ରାଜନୀତିରେ କେହି କାହାର ନୁହଁନ୍ତି । ବାପ ପୁଅର ନୁହେଁ କି ସ୍ୱାମୀ ସ୍ତ୍ରୀର ନୁହେଁ । ଏଭଳି କଥା ଆପଣ ନିଶ୍ଚୟ ଶୁଣିଥିବେ । ରାଜନୀତି ସଂପର୍କ ତୁଟାଇ ଦିଏ, ଘର ଭାଙ୍ଗିଦିଏ । ଏବେ ମହାରାଷ୍ଟ୍ରରେ ଚାଲିଥିବା ବିଧାନସଭା ନିର୍ବାଚନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ନିର୍ବାଚନମଣ୍ଡଳୀରେ ପରସ୍ପର ସହ ଲଢୁଛନ୍ତି ସ୍ୱାମୀ ଓ ସ୍ତ୍ରୀ । ଦୁଇ ଜଣଙ୍କ ମଧ୍ୟରୁ କେହି ଡମି ପ୍ରାର୍ଥୀ ହୋଇନାହାନ୍ତି । ଦୁଇ ଜଣଙ୍କ ମଧ୍ୟରେ ହେଉଛି କଡା ଟକ୍କର । ଉଭୟ ବି ଆଶାବାଦୀ ଏଥର ଜିତିବେ ନିର୍ବାଚନ । ସ୍ୱାମୀ ଆଗରୁ ଦୁଇଥର ବିଧାୟକ ହୋଇଥିଲା ବେଳେ ସ୍ତ୍ରୀ ଏଥର ପ୍ରଥମ ଥର ଲଢୁଛନ୍ତି ବିଧାନସଭା ନିର୍ବାଚନ ।
ଅଧିକ ପଢନ୍ତୁ: ବାଜିରେ ପରିବାର ଲିଗାସୀ, ଅଜୟ କୁମାରଙ୍କ ପାଇଁ ଅଗ୍ନିପରୀକ୍ଷା
Also Read
ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ତେବେ କନ୍ନଡ ଆସନକୁ ନେଇ ସାରା ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପତ୍ନୀ ସଞ୍ଜନା ଯାଦବ ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ମୁମ୍ୱାଇଠାରୁ ପ୍ରାୟ ୩୩୦ କିଲୋମିଟର ଦୂର କନ୍ନଡରେ ହେଉଛି ଏହି ରୋଚକ ରାଜନୈତିକ ଲଢେଇ । ବାରମ୍ୱାର ଦଳବଦଳ କରି ଚର୍ଚ୍ଚାରେ ରହୁଥିବା ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନଙ୍କୁ ପରାସ୍ତ କରିବାକୁ ଆଗେଇ ଆସିଛନ୍ତି ତାଙ୍କ ପତ୍ନୀ ସଞ୍ଜନା । ସଞ୍ଜନା ହେଉଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେଙ୍କ ଝିଅ । କିନ୍ତୁ ତାଙ୍କୁ ପ୍ରାର୍ଥୀ କରିଛି ଶାସକ ମହାୟୁତି ମେଣ୍ଟର ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା । ସଞ୍ଜନାଙ୍କୁ ତାଙ୍କ ସମର୍ଥକମାନେ ରାଇଜିଂ ଷ୍ଟାର୍ ବୋଲି କହୁଛନ୍ତି ।
ଦଳବଦଳରେ ରେକର୍ଡ କରିଛନ୍ତି ହର୍ଷବର୍ଦ୍ଧନ
ଏହି ଯାଦବ ପରିବାରର ଔରଙ୍ଗାବାଦ ଓ ନିକଟବର୍ତ୍ତୀ ଜାଲନା ଜିଲ୍ଲାରେ ରାଜନୈତିକ ପତିଆରା ରହିଛି । ୪୭ ବର୍ଷୀୟ ହର୍ଷବର୍ଦ୍ଧନଙ୍କ ବାପା ସ୍ୱର୍ଗତ ରାଇଭାନ ଯାଦବ ଏହି କନ୍ନଡ ଆସନରେ ଜଣେ ପୂର୍ବତନ କଂଗ୍ରେସ ବିଧାୟକ ଥିଲେ । ହେଲେ ହର୍ଷବର୍ଦ୍ଦନଙ୍କ ରାଜନୈତିକ ଯାତ୍ରା କେବେ ବି ପାରମ୍ପରିକ ଓ ସିଧାସଳଖ ନଥିଲା । ବହୁ ଅଙ୍କାବଙ୍କା ରାସ୍ତା ଦେଇ ନିଜର ରାଜନୈତିକ କ୍ୟାରିଅର ଗଢିଛନ୍ତି ହର୍ଷବର୍ଦ୍ଧନ । ୨୦୦୪ରେ ସେ ପ୍ରଥମେ କନ୍ନଡ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ । କିନ୍ତୁ ୨୦୦୯ରେ ରାଜ ଠାକରେଙ୍କ ନତୃତ୍ୱାଧୀନ ମହାରାଷ୍ଟ୍ର ନିର୍ମାଣ ସେନା (MNS) ପକ୍ଷରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୧ରେ ବିବାଦୀୟ ହୋଇପଡିଥିଲେ । ଔରଙ୍ଗାବାଦରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌହାନଙ୍କ ସହ ଯାଉଥିବା ଗାଡି ଉପରକୁ ନିଜ ଗାଡି ଚଢାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ତାଙ୍କ ନାମରେ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି କର୍ଡନ ଭାଙ୍ଗିଥିବା ଓ ଅଫିସରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ତାଙ୍କ ନାମରେ ପୋଲିସ୍ କେସ୍ କରିଥିଲା । ସେ ଗିରଫ ମଧ୍ୟ ହୋଇଥିଲେ ।
ଏହାକୁ ନେଇ ଦଳର ମୁଖ୍ୟ ରାଜ ଠାକରେଙ୍କ ସହ ତାଙ୍କର ମତଭେଦ ହୋଇଥିଲା । ତେଣୁ ସେ ୨୦୧୩ରେ MNS ଛାଡିଦେଇଥିଲେ । ୨୦୧୪ରେ ସେ ଶିବସେନା ଟିକେଟରେ ଲଢି ପୁନର୍ବାର ବିଜୟୀ ହୋଇଥିଲେ । କିନ୍ତୁ ଶିବସେନାରେ ସେ ଅଧିକ ଦିନ ରହିପାରିନଥିଲେ । ମରାଠା ସଂରକ୍ଷଣ ଆନ୍ଦୋଳନକୁ ସରକାର ଠିକରେ ହାଣ୍ଡଲ୍ କରିପାରିନଥିବାର ଅଭିଯୋଗ କରି ସେ ୨୦୧୮ରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଜଣେ ସ୍ୱାଧୀନଚେତା ନେତା ଭାବେ ନିଜର ଭାବମୂର୍ତ୍ତି ତିଆରି କରିଥିଲେ । ତେଣୁ ତାଙ୍କୁ କୌଣସି ଦଳ ଆଉ ବିଶ୍ୱାସକୁ ନେଇପାରିନଥିଲେ । କିନ୍ତୁ ନିର୍ବାଚନମଣ୍ଡଳୀରେ ସେ ତାଙ୍କ ପତିଆରା ଜାହିର୍ କରିବାରେ ମାହିର୍ ଥିଲେ । ୨୦୧୯ରେ ସେ ଔରଙ୍ଗାବାଦ ଲୋକସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ହୋଇ ଶିବସେନା ପ୍ରାର୍ଥୀଙ୍କୁ ପରାଜୟର ରାସ୍ତା ଦେଖାଇ ଦେଇଥିଲେ । ହର୍ଷବର୍ଦ୍ଧନ ୨ ଲକ୍ଷ ୮୩ ହଜାର ଭୋଟ ପାଇଥିଲା ବେଳେ ଶିବସେନା ପ୍ରାର୍ଥୀ ମାତ୍ର ୪୪୯୨ ଖଣ୍ଡ ଭୋଟରେ ହାରିଯାଇଥିଲେ । AIMIM ପ୍ରାର୍ଥୀ ଇମିତିଆଜ୍ ଜଲିଲ୍ ନିର୍ବାଚନ ଜିତିଥିଲେ ।
ରାଜନୈତିକ ଆଦର୍ଶକୁ ନେଇ ପତି ପତ୍ନୀଙ୍କ ମଧ୍ୟରେ ମନାନ୍ତର
ବାରମ୍ବାର ଦଳ ପରିବର୍ତ୍ତନ ଓ କୌଣସି ରାଜନୈତିକ ଆଦର୍ଶ ନଥିବା କାରଣରୁ ତାଙ୍କ ପତ୍ନୀଙ୍କ ସହ ତାଙ୍କର ମତାନ୍ତର ଓ ପରେ ମନାନ୍ତର ହୋଇଥିଲା । ହର୍ଷବର୍ଦ୍ଧନ ୨୦୨୪ ବିଧାନସଭା ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି, ୨୦୧୯ରୁ ସେ ତାଙ୍କ ପତ୍ନୀଙ୍କ ଠାରୁ ଅଲଗା ରହୁଛନ୍ତି । କିନ୍ତୁ ତାଙ୍କୁ ଛାଡପତ୍ର ଦେଇନାହାନ୍ତି । ପତ୍ନୀ ସଞ୍ଜନା ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି, ସେ ବିବାହିତ । ସଞ୍ଜନାଙ୍କ ବାପା ରାଓସାହେବ ଦାନଭେ ଜଣେ ବିଜେପି ନେତା ଓ ମହାରାଷ୍ଟ୍ର ବିଜେପିର ସଭାପତି ମଧ୍ୟ ଥିଲେ । ସେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଧ୍ୟ । ସଞ୍ଜନା ବିଜେପି ସହ ଥିଲେ । କିନ୍ତୁ ନିର୍ବାଚନର ଅଳ୍ପଦିନ ପୂର୍ବରୁ ସେ ଶିବସେନାରେ ଯୋଗ ଦେଇଛନ୍ତି । ୨୦୧୯ରେ କନ୍ନଡ ଆସନରେ ଶିବସେନା ବିଜୟୀ ହୋଇଥିବାରୁ ମେଣ୍ଟ ନିଷ୍ପତ୍ତି ଅନୁଯାୟୀ ଏହି ଆସନ ଶିବସେନାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏହି ଆସନ ବିଜେପିକୁ ଛାଡିବାକୁ ଚାହୁଁନଥିଲେ । ଏହି ଆସନରେ ବର୍ତ୍ତମାନର ବିଧାୟକ ଉଦୟନାଥ ରାଜପୁତ୍ ୨୦୨୨ରେ ଶିବସେନାରେ ବିଭାଜନ ପରେ ଉଦ୍ଧବ ଠାକରେଙ୍କ ସହ ରହିଛନ୍ତି ।
ଘୋଷଣା କରି ମଧ୍ୟ ମନ ବଦଳାଇଲେ
୨୦୨୪ ନିର୍ବାଚନରେ ହର୍ଷବର୍ଦ୍ଧନ ନିଜ ପତ୍ନୀଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ନେଇ ଅନେକ ନାପସନ୍ଦ କରୁଛନ୍ତି । କାରଣ ୨୦୨୦ରେ ସେ ଆଉ ରାଜନୀତି କରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏପରିକି ପତ୍ନୀ ସଞ୍ଜନା ତାଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି ସେ ଖୋଲାଖୋଲି କହିବା ସହ ପତ୍ନୀ ସଞ୍ଜନାଙ୍କ ସହ ଦୃଢ ଭାବେ ଅଛି ବୋଲି ମଧ୍ୟ ଘୋଷଣା କରିଥିଲେ । ଠିକ୍ ୪ ବର୍ଷ ପରେ ସେ ତାଙ୍କର ନିଷ୍ପତ୍ତି ବଦଳାଇଛନ୍ତି । କେହି କେହି କହୁଛନ୍ତି, ଅନ୍ୟ ଦଳର କେହି ହୁଏତ ରଣନୀତି ତିଆରି କରି ହର୍ଷବର୍ଦ୍ଧନଙ୍କୁ ପ୍ରାର୍ଥୀ କରିଥାଇପାରେ । ପୁଣି କେହି କେହି ମତ ଦେଉଛନ୍ତି, ଦୁଇଜଣଙ୍କ ଭିତରୁ ଯିଏ ଜିତିଲେ ବି ଯାଦବ ପରିବାରର । ହର୍ଷବର୍ଦ୍ଧନ କିନ୍ତୁ କହୁଛନ୍ତି, ସଞ୍ଜନାଙ୍କ ପଛରେ ତାଙ୍କ ବାପା ରାଓସାହେବ ଅଛନ୍ତି । ରାଜନୀତି ପାଇଁ ଘର ଭାଙ୍ଗି ଯାଇଥିବା ସ୍ୱୀକାର କରୁଛନ୍ତି ହର୍ଷବର୍ଦ୍ଧନ । ଏଇ ରାଜନୀତି କାରଣରୁ ମୁଁ ଏଥର ପରିବାର ସହ ଦୀପାବଳି ପାଳନ କରିପାରିଲି ନାହିଁ ବୋଲି କହିଛନ୍ତି ହର୍ଷବର୍ଦ୍ଧନ। ରାଜନୀତିର ଏଭଳି ଗୋଳିଆ ପାଣିରୁ କିଏ ଫାଇଦା ଉଠାଇବ କହିବା କଷ୍ଟ । କିନ୍ତୁ ମହାରାଷ୍ଟ୍ରରେ ମାରପେଞ୍ଚ ରାଜନୀତି ଚାଲିଛି, ଏହା ସ୍ପଷ୍ଟ ।