତୁଷ୍ଟଙ୍କୁ ଥଇଥାନ୍ କରିବାକୁ ବିଜେଡି ଏଭଳି ରଣନୀତି ଆପଣାଇଛି ବୋଲି ବିରୋଧୀ କହୁଛନ୍ତି ।

ଯୁବ ଆଉ ଛାତ୍ର ପରେ ସମାନ ଢାଞ୍ଚାରେ ଏବେ ମହିଳା ସଂଗଠନକୁ ବିଶାଳ ରୂପ ଦେଇଛି ଦଳ । ମହିଳା ସଂଗଠନରେ ମୋଟ୍ ୩୯୩ ଜଣଙ୍କୁ ସ୍ଥାନ ମିଳିଥିବା ବେଳେ ବିଜୁ ଛାତ୍ର ଜନତା ଦଳରେ ୨୦୫ ଓ ବିଜୁ ଯୁବ ଜନତା ଦଳରେ ରହିଛନ୍ତି ୧୮୨ ଜଣ । ତେବେ କାହିଁକି ନିଜର ପ୍ରତିଟି ଓ୍ୱିଙ୍ଗକୁ ବଡ଼ ଆକାର ଦେଉଛି ବିଜେଡି ? କଣ ଏହା ପଛର କାରଣ ? ପ୍ରତିପକ୍ଷକୁ କୌଣସି ସୁଯୋଗ ଦେବାକୁ ଚାହୁଁନି କି ଦଳ । ସେଇଥିପାଇଁ ଦଳ ଯୁବ, ଛାତ୍ର ଓ ମହିଳା ସଂଗଠନକୁ ମଜବୁତ କରୁଛି ।

ଖାଲି ଏତିକି ନୁହେଁ, ଦଳରେ ଆଶାୟୀ ଅନେକ ତେଣୁ ବିଦ୍ରୋହ ବଢିବା ବି ସ୍ୱାଭାବିକ । ଏହାକୁ ଆକଳନ କରି ଦଳ ଏବେ ଅସନ୍ତୁଷ୍ଟଙ୍କୁ ଫଳେ ପୁଷ୍ପେ ସନ୍ତୁଷ୍ଟ କରାଉଛି । କାରଣ ବିଜେଡି ଜାଣିଛି ଯେ, ମହିଳା ଭୋଟ୍ ବ୍ୟାଙ୍କ କେତେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି ବିଗତ ନିର୍ବାଚନରେ । ପ୍ରତିପକ୍ଷ ବିଜେପି ବି ମହିଳା ବା ସାଇଲେଣ୍ଟ ଭୋଟରଙ୍କୁ ମନାଇବାକୁ ଷ୍ଟ୍ରାଟେଜି କରୁଛି । ଖାସ୍ ସେଥିଲାଗି ପାଦେ ଆଗରେ ରହିବାକୁ ବିଜେଡିର ଏଭଳି ଯୋଜନା ନୁହେଁ ତ ? ସେପଟେ ଏଭଳି ବିଶାଳ ଟିମ୍‌କୁ ନେଇ ରାଜନୀତି ବି ସରଗରମ । ସଦ୍ୟ ପ୍ରକାଶିତ NCRB ରିପୋର୍ଟରେ ମହିଳାଙ୍କୁ ଅସଦାଚରଣରେ ଓଡ଼ିଶା ଦେଶରେ ଏକ ନମ୍ବର ତଥ୍ୟକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି ବିଜେପି । କଂଗ୍ରେସ ବି ଏହାକୁ ତୁଷ୍ଟୀକରଣ ରାଜନୀତି କହିଛି ।

ନିର୍ବାଚନକୁ ଆଉ ଦୁଇ ବର୍ଷରୁ କମ୍ ସମୟ । ଏହାରି ଭିତରେ ସବୁ ରାଜନୈତିକ ଦଳ ସାଂଗଠନିକ ସ୍ଥିତିକୁ ମଜବୁତ କରିବାରେ ବ୍ୟସ୍ତ । ରାଜ୍ୟ ସରକାର ପରୀ ଠାରୁ ପିହୁ, ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବ୍ୟାକ୍ ଫୁଟ୍‌ରେ । ଏପଟେ ରାଜ୍ୟରେ ମହିଳା ସୁରକ୍ଷିତ ନୁହେଁ ବୋଲି NCRB ରିପୋର୍ଟ କହୁଛି । ଏଥିଲାଗି ଯୁବ ଓ ଛାତ୍ର ଅପେକ୍ଷା ମହିଳା ସଂଗଠନରେ ଅଧିକ ମହିଳାଙ୍କୁ ସ୍ଥାନ ଦେଇଛି । ମୋଟ୍ ୩୯୩ ଜଣଙ୍କୁ ଦଳ ବିଭିନ୍ନ ପଦ ପଦବୀରେ ଅବସ୍ଥାପିତ କରିଛି । ଯେଉଁଥିରେ କିଛି ନୂଆ ମୁହଁ ବି ରହିଛନ୍ତି । ୩ କାର୍ଯ୍ୟକାରୀ ସଭାପତି ଓ ୨୩ ଉପଦେଷ୍ଟା ଅଛନ୍ତି । ତେବେ ରାଜନୈତିକ ସମୀକ୍ଷକ କହିଛନ୍ତି, ସରକାରଙ୍କ ଉପରେ ଲାଗିଥିବା ମହିଳା ବିରୋଧୀ ଟ୍ୟାଗ୍ ହଟାଇବାକୁ ଏସବୁ ପ୍ରୟାସ ।

ବିଜୁ ମହିଳା ଜନତା ଦଳର ଏହି ନୂଆ ଟିମ୍ ଦଳକୁ କେତେ ଶକ୍ତି ଓ କେତେ ଫାଇଦା ଦେଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । କିନ୍ତୁ ବିରୋଧୀ ମହିଳା ଅସୁରକ୍ଷିତ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ତମାମ ରଣନୀତି ବି ପ୍ରସ୍ତୁତ କରୁଛନ୍ତି ।