• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ବିଜେପିର ବିରାଟ ବିଜୟ । ୨୩୦ ଆସନରୁ ୧୬୫ ଆସନ ଅର୍ଥାତ ଦୁଇ ତୃତୀୟାଂଶରୁ ଅଧିକ ସିଟ୍ ଜିତିଛି ବିଜେପି । କଂଗ୍ରେସ ଗତଥର ଅପେକ୍ଷା ପ୍ରାୟ ୫୦ ସିଟ୍ ହରାଇଛି । କୁହାଯାଉଛି ଲୋକପ୍ରିୟ ଲାଡଲି ବେହେନା ଯୋଜନା ପାଇଁ ବିଜେପି ଏଠି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ହେଲେ ଶିବରାଜ ସିଂ ଚୌହ୍ୱାନ ହିଁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ, ନା ଆଉ କିଏ ନୂଆ ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ତେଲେଙ୍ଗାନାରେ ବଦଳିଲା ସତ୍ତା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଖସିଲା । ହେଲେ ମଧ୍ୟପ୍ରଦେଶରେ କିନ୍ତୁ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ହେଲେ ଫଳାଫଳରେ ବିଜେପିର ହେଲା ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ର । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ମ୍ୟାଜିକ୍ ନମ୍ବର ୧୧୬ଠୁ ଢେର ଆଗକୁ ଯାଇ ବୃହତ୍ ସଫଳତା ହାସଲ କରିଛି ବିଜେପି ।

କଂଗ୍ରେସକୁ ଗତ ଥର ତୁଳନାରେ ୫୦ରୁ ଅଧିକ ସିଟ୍ ହରାଇବାକୁ ପଡିଛି । ଆଉ ବହୁମତ ହାସଲ ପରେ ମଧ୍ୟପ୍ରଦେଶ ବିଜେପି କରିଛି ସେଲିବ୍ରେସନ । ମୋଦି ମୋଦି ନାରାରେ କଂପୁଛି ପରିବେଶ । ତା’ ସହ ଭୋପାଳ ବିଜେପି ମୁଖ୍ୟାଳୟ ଆଗରେ ଯେଉଁ ପୋଷ୍ଟରରେ କ୍ଷୀରାଭିଷେକ ହେଉଛି, ସେଥିରେ ହନୁମାନ ରୂପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌଦ୍ୱାନଙ୍କ କାନ୍ଧରେ ବିରାଜମାନ କରିଛନ୍ତି ରାମ-ଲକ୍ଷ୍ମଣ ରୂପୀ ମୋଦି-ଶାହ । ନେତା- କାର୍ଯ୍ୟକର୍ତ୍ତା ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା- ମୋଦିଙ୍କ ମନରେ ଯେମିତି ମଧ୍ୟପ୍ରଦେଶ । ସେମିତି ମଧ୍ୟପ୍ରଦେଶ ମନରେ ରହିଛି ମୋଦି । କେନ୍ଦ୍ରରେ ମୋଦିଙ୍କ ବିକାଶ ଓ ରାଜ୍ୟରେ ଶିବରାଜ ସରକାରର ବିଶ୍ୱାସ ଭୋଟରଙ୍କ ଉପରେ ଜବରଦସ୍ତ ପ୍ରତିଫଳିତ ହୋଇଛି ।

ଆଜି ଭୋଟ୍ ଗଣତି ହୋଇଥିବା ତିନି ରାଜ୍ୟରେ ସତ୍ତା ବଦଳିଥିବାବେଳେ କେମିତି ମଧ୍ୟପ୍ରଦେଶରେ ଗଡ଼ ବଜାୟ ରଖିବାରେ ସଫଳ ହେଲା ବିଜେପି ? ମୋଦି ମ୍ୟାଜିକ୍ ନା ଶିବରାଜଙ୍କ ସ୍କିମ୍ ଭୋଟରଙ୍କୁ କଲା କିମିଆ ? ରାଜନୀତି ବିଶେଷଜ୍ଞ ମତରେ- ମାମାଙ୍କୁ ମିଳିଲା ଲାଡଲିଙ୍କ ସାଥ୍ । ଅର୍ଥାତ୍ ମାର୍ଚ୍ଚ ୨୦୨0ରେ ଶିବରାଜ ସିଂ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ରାଜ୍ୟରେ ଲାଗୁ କରିଥିବା ଲାଡଲି ବେହେନା ଯୋଜନା ମହିଳା ଭୋଟରଙ୍କୁ ବେଶି ଆକୃଷ୍ଟ କରିଛି । ଏ ଯୋଜନାରେ ମାସକୁ ରାଜ୍ୟର ପ୍ରତି ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧା ୧୨୫୦ ଟଙ୍କା ପ୍ରଦାନ କରାଯାଉଛି ।

ଆଜି ଜିତୁ ଜିତୁ ବି ମହିଳାଙ୍କୁ ଭେଟି ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଶିବରାଜ । ତେବେ ଏସବୁ ଭିତରେ ପ୍ରଶ୍ନ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ରହିବେ ନା ଆଉ କିଏ ହେବେ ? ଶିବରାଜଙ୍କ ସହ କୈଳାସ ବିଜୟବର୍ଗିଆ, ଜ୍ୟୋତିରାଦିତ୍ୟା ସିନ୍ଧିଆ ଓ ନରେନ୍ଦ୍ର ସିଂ ତୋମର ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି । ତେବେ ଦଳ ଯାହାକୁ ଚାହିଁବ ସେ ହିଁ ଦାୟିତ୍ୱ ନେବ ବୋଲି କହୁଛନ୍ତି ନେତା । ସେପଟେ କଂଗ୍ରେସ କହିଛି ଜନତାଙ୍କ ରାୟକୁ ଦଳ ସ୍ୱାଗତ କରିଛି ।

୨୦୧୮ରେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୧୧୪ ସିଟ୍ ଜିତି କ୍ଷମତାକୁ ଆସିଥିଲା କଂଗ୍ରେସ । ମୁଖ୍ୟମନ୍ତ୍ରୀ ହୋଇଥିଲେ କମଲନାଥ । ହେଲେ ଦୁଇ ବର୍ଷ ନପୂରୁଣୁ ମାର୍ଚ୍ଚ ୨୦୨୦ରେ କଂଗ୍ରେସର ୨୨ଜଣ ବିଧାୟକ ଇସ୍ତଫା ଦେବାରୁ ଭୁଶୁଡ଼ି ପଡ଼ିଥିଲା ସରକାର । ବିଧାନସଭାରେ ବହୁମତ ପ୍ରମାଣ ଦେଇ କ୍ଷମତାକୁ ଆସିଥିଲା ବିଜେପି ଓ ମୁଖ୍ୟମନ୍ତ୍ରୀ ହୋଇଥିଲେ ଶିବରାଜ ସିଂ ଚୌହ୍ୱାନ । ସେବେଠୁ ବିଜେପି ପୂର୍ଣ୍ଣ ବହୁମତ ସହ କ୍ଷମତା ଦଖଲ ଲାଗି ରଣନୀତି କରି ଚାଲିଥିଲା, ଯାହା ଆଜି ସଫଳ ହୋଇଛି ।