• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: (ରିପୋର୍ଟ-ସୌମ୍ୟରଂଜନ ସାହୁ, ଜଗଦୀଶ ଦାସ, ହରିହର ଚାନ୍ଦ): ପୁଣି ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଏଥର ପୋଲିସ ବନାମ ଛାତ୍ର କଂଗ୍ରେସ । ଧସ୍ତାଧସ୍ତି, ଠେଲାପେଲା, ଲାଠିମାଡ଼ । ଯାହାକୁ ପାଇଲା ମାଡ଼ ମାରିଲା ପୋଲିସ । ମାଡ଼ ଭୟରେ ଯିଏ ଯେମିତି ପାରିଲା ଦୌଡ଼ିଲା । ମୁହାଁମୁହିଁ ଭିତରେ କାହାର ମୁଣ୍ଡ ଫାଟିଲା ତ କାହାର କଟିଲା ଅଙ୍ଗୁଳି ସନ୍ଧି । ବିଧାନସଭା ସାମ୍ନାରେ ମାଡ଼ । କଂଗ୍ରେସ ଭବନ ଭିତରେ ପଶି ମାଡ଼ ।

ସମୟ ଦିନ ପ୍ରାୟ ଗୋଟାଏ ହେବ । ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍‌ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତାଙ୍କ ସଭା । ଆରପଟେ ସଭାସ୍ଥଳ ଯାଏଁ ବାଇକ୍ ରାଲିରେ ଆସିବା ପରେ କିଛି ଛାତ୍ର କଂଗ୍ରେସ କର୍ମୀଙ୍କ ବିଧାନସଭା ଘେରାଉ ଉଦ୍ୟମ । ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏଁ ପହଞ୍ଚିଯାଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରିଥିଲା ପୋଲିସ । ଏହି ସମୟରେ ଅଣ୍ଡା ସହ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

ବାସ୍ ଏଇଠୁ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଅମାନିଆ ହେବାରୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ । ତାହାରି ଭିତରେ କିଏ ପୋଲିସ ଗାଡ଼ିରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ତ ଆଉ କିଏ ବ୍ୟାରିକେଡ୍ ଡେଇଁ ସୁରକ୍ଷା ବଳୟକୁ ଭେଦ କରିଥିଲା । ଶେଷରେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ଆକ୍ସନ ମୋଡ୍‌କୁ ଆସିଥିଲା । ଆଉ ଯାହାକୁ ପାରିଲା ପିଟିଲା । ଏପରିକି କଂଗ୍ରେସ ଭବନରେ ପଶି ନିର୍ଘାତ ମାଡ଼ ମାରିଲା । ଏଥିରେ କିଛି ଛାତ୍ର କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ପୁଣି ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲା ଛାତ୍ର କଂଗ୍ରେସ ।

ଗତକାଲି ବିଜେପି ଯୁବମୋର୍ଚ୍ଚା ଉପରେ ପୋଲିସର ପ୍ରହାର, ଆଉ ଆଜି ଛାତ୍ର କଂଗ୍ରେସ ଉପରେ ଜୋରଦାର ଆକ୍ସନ୍ । କଂଗ୍ରେସ ଭବନ ଭିତରେ ପଶି ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଘୋର ନିନ୍ଦା କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଦଳୀୟ ନେତା । ତାସହ ଏଭଳି ଆକ୍ରମଣ ପାଇଁ ପୋଲିସ କମିଶନର କ୍ଷମା ମାଗନ୍ତୁ ଏବଂ ଏହାର ବିଚାର ବିଭାଗୀୟ ତଦନ୍ତ କରାଯାଉ ବୋଲି ଦାବି କରିଛି କଂଗ୍ରେସ ।

ସେପଟେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଉମାଶଙ୍କର ଦାଶ । ସେ ଘଟଣାସ୍ଥଳରେ ନଥିବା ଏବଂ ମାଡ଼ ହେବା କଥା ଜାଣିନଥିବା କହିଛନ୍ତି । କିନ୍ତୁ କିଛି କଂଗ୍ରେସ କର୍ମୀ ପୋଲିସର ଗାଡ଼ି ଜାଳିବାକୁ ଚେଷ୍ଟା କରିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ତ୍ୱରିତ ଉଦ୍ୟମ ଯୋଗୁଁ ଗାଡ଼ିକୁ ଜାଳି ପାରିନଥିଲେ । ପୋଲିସ ଉପରେ ଆକ୍ରମଣ କରିିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।