• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ BJP ନେତା ଶିବରାଜ ସିଂ ଚୌହାନ । ଆଜି କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ । ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନାଁ ନେଇ କଡ଼ା ସମାଲୋଚନା କରିଛନ୍ତି ଶିବରାଜ । ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଛନ୍ତି ଶିବରାଜ ।

‘ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି’ ବୋଲି କହିଛନ୍ତି ଶିବରାଜ । ‘ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଛନ୍ତି’। ‘ବେଲଗାମ ଅଧିକାରୀ ସାରା ଓଡ଼ିଶାକୁ ଭ୍ରଷ୍ଟାଚାରରେ ବୁଡ଼ାଇଛନ୍ତି’। ଓଡ଼ିଶାରେ ମହିଳା ଅସୁରକ୍ଷିତ, ମା ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି କହିଛନ୍ତି ଶିବରାଜ ।

ଅନ୍ୟପଟେ ଓଡ଼ିଶାରେ ବିଜେପି ବହୁମତ ସହ ସରକାର କରିବ କହିଲେ ଶିବରାଜ । ଲୋକସଭାରେ ବିଜେପି ବିପୁଳ ଭୋଟ ପାଇବ ବୋଲି କହିଛନ୍ତି । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି । ଓଡ଼ିଶାରେ ବିଜେପି ପୂରା ତାକତ୍‌ରେ ଲଢ଼ିବ, ସରକାର ଗଢ଼ିବ ବୋଲି କହିଛନ୍ତି ଶିବରାଜ ।

ସେପଟେ ଓଡ଼ିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି ବୋଲି ଅଭିଯୋଗ କରିଛନ୍ତି ଶିବରାଜ । ‘ମୋଦି ଟଙ୍କା ଦେଉଛନ୍ତି, ନବୀନ ତା ଉପରେ ଥାପ୍ପା ଲଗାଉଛନ୍ତି’। ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ଡିଂ କରୁଛନ୍ତି ବୋଲି ଶିବରାଜ ଅଭିଯୋଗ କରିଛନ୍ତି । ସାଧାରଣ ଲୋକ ଏକଥା ଜାଣିସାରିଲେଣି ବୋଲି ସିଧା କହିଛନ୍ତି ଶିବରାଜ ।

ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ । ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।