• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅର୍ଚ୍ଚନା ନାଗଫାଶ ପ୍ରସଙ୍ଗରେ ବିଜେପିର ରଣ ହୁଙ୍କାର । ବ୍ୟଭିଚାରୀ ନେତା, ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ୪୮ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନିଅ । ନହେଲେ ରାଜ୍ୟବ୍ୟାପୀ ଦୁର୍ବାର ଆନ୍ଦୋଳନ ସହ ନବୀନ ନିବାସ ଘେରାଉ । ପୋଲିସ କମିଶନରଙ୍କ ଅଫିସ ଆଗରେ ୨୪ ଘଣ୍ଟିଆ ଅହୋରାତ୍ର ଧାରଣା ପରେ ଆଜି ରାଜ୍ୟ ସରକାରଙ୍କୁ ଏମିତି ଢଙ୍ଗରେ ଚେତାବନୀ ଦେଇଛି ବିଜେପି ।

ବିଜେପି ଅଭିଯୋଗ କରିଛି ଯେ, ଅର୍ଚ୍ଚନା ନାଗ କେଳେଙ୍କାରୀରେ ସଂପୃକ୍ତ ବିଜେଡି ନେତା, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟଭିଚାରକୁ ଘଣ୍ଟ ଘୋଡ଼ାଇବାର ଉଦ୍ୟମ ଚାଲିଛି । ଗୁମର ପଦାରେ ପଡ଼ିବା ଡରରେ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁର କଳା ସାମ୍ରାଜ୍ୟରେ ହାତ ମାରିବାକୁ ଚାହୁଁନାହାନ୍ତି ସରକାର । ସେହିପରି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ମଧ୍ୟ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତି ଥିବାରୁ ତଦନ୍ତକୁ ବାଟବଣା କରାଯାଉଥିବା ଦଳ ଅଭିଯୋଗ କରିଛିି । ତେଣୁ ଆଗାମୀ ୪୮ ଘଣ୍ଟା ଭିତରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେଲେ ଦଳ ରାଜ୍ୟର ସମସ୍ତ ସବ୍ଡ଼ିଭିଜନ୍ ଓ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ କରିବା ସାଙ୍ଗକୁ ଆସନ୍ତା ୩୧ ତାରିଖରେ ନବୀନ ନିବାସ ଘେରିବ ବୋଲି ଧମକ ଦେଇଛି ।

ଏପଟେ ଦିନକ ତଳେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଜଗବନ୍ଧୁ ଓ ପୂର୍ବରୁ ସେଇ ଜେଲ୍‌ରେ ଥିବା ଅର୍ଚ୍ଚନାଙ୍କ ଭିତରେ ଆଜି ଜେଲ୍ ଭିତରେ ପ୍ରଥମଥର ପାଇଁ ଦେଖାସାକ୍ଷାତ ହୋଇଛିି । ଦିନ ପ୍ରାୟ ୧୧ଟା ୧୫ରେ ଝାରପଡ଼ା ଜେଲ୍ ପରିସରରେ ଥିବା କାର୍ଯ୍ୟାଳୟ ଭିତରେ ଏଇ ଭେଟାଭେଟିର ବ୍ୟବସ୍ଥା ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଏହି ସମୟରେ ଜଗବନ୍ଧୁକୁ ଦେଖି କୁଆଡ଼େ କାନ୍ଦି ପକେଇଥିଲେ ଅର୍ଚ୍ଚନା ।

ଏହାପରେ ଦୁହିଁଙ୍କ ଭିତରେ କିଛି ଏମିତି ହୋଇଥିଲା କଥାବାର୍ତ୍ତା...

ଅର୍ଚ୍ଚନା- ଦେହ କେମିତି ଅଛି
ଜଗବନ୍ଧୁ- ଭଲ ଅଛି କଥା ହେଲେ ବେଳେ ଟିକେ କଷ୍ଟ ଲାଗୁଛି
ଅର୍ଚ୍ଚନା- ପୁଅ କେମିତି ଅଛି, କାହା ପାଖରେ ଅଛି
ଜଗବନ୍ଧୁ- ଘରେ ଅଛି ଭଲ ଅଛି, ଘରେ ମାଆ ଅଛନ୍ତି
ଅର୍ଚ୍ଚନା- ଓକିଲଙ୍କ ସହ କଥା ହୋଇଥିଲ
ଜଗବନ୍ଧୁ- ହଁ ମହାପାତ୍ର ବାବୁଙ୍କୁ କହିଥିଲି, ସେ ସେସନ୍ସକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି
ଜଗବନ୍ଧୁ- ତମ ଦେହ କେମିତି ଅଛି, ଖାଇବା ଠିକ୍‌ଠାକ କ୍ କରୁଛ ତ
ଅର୍ଚ୍ଚନା- ହଁ ସେମିତି
ଜଗବନ୍ଧୁ- ପୋଲିସ୍ ସବୁ ନେଇ ଯାଇଛନ୍ତି ମୋବାଇଲ୍, ଡାଏରୀ, ପେନ୍ ଡ୍ରାଇଭ୍, ସବୁ...
ଅର୍ଚ୍ଚନା- ହଁ ଟିଭିରେ ଦେଖୁଥିଲି

ତେବେ କୁହାଯାଉଛି ଏମିତି ପ୍ରାୟ ୨୦ ମିନିଟ୍ ଧରି ଉଭୟଙ୍କ ଭିତରେ କଥାବାର୍ତ୍ତା ପରେ ପରସ୍ପରଙ୍କୁ ଅଲଗା କରାଯାଇଥିଲା । ଜେଲ୍ ଡିଆଇଜିଙ୍କ ସୂଚନା ଅନୁଯାୟୀ, ଏହି ଆଲୋଚନା ବେଳେ ଜେଲ୍ ସୁପରିଟେଣ୍ଡେଣ୍ଟ, ଜେଲର ଓ ଦୁଇଜଣ ଓ୍ୱାର୍ଡର ଉପସ୍ଥିତି ଥିଲେ ।