• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ ସରକାର ଉପରେ ମହାସଙ୍କଟ । ଶିବସେନାର ବରିଷ୍ଠ ବିଧାୟକ ତଥା ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ । ୩୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତର ଏକ ତାରକା ହୋଟେଲରେ ରହିଛନ୍ତି ଏକନାଥ ସିନ୍ଦେ । ଯାହାକୁ ନେଇ ଏବେ ସରକାର ଭାଙ୍ଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ଏକନାଥ ସିନ୍ଦେଙ୍କ ସହ ଶମ୍ଭୁରାଜ ଦେଶାଇ, ଚିମନରାଓ ପାଟିଲ, କିଶୋର ପାଟିଲ, ମହେନ୍ଦ୍ର ଥରେବି, ଜ୍ଞାନରାଜ ଚିଗୁଲେ, ବାଲାଜୀ କୋଣିକର୍ ଭଳି ଟାଣୁଆ ବିଧାୟକଙ୍କ ସହ ଦଳ ଯୋଗାଯୋଗ କରିପାରୁନି । ସୁରତରେ ଏମାନଙ୍କ ସହ କିଛି ସ୍ୱାଧୀନ ବିଧାୟକ ବି ରହିଛନ୍ତି ।

ଘଟଣା ପରେ ଉଦ୍ଧବ ଠାକରେଙ୍କ ଘରେ ବିଧାୟକ ଦଳ ବୈଠକ ଡକା ଯାଇଛି । ସମ୍ପୂର୍ଣ୍ଣ ପରିସ୍ଥିତିକୁ ନେଇ ତିନି ଦଳ ମଧ୍ୟରେ ଆଲୋଚନା ହୋଇଛି । ଘଟଣା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାବିସ୍ ଦିଲ୍ଲୀ ଯିବା ପାଇଁ ବାହାରିଛନ୍ତି । ସେହିପରି ମହାରାଷ୍ଟ୍ର ରାଜନୀତିର ଉଷ୍ମତା ଦିଲ୍ଲୀରେ ବି ଦେଖା ଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ।

ବିଧାନପରିଷଦ ନିର୍ବାଚନରେ କ୍ରସ ଭୋଟିଂ ସହ ମେଣ୍ଟ ପ୍ରାର୍ଥୀ ଚନ୍ଦ୍ରକାନ୍ତ ହାଣ୍ଡୋରୀ ହାରି ଥିଲେ । ଏହାପରେ ମହାରାଷ୍ଟ୍ର ରାଜନୀତିରେ ହଟଚମଟ ଆରମ୍ଭ ହୋଇଛି ।

ଏବେ ଆସନ୍ତୁ, ନଜର ପକାଇବା ମହାରାଷ୍ଟ୍ର ସରକାରରେ ମେଣ୍ଟ ଓ ସିଟ୍ ସଂଖ୍ୟା ଉପରେ । ମହାରାଷ୍ଟ୍ର ବିଧାନସଭାରେ ଏବେ ମୋଟ ଆସନ ସଂଖ୍ୟା ୨୮୮ ।  ବର୍ତ୍ତମାନ ସଦସ୍ୟ ସଂଖ୍ୟା-୨୮୭ ରହିଛି । ସଂଖ୍ୟା ଗରିଷ୍ଠତା-୧୪୪ ଥିବା ବେଳେ ମେଣ୍ଟ ପାଖରେ ରହିଛି ୧୫୨ ସିଟ୍ । ସେଥିରୁ ଶିବସେନା ପାଖରେ ୫୫, ଏନସିପି-୫୩ ଏବଂ କଂଗ୍ରେସ ପାଖରେ ୪୪ ଆସନ ରହିଛି । ସେହିଭଳି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପାଖରେ ରହିଛି ୧୦୬ ସିଟ୍ । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପାଖରେ ୨୯ ଆସନ ରହିଛି ।

ମହାରାଷ୍ଟ୍ର ସରକାର ପାଇଁ ବିପଦ ଆଣିଥିବା ଏକ୍‌ନାଥ ସିନ୍ଦେ କିଏ ? କ’ଣ ତାଙ୍କ ପରିଚୟ ?

୫୮ ବର୍ଷୀୟ ଏକନାଥ ସିନ୍ଦେ ଆକ୍ରଣାତ୍ମକ ଆଭିମୁଖ୍ୟ ରଖୁଥିବା ଜଣେ ଶିବସୈନିକ ଭାବେ ଜଣାଶୁଣା । ଦୀର୍ଘ ଦଶକ ହେବ ସେ ଶିବସେନାର ପ୍ରମୁଖ ନେତା ରହିଆସିଛନ୍ତି । ଥାନେର କୋପାରୀ-ପଛପାଖାଡି ନିର୍ବାଚନମଣ୍ଡଳୀର ବିଧାୟକ ଏକନାଥ ଏବେ ମହାରାଷ୍ଟ୍ର ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଅଛନ୍ତି । ୮୦ ଦଶକରେ ବାଲ୍ ଠାକରେ ଏବଂ ଥାନେର ତତ୍କାଳୀନ ଜିଲ୍ଲା ମୁଖ୍ୟ ଆନନ୍ଦ ଦୀଘେଙ୍କ ସଂସ୍ପର୍ଶରେ ଆସିବା ପରେ ଶିବସେନାରେ ସାମିଲ ହୋଇଥିଲେ ଏକନାଥ ।

ପ୍ରଥମ ଥର ଲାଗି ସେ ୧୯୯୭ରେ ଥାନେ ନଗର ନିଗମର କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ୨୦୦୧ରେ ତାଙ୍କୁ ଥାନେ ନଗର ନିଗମର ହାଉସ ଲିଡର ପଦବୀ ମିଳିଥିଲା । ପରେ ସେ ୨୦୦୪ରେ ପ୍ରଥମ ଥର ଲାଗି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରଠାରୁ ସେ ଲଗାତର ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ସେ ବିରୋଧୀ ଦଳ ନେତା ଏବଂ ଶିବସେନା ବିଧାୟକ ଦଳର ନେତା ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏବେ କଲ୍ୟାଣ ଆସନରୁ ଦ୍ୱିତୀୟ ଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।