/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695654906.jpg)
Pratap Jena
ବଢ଼ିଲା ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ । ଏଥର ଟଣାହେବେ ବିଚାର ପ୍ରକ୍ରିୟାର କାଠଗଡ଼ାକୁ । କାହିଁକି ଓ କାହା ନିର୍ଦ୍ଦେଶରେ ବିଜେପି ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା ? କ’ଣ ଥିଲା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭୂମିକା ? ଗୁମର ଖୋଲିବ ବହୁଚର୍ଚ୍ଚିତ Call Details Report ତଥା CDR ।
ପ୍ରତାପ ଜେନାଙ୍କ ବିରୋଧରେ ଏଣିକି ଚାଲିବ ଧର୍ତ୍ତବ୍ୟ ଅପରାଧ ମାମଲା । ପ୍ରତାପ ଜେନାଙ୍କ ବିରୋଧରେ ଦଫା ୩୦୨, ୫୦୬, ୧୨୦ (B) ତଥା ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଏବଂ ଧମକ ତଥା ଆଦି ସଂଗୀନ ଦଫା ଲଗାଇ ମାମଲା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ କୋର୍ଟ ଗ୍ରହଣ କରିବା ସହ ସେ ଯେହେତୁ ବିଧାୟକ, ତେଣୁ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
୨୦୨୧, ଜାନୁୟାରୀ ୨ । ବିଜେପି ନେତା କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳ ବାଇକରେ ଫେରୁଥିବାବେଳେ ଅତି ବୀଭତ୍ସ ଭାବେ ସଂଘବଦ୍ଧ ହତ୍ୟା କରାଯାଇଥିଲା। ଏହି ଘଟଣାରେ ତତ୍କାଳୀନ ମନ୍ତ୍ରୀ ତଥା ବର୍ତ୍ତମାନ ବିଧାୟକ ପ୍ରତାପ ଜେନାଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଏତଲା ହୋଇଥିଲା ମାହାଙ୍ଗା ଥାନାରେ। ଏତଲାରେ ୧୩ ନମ୍ବର ଅଭିଯୁକ୍ତ ଥିଲେ ପ୍ରତାପ ଜେନା।
ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା କଟକ ଜଗତପୁର ଟାଙ୍ଗି ନିକଟରେ। ଫେରାର ହେବାର କିଛିଦିନ ପରେ ଟ୍ରକ୍ ଧକ୍କାରେ ୨୦୨୧ ଫେବ୍ରୁୟାରୀ ୬ରେ ତାଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷେ ଡବଲ ମର୍ଡର ମାମଲାରେ ଦୁଇ ଦୁଇ ଥର ପୋଲିସ ତଦନ୍ତ ରିପୋର୍ଟରେ, ଏପରିକି ଚାର୍ଜସିଟରେ ପ୍ରତାପ ଜେନାଙ୍କ ନାଁକୁ ବାଦ୍ ଦେଇଥିଲା । ପରବର୍ତ୍ତୀ ସମୟରେ ତଥା ୨୦୨୧ ସେପଟେମ୍ବରରେ ଆଉ ଏକ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରିଥିଲେ କୁଳମଣିଙ୍କ ବଡ଼ପୁଅ ରମାକାନ୍ତ।
ଏହି ପିଟିସିନ ଆଧାରରେ କଲ୍ ଡିଟେଲ୍ସ ରିପୋର୍ଟ-CDR ସଂରକ୍ଷିତ ରଖାଯାଇଥିଲା। କିନ୍ତୁ ଦୁର୍ଯୋଗକୁ ୨୦୨୩ ଜାନୁୟାରୀରେ ପ୍ରାଣ ହରାଇଥିଲେ ରମାକାନ୍ତ। ରମାକାନ୍ତଙ୍କ ବିୟୋଗ ପରେ ତାଙ୍କ ସାନଭାଇ ରଞ୍ଜିତ ନିଜେ ମାମଲା ଲଢ଼ିବା ସହ ଆଉ ଏକ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ CDR ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ବିଧାୟକ ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ନିବେଦନ କରିଥିଲେ।
ଶେଷରେ CDR ରିପୋର୍ଟର ତଥ୍ୟ ଏବଂ ୫ଜଣ ସାକ୍ଷୀଙ୍କ ବୟାନଭିତ୍ତିରେ ଆଜି ସାଲେପୁର JMFC କୋର୍ଟ ପ୍ରତାପ ଜେନାଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବା ସହ ତାଙ୍କ ବିରୋଧରେ ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସାଲେପୁର JMFC କୋର୍ଟଙ୍କ ରାୟପରେ ଏବେ ଆରମ୍ଭ ହୋଇଛି ରାଜନୈତିକ ବୟାନ ବାଜି। ଏହା ମାହାଙ୍ଗାବାସୀଙ୍କର ବିଜୟ ବୋଲି କଂଗ୍ରେସ କହିବା ସହ ତୁରନ୍ତ ପ୍ରତାପ ଜେନାଙ୍କୁ ଗିରଫ କରିବାକୁ ଦାବି କରିଛି । ତେବେ ଏ ସଂପର୍କରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିନଥିବାବେଳେ ବିଧାୟକ ପ୍ରତାପ ଜେନା ପ୍ରଶ୍ନକୁ ଏଡ଼ାଇ ଚାଲିଯାଉଛନ୍ତି। ଏବେ ଅପେକ୍ଷା, ଡବଲ ମର୍ଡର ମାମଲାରେ ପ୍ରତାପ ଜେନା ଛନ୍ଦି ହେବା ପରେ ଆଗକୁ ତାଙ୍କ ଦଳ ଓ ନବୀନ ସରକାର କି ଆଭିମୁଖ୍ୟ ନେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)