Advertisment

Congress-Aap Conflict: କଂଗ୍ରେସ-ଆପ୍ ମଧ୍ୟରେ ଚାଲିଛି ଟଣାଓଟରା...ଭାଙ୍ଗିବ କି ଇଣ୍ଡି ମେଣ୍ଟ !

ଦିଲ୍ଲୀରେ ଆପ୍‌ ଜିତିଲେ ବି କେଜ୍ରିୱାଲ ହୋଇପାରିବେନି ମୁଖ୍ୟମନ୍ତ୍ରୀ !

author-image
Sukanti Rout
ଅଦ୍ୟତନ ହୋଇଛି
Kejriwal won't be the Chief Minister even if AAP wins in Delhi

Kejriwal won't be the Chief Minister even if AAP wins in Delhi

ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି। ନିର୍ବାଚନ ଅବ୍ୟବହିତ ପୂର୍ବରୁ କଂଗ୍ରେସ-ଆପ୍ ମଧ୍ୟରେ ଚାଲିଛି ଟଣାଓଟରା। ଏପରି କି ଇଣ୍ଡି ମେଣ୍ଟ ଭାଙ୍ଗିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସ ଠାରୁ ନେତୃତ୍ବ ନେଇ ମମତା ବାନାର୍ଜୀଙ୍କୁ ମେଣ୍ଟ ଦାୟିତ୍ବ ଦେବାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ମହାମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଅଡ଼ି ବସିଛି ଆପ୍। ଏ ନେଇ ଗୁପ୍ତ ଆଲୋଚନା ମଧ୍ୟ ଅନ୍ୟଦଳଙ୍କ ସହିତ କରୁଛି ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମତ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ଆପ୍‌ର ପ୍ରମୁଖ ନେତା ସଞ୍ଜୟ ସିଂହ ସାମ୍ବାଦିକ ସମ୍ମିଳନୀ କରି ଗୁରୁତର ଆରୋପ ଲଗାଇଛନ୍ତି। କଂଗ୍ରେସ ବିଜେପି ସହ ମିଶି କାମ କରୁଛି ବୋଲି ଆପ୍ ଅଭିଯୋଗ ଆଣିଛି।

Advertisment

କଂଗ୍ରେସ ନେତାମାନେ କ୍ରମାଗତ ଭାବେ ଆପ୍ ବିରୋଧୀ ବୟାନବାଜି କରୁଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ନାମରେ ଆପ୍ ଠକେଇ କରିଥିବା ଅଭିଯୋଗ କରିଥିଲେ। ଫଳରେ ଦୁଇ ଦଳ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ସେପଟେ ଇଣ୍ଡିଆର ସହଯୋଗୀ ଦଳ କଂଗ୍ରେସର ନେତୃତ୍ୱକୁ ପସନ୍ଦ କରୁନାହାଁନ୍ତି। ଇଣ୍ଡିଆ ଆଲାଏନ୍ସର ନେତୃତ୍ୱକୁ ନେଇ ବ୍ୟାକଫୁଟରେ ରହିଛି କଂଗ୍ରେସ। ଅଖିଳେଶ ଯାଦବ, ଶରଦ ପାୱାର, ଅରବିନ୍ଦ କେଜରିୱାଲ ଏବଂ ଲାଲୁ ଯାଦବଙ୍କ ସମେତ ଅନେକ ନେତା ମମତା ବାନାର୍ଜୀଙ୍କ ସପକ୍ଷରେ ଅଛନ୍ତି।

ଆପ୍‌ର ନିର୍ବାଚନୀ ଥୋପ

ନିର୍ବାଚନ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ‘ପୂଜାରୀ ଗ୍ରନ୍ଥୀ ସମ୍ମାନ ଯୋଜନା’ ଆରମ୍ଭ କରି ପୁଣି ଏକ ମାଷ୍ଟ୍ରରଷ୍ଟ୍ରୋକ୍‌ ଖେଳିଛନ୍ତି। ଦିଲ୍ଲୀର ପୁରୋହିତ ଏବଂ ଗୁରୁଦ୍ୱାରରେ ଥିବା ମନ୍ଦିରଗୁଡ଼ିକର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ପ୍ରତି ମାସରେ ୧୮,୦୦୦ଟଙ୍କା ଦେବାକୁ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିୱାଲ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାମରେ ପୁରୋହିତ ସର୍ବଦା ଆମ ସହିତ ଛିଡା ହୁଅନ୍ତି। ସେମାନଙ୍କ ପ୍ରତି କୌଣସି ଦଳ କି ସରକାର କେବେ ଧ୍ୟାନ ଦେଇନାହାନ୍ତି। ପୁରୋହିତ ଆମର ପରମ୍ପରାକୁ ବଞ୍ଚାଇଛନ୍ତି। ଏହି ଯୋଜନା ସେଇମାନଙ୍କ ପାଇଁ ଉତ୍ସର୍ଗୀକୃତ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମାସରେ ପୁରୋହିତଙ୍କୁ ପ୍ରାୟ ୧୮,୦୦୦ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Advertisment

ଆପ୍‌ ଜିତିଲେ ବି କେଜ୍ରିୱାଲ ହୋଇପାରିବେନି ମୁଖ୍ୟମନ୍ତ୍ରୀ !

ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଏବଂ ମହିଳା କଲ୍ୟାଣ ବିଭାଗ ଦିଲ୍ଲୀ ସରକାରଙ୍କ ଦୁଇଟି ବଡ଼ ମହିଳା ସମ୍ମାନ ଏବଂ ସଞ୍ଜୀବନୀ ଯୋଜନା ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଥିଲେ। ଏହି ବିଜ୍ଞପ୍ତି ଜାରି ହେବା ପରେ ବର୍ତ୍ତମାନ ସଞ୍ଜୀବନୀ ଯୋଜନା ଏବଂ ମହିଳା ସମ୍ମାନ ଯୋଜନା ଉପରେ ପ୍ରଶ୍ନ ଉଠିଛି। ଦିଲ୍ଲୀ ସରକାରଙ୍କ ପାଖରେ ଏଭଳି ଯୋଜନା ନାହିଁ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଚେତାବନୀ ଦେଇଛନ୍ତି। ଆମେ ଆପଣଙ୍କୁ କହିରଖୁଛୁ ଯେ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହା ନିକଟରେ ଘୋଷଣା କରିଛନ୍ତି।

ସନ୍ଦୀପ-ଅରବିନ୍ଦ ଲଢ଼େଇ !

ଆମ ଆଦମୀ ପାର୍ଟି ଦିଲ୍ଲୀରେ ପୁଣିଥରେ କ୍ଷମତା ପାଇବାକୁ ଜୋର ଲଗାଇ ଦେଇଛି। ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଆପ୍‌ ପୁଣିଥରେ ଜିତିବ। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ ଓ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ସୁପ୍ରିମକୋର୍ଟଙ୍କ ରାୟ ନେଇ କହିଛନ୍ତି, କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ ନୁହଁନ୍ତି। ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ଏବେ ତାଙ୍କର ଦୁର୍ବଳତା ପାଲଟିଛି। ସେ ସୁପ୍ରିମକୋର୍ଟଙ୍କ ସର୍ତ୍ତ କଥା ନେଇ କହିଛନ୍ତି, କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇପାରିବେନି। ସର୍ବୋଚ୍ଚ ଅଦାଲତ ରାୟରେ କହିଥିଲେ କେଜ୍ରିୱାଲ ଜେଲ୍‌ରୁ ବାହାରିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ କୌଣସି ଫାଇଲ୍‌ ସାଇନ୍ କରିପାରିବେନି। ସେ ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୁଅନ୍ତି  ଓ କୌଣସି ଦସ୍ତାବିଜ ଉପରେ ସାଇନ୍ କରନ୍ତି ତେବେ ଜାମିନ ସର୍ତ୍ତର ଉଲଂଘନ ହେବ। ତାଙ୍କୁ ଦ୍ବିତୀୟ ଥର ଜେଲ୍ ଯିବାକୁ ପଡିବ। ଉଲ୍ଲେଖନୀୟ ଯେ, ଅରବିନ୍ଦ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ଓ ଭ୍ରଷ୍ଟାଚାର ମାମଲାରେ ପୂର୍ବରୁ ଇଡି ଓ ପରେ ସିବିଆଇ ଦ୍ବାରା ଗିରଫ ହୋଇଥି‌ଲେ। ଜେଲ୍‌ରେ ରହିବା ପରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ଦେଇଛନ୍ତି। ତେବେ ତାହା ସର୍ତ୍ତମୂଳକ । ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯିବେନି। ଏହା ସହ ମୁଖ୍ୟମନ୍ତ୍ରୀ ଭାବରେ କୌଣସି ଫାଇଲ ଉପରେ ମଧ୍ୟ ସାଇନ୍ କରିବେନି ବୋଲି ସର୍ତ୍ତ ରହିଛି।

ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ !

ମିଛ ଆରୋପ ଲଗାଇ ଲୋକଙ୍କୁ କିଛି ଦିନ ଜେଲ୍‌ ପଠାଇ କ୍ଷମତାରୁ ହଟାଯାଇପାରେ। କିନ୍ତୁ ସବୁଦିନ ଲୋକଙ୍କ ସେବା କାର୍ଯ୍ୟରୁ ବଞ୍ଚିତ କରିପାରିବେ ନାହିଁ। ଏପରି କହି ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟରେ ସେ ଦିଲ୍ଲୀ ସରକାରଙ୍କ ଯୋଜନାକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି। ଏକ ଜାଲ ମାମଲାରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା କରୁଛନ୍ତି। ଆମ୍ ଆଦମୀ ପାର୍ଟି ଏକ ବଡ଼ ଦାବି କରି କହିଛି ଯେ ସିବିଆଇ-ଇଡି ଏବଂ ଇନକମ ଟ୍ୟାକ୍ସ ଦିଲ୍ଲୀ ସିଏମ ଅତିଶୀଙ୍କୁ ଗିରଫ କରିପାରେ। ପରିବହନ ବିଭାଗରେ ଆତିଶୀଙ୍କ ବିରୋଧରେ ଏକ ନକଲି ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ଆମ୍ ଆଦମୀ ପାର୍ଟିର ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା।

ତେବେ ଖାଲି ପ୍ରଚାରରେ ଲୋକଙ୍କ ପେଟ ପୂରେ ନାହିଁ। ଲୋକଙ୍କ ପାଇଁ ବିକାଶ ଦରକାର। ଆଗକୁ ସମୟ ହିଁ କହିବ, ଭୋଟର କାହା ମୁଣ୍ଡରେ ମୁକୁଟ ପିନ୍ଧାଇବେ।

-Mail id : [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Arvind Kejriwal AAP
Advertisment
Advertisment