• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୌମ୍ୟଙ୍କ ଟାର୍ଗେଟ୍‌ରେ ବିଜେଡି । ଅନୁଭବଙ୍କ ପରେ ଗତକାଲି ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ଆଜି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଫାଇଭ୍‌ଟି ସଚିବଙ୍କୁ ସୌମ୍ୟଙ୍କ ଆକ୍ରମଣ ପରେ ଜଣକ ପରେ ଜଣେ ବିଜେଡିର ଟାଣୁଆ ନେତା ସୌମ୍ୟଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ସୌମ୍ୟଙ୍କୁ ବ୍ଲାକ୍ ମେଲର ଆଖ୍ୟା ଦେବା ସହ ନିଜ ବ୍ୟକ୍ତିଗତ ମତ ରଖୁଥିବା କହି ଧୁମ୍ ବର୍ଷିଛନ୍ତି । କହିଛନ୍ତି, ତାଙ୍କ ସମ୍ପାଦକୀୟର ପ୍ରଭାବ ଲୋକଙ୍କ ଉପରେ ପଡିବନି ।

ସେ କ’ଣ ଓ କେତେଥର ଦଳ ପରିବର୍ତ୍ତନ କରିଛନ୍ତି ତାହା ସମସ୍ତଙ୍କୁ ଜଣା । ଫାଇଭଟି ସଚିବଙ୍କୁ ସୁରକ୍ଷା ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖକୁ ଯାଇ ଅଭିଯୋଗ ସଂଗ୍ରହ କଲା । ଏଥିରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ସୌମ୍ୟ ବି ଛାଡ଼ି ନାହାନ୍ତି । ଜୋରଦାର କାଉଣ୍ଟର କରି କହିଛନ୍ତି, ମୁଁ ଯାହା କହୁଛି ତାହା ଦଳର ସ୍ୱାର୍ଥ ପାଇଁ କହୁଛି । ମୋ ବିରୋଧରେ କହିବାକୁ ଏମାନଙ୍କୁ ଚାପ ପଡୁଛି ।

ଆଉ କଥା ରହିଲା ବାରମ୍ୱାର ମତ ପରିବର୍ତ୍ତନର, ଏହା ଏକ ସ୍ୱାଭାବିକ ପ୍ରକ୍ରିୟା, ପରିବର୍ତ୍ତିତ ପରିସ୍ଥିତିରେ ପରିବର୍ତ୍ତିତ ମତ ରଖାଯାଏ । ନବୀନ ବାବୁ ବି ୧୫ ଦିନରେ ମତ ବଦଳାନ୍ତି । ଗୋଟିଏ ପଟେ ଆମେ ବିଜେପିକୁ ବିରୋଧ କରୁଛୁ, ହେଲେ କେନ୍ଦ୍ରରେ ଦିଲ୍ଲୀ ଅର୍ଡିନାନ୍ସ ବିଲ୍ କୁ ସମର୍ଥନ ଓ ମୋଦି ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବକୁ ବି ଆମେ ବିରୋଧ କଲୁ କହିକଟାକ୍ଷ କରିଛନ୍ତି ସୌମ୍ୟ ।

ସେପଟେ ବିଜେଡିରେ ସୌମ୍ୟ ସୋ'କୁ ଦେଖି ବିରୋଧୀ ଶିବିର ସରଗରମ । ନିଆଁରେ ଘିଅ ଢାଳିବା ଭଳି ସୌମ୍ୟଙ୍କ ସମର୍ଥନରେ ବାହାରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ନେତା କହିଛନ୍ତି ଆତ୍ମସମ୍ମାନକୁ ଜଳାଞ୍ଜଳି ଦେଇ ଅଫିସର ପାଖରେ ଶରଣ ପସିଛନ୍ତି ବିଜେଡି ନେତା । ସୌମ୍ୟ ବାବୁ ଉଠାଇଥିବା ପ୍ରସଙ୍ଗ ଯୁକ୍ତି ଯୁକ୍ତ । ପିସିସି ସଭାପତି କହିଛନ୍ତି ସୌମ୍ୟ ପଟ୍ଟନାୟକ ଉଠାଇଥିବା ପ୍ରଶ୍ନର ଉତ୍ତର ନଦେଇ ତାଙ୍କୁ ବ୍ୟକ୍ତିଗତ ଆକ୍ରମଣ ଗ୍ରହଣୀୟ ନୁହେଁ ।

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ । ହେଲେ ଆଜି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ବି ନିଶାନା କରିଛନ୍ତି । ହେଲେ ଏଯାଏଁ ଦଳ ପକ୍ଷରୁ କାହିଁକି ଆକ୍ସନ ନେବାରେ ପଛଘୁଞ୍ଚା ? ଅସହାୟତା ପଛରେ ଅଛି କି ବିଦ୍ରୋହର ଭୟ ? ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଲା, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ସୌମ୍ୟଙ୍କ ଉପରେ ବି ଦଳ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ପରର କ୍ଷତିକୁ ମ୍ୟାନେଜ କରିବା ଦଳ ପାଇଁ ଚାଲେଞ୍ଜ ହେବ ।

ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେସନ । ଏହିପରି ଜଣେ ଜଣେ ନେତା କହି ଏକ ମାହୋଲ ବନେଇବା ପରେ ଆକ୍ସନ ମୋଡ୍‌କୁ ଆସିବେ କି ବିଜେଡି । ତା’କୁ ନେଇ ଚର୍ଚ୍ଚା ଜୋର୍ ।

  • Reported by:
  • JAGDISH DAS , SOUMYA RANJAN SAHOO , Jayendra Behera