• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ବିଦ୍ରୋହ କରିଥିବା ମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସୁଛନ୍ତି । ଆଜି ଅପରାହ୍ନରେ ଗୁଆହାଟୀର ରାଡିସନ ବ୍ଲୁ ହୋଟେଲ ଅଗଣାକୁ ଆସି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଏକନାଥ ସିନ୍ଧେ । ସେ ଖୁବଶୀଘ୍ର ମୁମ୍ବାଇ ଗସ୍ତ କରିବେ ବୋଲି କହିଥିଲେ । ଏହାସହ ତାଙ୍କ ପରବର୍ତ୍ତୀ ରଣନୀତି ସଂପର୍କରେ ସାଥୀ ବିଧାୟକ ସୂଚନା ଦେବେ ବୋଲି ସିନ୍ଧେ କହିଥିଲେ ।

ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି । ତେବେ ଅନ୍ୟ ବିଧାୟକଙ୍କ ସହ ମୁମ୍ବାଇ ଆସିବା ପୂର୍ବରୁ ସେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସ ଦିଲ୍ଲୀରେ ପହଞ୍ଚି କେନ୍ଦ୍ରୀୟ ନେତାଙ୍କୁ ଭେଟିଛନ୍ତି ।

ରାଜନୈତିକ ଅସ୍ଥିରତା ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରିଛନ୍ତି । ସଂଧ୍ୟା ୫ଟାରେ ହୋଇଥିବା ବୈଠକରେ ମୁମ୍ବାଇରେ ଥିବା ମନ୍ତ୍ରୀମାନେ ଯୋଗଦେଇଛନ୍ତି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏହାପୂର୍ବରୁ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଖୋଲାଖୋଲି ଭାବେ ଆଲୋଚନା ପାଇଁ ଆହ୍ୱାନ ଦେଇଛନ୍ତି ଠାକରେ । ଗୁଆହାଟୀରେ କିଛି ବିଧାୟକ ବନ୍ଧକ ହୋଇ ରହିଥିବା ନେଇ ଖବର ଆସୁଛି । ଏଣୁ ସମସ୍ତେ ଆସି ଏକାଠି ବସି ସମସ୍ୟା ସମାଧାନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି ।

ସେପଟେ ଗୁଆହାଟୀରେ ଏକନାଥ ସିନ୍ଧେଙ୍କ ଗୋଷ୍ଠୀରେ ସର୍ବଶେଷରେ ଯୋଗ ଦେଇଥିବା ବିଧାୟକ ଉଦୟ ସାଓ୍ୱନ୍ତ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ ନିଜ ଇଛାରେ ଗୁଆହାଟୀ ଆସିଥିବା କହିଛନ୍ତି । ଏହାସହ ଏନ୍‌ସିପି ଓ କଂଗ୍ରେସ ବିରୋଧରେ ଅଭିଯୋଗ ଆଣିଛନ୍ତି । ଦୁଇ ଦଳ ଶିବସେନାକୁ ଧ୍ୱଂସ କରିବା ଲାଗି ଷଡ଼ଯନ୍ତ୍ର କରୁଥିବା ସେ କହିଛନ୍ତି । ଏହି ଦୁଇ ଦଳର ଷଡ଼ଯନ୍ତ୍ରରେ ପେଷି ହୋଇ ସେ ଗୁଆହାଟୀ ଆସିଥିବା କହିଛନ୍ତି ।

ମହାରାଷ୍ଟ୍ରରେ ଶାସକ ଶିବସେନାରେ ଆଭ୍ୟନ୍ତରୀଣ କନ୍ଦଳ ଜୋର ଧରିଥିବା ବେଳେ ବିଜେପି ମଧ୍ୟ ସକ୍ରିୟ ହୋଇ ଉଠିଛି । ବିଦ୍ରୋହୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀକୁ ସମର୍ଥନ ଦିଆଯିବ କି ନାହି କିମ୍ବା ସେମାନଙ୍କଠାରୁ ସମର୍ଥନ ନେଇ ସରକାର ଗଠନ କରିବେ, ଏନେଇ ବିଜେପି ଭିତରେ ରଣନୀତି ଚାଲିଛି । ଏନେଇ ଅଧିକରୁ ଅଧିକ ବିଚାରବିମର୍ଶ କରୁଛି ରାଜ୍ୟ ବିଜେପି । ସେପଟେ ବରିଷ୍ଠ ନେତା ସୁଧିର ମୁଙ୍ଗନ୍ତିଓ୍ୱାର କହିଛନ୍ତି ଯେ, ଦଳର କୋର କମିଟି ବୈଠକ ବସି ଏନେଇ ନିଷ୍ପତ୍ତି ନିଆଯିବ ।

ତେବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଲାଗି ବିଜେପିର କୌଣସି ଆବଶ୍ୟକତା ନାହିଁ । ହେଲେ ମହାବିକାଶ ଅଘାଡ଼ି ସରକାରର ପରବର୍ତ୍ତୀ ପଦକ୍ଷେପକୁ ଦଳ ଅପେକ୍ଷା କରିଛି ବୋଲି ସେ କହିଛନ୍ତି । ଯେତେବେଳେ ଠାକରେଙ୍କ ନେତୃତ୍ୱାଧିନ ମହା ବିକାଶ ଅଘାଡ଼ି ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇନପାରି ସଂଖ୍ୟାଲଘୁ ସରକାରରେ ପରିଣତ ହଇଥିବା ନେଇ ଘୋଷଣା କରିବେ, ତା’ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପିର ବରିଷ୍ଠ ନେତା ପ୍ରବୀଣ ଦାରେକର କହିଛନ୍ତି ଯେ, ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । ମହାବିକାଶ ଅଘାଡ଼ି ସରକାର ସଂଖ୍ୟାଲଘୁ ସରକାରରେ ପରିଣତ ହୋଇଛି । ଏହାସତ୍ତ୍ୱେ ସେମାନେ ଦୈନିକ ୨୦୦ରୁ ୩୦୦ ଜିଆର୍ ଇସ୍ୟୁ କରୁଛନ୍ତି । ଜନସାଧାରଣଙ୍କ ଟଙ୍କା ଏଭଳି ନଷ୍ଟ ନ କରିବା ଲାଗି ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି ବୋଲି ସେ କହିଛନ୍ତି ।

ବିଦ୍ରୋହୀ ନେତାଙ୍କ ଉପରେ ଆଜି ପୁଣି ବର୍ଷିଛନ୍ତି ଶିବସେନା ନେତା ତଥା ମନ୍ତ୍ରୀ ଆଦିତ୍ୟ ଠାକରେ । ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ୧୫ ଜଣ ବିଧାୟକଙ୍କୁ ଅପହରଣ କରି ନେଇ ରଖାଯାଇଛି । ସେମାନେ ଫେରି ଆସିବାକୁ ଚାହୁଁଛନ୍ତି ବୋଲି ଆଦିତ୍ୟ କହିଛନ୍ତି । ଏହାପୂର୍ବରୁ ଆଦିତ୍ୟ କହିଥିଲେ ଯେ, ବିଶ୍ୱାସଘାତକ କେବେ ବି ଜିତିପାରନ୍ତି ନାହିଁ । କିଛି ବିଧାୟକ ଦଳ ସହ ବିଶ୍ୱାସଘାତ କରିଛନ୍ତି ବୋଲି ସେ କହିଛନ୍ତି ।