• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଷ୍ଟ୍ରରେ ମହାସଙ୍କଟକୁ ୭ ଦିନ ବିତିଲାଣି । ହେଲେ ଫିଟୁନି ସମାଧାନର ବାଟ । ଗୋଟିଏ ପଟେ ଏକନାଥ ସିନ୍ଦେ ତାଙ୍କ ଶକ୍ତି ବଢାଉଥିବା ବେଳେ ଅନ୍ୟପଟେ ରାଜରାସ୍ତାରେ ଶକ୍ତି ଦେଖାଉଛନ୍ତି ଶିବ ସୈନିକ । ଆଜି ଶିବ ସୈନିକମାନେ ରାଜ୍ୟ ବ୍ୟାପି ଆରମ୍ଭ କରିଛନ୍ତି ଜୁତାମାରୋ ଆନ୍ଦୋଳନ । ମୁମ୍ବାଇ, ନାଗପୁର, ଥାଣେ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକନାଥ ସିନ୍ଧେଙ୍କୁ ବିରୋଧ ବାଇକ୍ ରାଲିର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇଛନ୍ତି ରାଜ୍ୟର ଆଉ ଜଣେ ମନ୍ତ୍ରୀ ଉଦୟ ସାଓ୍ୱନ୍ତ ।

ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବା ପାଇଁ ମୁମ୍ବାଇରୁ ଗୌହାଟି ଅଭିମୁଖେ ଯାତ୍ରା କରିଛନ୍ତି ଉଦୟ । ବର୍ତ୍ତମାନ ଆଦିତ୍ୟ ଠାକରେଙ୍କୁ ଛାଡିଦେଲେ ଉଦ୍ଧବଙ୍କ ପାଖରେ ଶିବ ସେନାର ବିଧାନସଭାରୁ କୌଣସି ସଦସ୍ୟ ମନ୍ତ୍ରୀ ନାହାଁନ୍ତି । ଅନ୍ୟ ଦୁଇ ମନ୍ତ୍ରୀ ବିଧାନ ପରିଷଦ ସଦସ୍ୟ ହୋଇଥିବାବେଳେ ଆଉ ଜଣେ ଅଂଶୀଦାର ଦଳ କ୍ରାନ୍ତିକାରୀ ଶେତକାରୀ ପାର୍ଟିର । ଉଦୟଙ୍କୁ ମିଶାଇଲେ ଏପର୍ଯ୍ୟନ୍ତ ମହାରାଷ୍ଟ୍ର ସରକାରଙ୍କ ୮ଜଣ ମନ୍ତ୍ରୀ ସିନ୍ଧେ କ୍ୟାମ୍ପରେ ସାମିଲ ହେଲେଣି ।

ସେପଟେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କୁ ଖୋଲିଖୋଲି ଚେତାବନୀ ଦେଇଛନ୍ତି । କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି, ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ ମାଗ । ଆମ ଦଳର ଗୋଟିଏ ବାପା, ସେ ହେଉଛନ୍ତି ବାଲାସାହେବ ଠାକରେ । ତାଙ୍କ ନାଁ କାହିଁକି ବ୍ୟବହାର କରୁଛ ବୋଲି ସଞ୍ଜୟ ରାଉତ ରୋକଠୋକ ଶୁଣାଇଛନ୍ତି ।

ଅନ୍ୟପଟେ ଉଦ୍ଧବ ଠାକରେଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗ ଦେଇନଥିବା ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ନୋଟିସ ଦିଆଯାଇଛି । ଦୁଇ ଦିନ ଭିତରେ ଜବାବ ଦେବାକୁ ସମୟ ଦେଇଛନ୍ତି ଉପବାଚସ୍ପତି । ଅନ୍ୟପକ୍ଷରେ ଏହାର ଜବାବ ଦେବା ଲାଗି ୭ ଦିନ ସମୟ ଦେବାକୁ ସିନ୍ଧେ କ୍ୟାମ୍ପ ପକ୍ଷରୁ ଦାବି ହୋଇଛି ।

ସେପଟେ ଏକନାଥ ସିନ୍ଦେଙ୍କ ଗ୍ରୁପରେ ଏବେ ଫାଟ ସୃଷ୍ଟି ହେଉଥିବା ନେଇ ଚର୍ଚ୍ଚା ହେଉଛି । ବିଜେପି ସହ ମିଶ୍ରଣକୁ ବିରୋଧ କରୁଥିବା ୨୦ ବିଦ୍ରୋହୀ ବିଧାୟକ ଉଦ୍ଧବ ଠାକରେଙ୍କ ସହ ଯୋଗାଯୋଗରେ ଥିବା ନେଇ ସୂଚନା ମିଳିଛି । ଏକତା ପ୍ରଦର୍ଶନ କରିବାକୁ ଯାଇ ଗୌହାଟୀର ତାରକା ହୋଟେଲରେ ଡେରା ପକାଇଥିବା ଏକନାଥ ଗୋଷ୍ଠିର ଆଜି ପୁଣି ଏକ ଭିଡିଓ ଗଣମାଧ୍ୟମକୁ ଆସିଛି । ଯେଉଁଥିରେ ଜଣେ ବିଧାୟକଙ୍କ ଜନ୍ମଦିନକୁ କେକ କାଟି ପାଳନ କରୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ବଢିଛି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା । ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ କେନ୍ଦ୍ର ସରକାର Y + ସୁରକ୍ଷା ଦେଇଛନ୍ତି । CRPF କୁ ବିଧାୟକମାନଙ୍କ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳ ଭଗତସିଂହ କୋଶିୟାରୀ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ପାଇଁ ଡିଜିପିଙ୍କୁ ଚିଠି ଲେଖିଛନ୍ତି ।

ରାଜନୈତିକ ଅସ୍ଥିରତା ଭିତରେ ସୁସ୍ଥ ହୋଇ ଆଜି ମେଡିକାଲରୁ ରାଜଭବନକୁ ଫେରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ ।