• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: କେବେ ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? କେବେ ରେଳପଥରେ ଯୋଡ଼ି ହେବ ପୂର୍ବ ଓ ପଶ୍ଚିମ ଓଡିଶା ? ୨୭ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କେବେ ସରିବ ? ତାକୁ ନେଇ ଅନିଶ୍ଚିତତା ଭିତରେ ସାମନାକୁ ଆସିଛି ନୂଆ କେଁ । ଇଷ୍ଟକୋଷ୍ଟ ରେଲେଓ୍ୱକୁ ବିନିଯୋଗ ପ୍ରମାଣପତ୍ର ମାଗିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସେହିପରି ପ୍ରକଳ୍ପ ଲାଗି ଆବଶ୍ୟକ ୮୦ ପ୍ରତିଶତ ଜମି ଅଧିଗ୍ରହଣ କରି ରେଲେଓ୍ୱକୁ ହସ୍ତାନ୍ତର କରିଛନ୍ତି । ହେଲେ ପୂର୍ବତଟ ରେଲେଓ୍ୱ ପକ୍ଷରୁ ଏଯାଏଁ ବିନିଯୋଗ ପ୍ରମାଣପତ୍ର ବା ୟୁସି ଦିଆଯାଇ ନାହିଁ ।

ତା’ସହିତ ପ୍ରକଳ୍ପ ବାବଦରେ ଆଗାମୀ ଦିନର ଖର୍ଚ୍ଚ ଲାଗି ରାଜ୍ୟ ସରକାର କେତେ ଅର୍ଥ ଦେବେ, ତାର ଆକଳନ ବି ଦିଆଯାଇ ନାହିଁ । ତେଣୁ ୨୦୨୨-୨୩ ବର୍ଷ ବଜେଟ୍‌ରେ ବ୍ୟୟବରାଦ କରିବାରେ ସମସ୍ୟା ସୃଷ୍ଟି ହେବ ବୋଲି ରାଜ୍ୟ ସରକାର ରେଲେଓ୍ୱକୁ ଦର୍ଶାଇଛନ୍ତି । ଏପଟେ ପ୍ରକଳ୍ପ ଲାଗି ମାଗଣା ଜମି ଓ ୫୦ ପ୍ରତିଶତ ଅର୍ଥ ଦେବାକୁ ଚୁକ୍ତି ହୋଇଥିବା ବେଳେ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଥିବା ପରିବହନ ମନ୍ତ୍ରୀ କହିଛନ୍ତି ।

୧୯୯୪-୯୫ ମସିହାରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ହେଲେ ୨୭ ବର୍ଷ ପରେ ବି ଶେଷ ହୋଇନି ନିର୍ମାଣ କାମ । ତେବେ ପ୍ରକଳ୍ପ କାମ ତ୍ୱରାନ୍ୱିତ ନେଇ ୨୦୧୫ରେ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ୨୦୨୧ରେ କାମ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ପ୍ରକଳ୍ପ ଯେଉଁ ଗତିରେ ଆଗକୁ ବଢୁଛି ଖୋର୍ଦ୍ଧାରୁ ବଲାଙ୍ଗିର ଯାଏଁ ନିର୍ମାଣ ସରିବାକୁ ଆହୁରି ଅନେକ ବର୍ଷ ଲାଗିବ । କାରଣ ୨୮୯ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପର ଖୋର୍ଦ୍ଧା ରୋଡରୁ ମହିପୁର ଯାଏଁ ୭୭ କିଲୋମିଟର ଟ୍ରାକ୍‌ର ନିର୍ମାଣ ସରିଛି ।

ସେପଟେ ବଲାଙ୍ଗିର ପଟୁ ବିଛୁପାଲି ୧୬ କିଲୋମିଟର ଟ୍ରାକ୍ କାମ ଶେଷ ହୋଇଛି । ଏବେ ମହିପୁରଠାରୁ ଦଶପଲ୍ଲାଆଡକୁ ୯୧ କିଲୋମିଟର ଟ୍ରାକ୍‌ ନିର୍ମାଣ କାମ ଜାରି ରହିଛି। ଅର୍ଥାତ୍ ଦଶପଲ୍ଲାରୁ ବୌଦ୍ଧ ଯାଏଁ ଶହେ କିଲୋମିଟରରୁ ଅଧିକ ଟ୍ରାକ୍‌ର କାମ ଆଦୌ ଆରମ୍ଭ ହୋଇନାହିଁ । ଏହି ଅଞ୍ଚଳରେ ଜଙ୍ଗଲ କିସମ ଜମି ଥିବାରୁ ଜମି ଅଧିଗ୍ରହଣ ରାସ୍ତାରେ ପ୍ରତିବନ୍ଧକ ରହିଛି ।

ଏପଟେ ପ୍ରକଳ୍ପ କାମ ମନ୍ଥର ଗତିରେ ଚାଲିବାକୁ ନେଇ ତେଜିଛି ରାଜନୀତି । ବିଜେଡି କେନ୍ଦ୍ର ଉପରେ ଦୋଷ ଲଦି ଥିବା ବେଳେ ବିଜେପି ରାଜ୍ୟ ସରକାରଙ୍କୁ ପାଲଟା ଦୋଷ ଦେଇଛି । କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା କଥା କହି ସମାଲୋଚନା କରିଛି ।

ଖୋର୍ଦ୍ଧା- ବଲାଙ୍ଗିର ରେଳପଥ ନିର୍ମାଣରେ ପ୍ରାୟ ୨ହଜାର କୋଟି ଖର୍ଚ୍ଚ ହେବ ବୋଲି ୨୦୧୫ରେ ଆକଳନ କରାଯାଇଥିଲା । ତେବେ ପ୍ରକଳ୍ପ କାମରେ ବିଳମ୍ବକୁ ନେଇ ଖର୍ଚ୍ଚ ପରିମାଣ ବଢିଚାଲିଛି ।