• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢ଼ଉକୁ ନେଇ ରାଜନୀତି ଜୋର ଧରିଛି । ଉଭୟ ଆମ୍ ଆଦମି ପାର୍ଟି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଦିଲ୍ଲୀ, ପଞ୍ଜାବ ପରେ ଗୁଜୁରାଟ୍ ନିର୍ବାଚନକୁ ଆପ୍ ଟାର୍ଗେଟ କରିଥିବାରୁ ତା ପୂର୍ବରୁ ସିସୋଦିଆଙ୍କ ମାଧ୍ୟମରେ କେଜ୍ରିଓ୍ୱାଲଙ୍କୁ ରୋକିବା ଲାଗି ବିଜେପି ଚେଷ୍ଟା କରୁଛି ବୋଲି ଆମ୍ ଆଦମି ପାର୍ଟି ପକ୍ଷରୁ କୁହାଯାଇଛି । ବିଜେପି ଓ କେନ୍ଦ୍ର ସରକାର ଆମ୍ ଆଦମି ପାର୍ଟିକୁ ଭୟ କରୁଥିବାରୁ ଏଭଳି ହୀନ ଚକ୍ରାନ୍ତ କରୁଛି ବୋଲି ମନୀଷ ସିସୋଦିଆ କହିଛନ୍ତି ।

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ । ଦିଲ୍ଲୀ ଅବକାରୀ ନୀତି ଲାଗୁ କ୍ଷେତ୍ରରେ ଦୁର୍ନୀତି ଅବିଯୋଗ ଆଣି ସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସିବିଆଇ ପକ୍ଷରୁ ହୋଇଥିବା ମାମଲାରେ ସିସିଆଦିଆଙ୍କ ସମେତ ୧୪ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଲୁକ୍ ଆଉଟ୍ ସର୍କୁଲାର ଜାରି ହେବା ଫଳରେ କୌଣସି ବ୍ୟକ୍ତି ଦେଶ ଛାଡ଼ି ପଳାୟନ କରିପାରିବ ନାହିଁ ବୋଲି କୁହାଯାଇଛି । ଯଦି କେହି ଏହାର ଏହାର ଉଲ୍ଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଏହି ନିର୍ଦ୍ଦେଶକୁ ସିସୋଦିଆ ଭର୍ତ୍ସନା କରିଛନ୍ତି । 

ଏନେଇ ସିସୋଦିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏସବୁ କି ଡ୍ରାମା ଚାଲିଛି ବୋଲି ମୋଦିଙ୍କ ଉଦ୍ଦେଶ୍ୟରେ ସିସୋଦିଆ କହିଛନ୍ତି । ଆଜି କାହା ଘରେ ସିବିଆଇ କି ଇଡି ଚଢ଼ଉ କରିବ ବୋଲି ପ୍ରଧାନମନ୍ତ୍ରୀ ସବୁବେଳେ ଚିନ୍ତା କରିବା ଦୁର୍ଭାଗ୍ୟଜନକ ବୋଲି ସିସୋଦିଆ କହିଛନ୍ତି । ଦେଶ ଏବେ ସେଇଭଳି ଜଣେ ନେତାଙ୍କୁ ଖୋଜୁଛି ଯିଏ ମୁଦ୍ରାସ୍ଫୀତି ଓ ବେରୋଜଗାର ସମସ୍ୟାର ସମାଧାନ କରିପାରିବ ବୋଲି ସେ କହିଛନ୍ତି । ତେବେ ୨୦୨୪ରେ ଦେଶବାସୀ ସେମାନଙ୍କୁ ଲୁକ୍ ଆଉଟ ନୋଟିସ ଦେଇଦେବେ ବୋଲି ସିସୋଦିଆ କହିଛନ୍ତି । ସେପଟେ ଏହାକୁ ନେଇ ବିଜେପି ମଧ୍ୟ ଆପ୍‌କୁ ଟାର୍ଗେଟ କରିଛି । 

ତା’ଛଡ଼ା ସିସୋଦିଆ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର କି ବିଜେପି କେବେ ବି ଅବକାରୀ ନୀତି କଥା ଚିନ୍ତା କରନ୍ତି ନାହିଁ । ଯଦି ଚିନ୍ତା କରୁଥାନ୍ତେ, ତା ହେଲେ ଗୁଜୁରାଟରେ ପ୍ରତିବର୍ଷ ହେଉଥିବା ଅବକାରୀ କର ବାବଦରେ ୧୦ ହଜାର କୋଟି ଟଙ୍କାର ଦୁର୍ନୀତିର ତଦନ୍ତ ପ୍ରଥମେ କରାଇଥାନ୍ତେ । ତା’ଛଡ଼ା ଗୁଜୁରାଟରେ ବିଷାକ୍ତ ମଦ ପିଇ ହଜାରେ ଲୋକ ମିରଯିବାର ବି ତଦନ୍ତ କରାଇଥାନ୍ତେ ବୋଲି ସିସୋଦିଆ କହିଛନ୍ତି । ତେବେ ବିଜେପି ପ୍ରଥମେ ଅଭିଯୋଗ କଲା ଦିଲ୍ଲୀରେ ହଜାରେ କୋଟିର ଦୁର୍ନୀତି, ପରେ କହିଲେ ୮୦୦୦ କୋଟି, ତା ପରେ କହିଲେ ୧୧୪ କୋଟିର ଦୁର୍ନୀତି । ହେଲେ ତଦନ୍ତରେ କିଛି ବି ପାଇବେ ନାହିଁ କାରଣ ସ୍ୱଚ୍ଛତାର ସହ ହୋଇଛି ବୋଲି ସିସୋଦିଆ କହିଛନ୍ତି ।

ସେପଟେ ମଦ ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଟାର୍ଗେଟ କରିଛି ବିଜେପି । ସେ ଅଭିଯୋଗ କରିଛି ଯେ, ଏଥିରେ କେଜ୍ରିଓ୍ୱାଲ ହିଁ ମୁଖ୍ୟ କାର୍ପଟଦାର । ଏ ଦୁର୍ନୀତି ହିଁ କେଜ୍ରିଓ୍ୱାଲଙ୍କ ବଡ଼ ବଡ଼ ଦୁର୍ନୀତିର ପର୍ଦ୍ଦାଫାସ କରାଇବ ବୋଲି ବିଜେପି ନେତା କହିଛନ୍ତି । ଏହାସହ ୨୦୨୪ରେ ଆପ୍ ହିଁ ବିଜେପି ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଦାବିକୁ ଖଣ୍ଡନ କରିଛି ବିଜେପି । ନିକଟରେ ଉତ୍ତରପ୍ରଦେଶରେ କଣ ହେଲା ଏ ଦେଶ ଦେଖିଛି ବୋଲି ବିଜେପି କହିଛି ।