• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କର୍ଣ୍ଣାଟକ ବିଧାନସଭାରେ କଂଗ୍ରେସ ଅଭୁତପୂର୍ବ ସଫଳତା ମିଳିଛି । ମ୍ୟାଜିକ୍‌ ନମ୍ବର ପାର୍ କରିଥିବାରୁ ଏଥର କର୍ଣ୍ଣାଟକରେ କଂଗ୍ରେସ ସରକାର କରିବ । ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ? ତାହାକୁ ନେଇ କଂଗ୍ରେସ ଦଳରେ ସ୍ୱାଭାବିକ ଭାବରେ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ରାଜ୍ୟର ୨ ଟାଣୁଆ ନେତା ସିଦ୍ଧରମୈୟା ଓ ଶିବକୁମାରଙ୍କ ମଧ୍ୟରୁ ଜଣେ କିଏ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚତ । ହେଲେ କିଏ ହେବେ? ତାହାକୁ ନେଇ ଦିଲ୍ଲୀରେ ଚାଲିଛି ମାନସମନ୍ଥନ ।

ବୃହତ ବିଜୟ ହେବା ପରେ ଦଳର ନେତାଏ ଖୁସି । ଦିଲ୍ଲୀଠୁ ପଲ୍ଲୀ ସବୁଠି ସେଲିବ୍ରେସନ୍‌ ଚାଲିଛି । ହେଲେ ମୁଖ୍ୟମନ୍ତ୍ରୀ ପଦ କାହାକୁ ଦେଲେ ଠିକ୍‌ ହେବ ସେନେଇ ଏତେ ଶୀଘ୍ର ନିଷ୍ପତ୍ତି ନେବା ହାଇକମାଣ୍ଡଙ୍କ ପକ୍ଷରେ ସହଜ ହେବ ନାହିଁ ବୋଲି କହୁଛନ୍ତି ରାଜନୈତିକ ପଣ୍ଡିତ । ପ୍ରଚାର ବେଳେ ନେତାଏ ଏକ୍‌ ଥିବା କଂଗ୍ରେସ ସନ୍ଦେଶ ଦେଇଥିଲା କିନ୍ତୁ ଏବେ ଜିତିବା ପରେ ନୂଆ ନେତା ବାଛିବା ଦଳ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ସିଦ୍ଧରମୈୟା ଓ ଶିବକୁମାର ଉଭୟେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ଏନେଇ ପ୍ରଦର୍ଶନ ଓ ନାରାବାଜି ଆରମ୍ଭ ହୋଇଛି । ନାଁ ଘୋଷଣା ପୂର୍ବରୁ ଉଭୟଙ୍କ ମଧ୍ୟରେ ପୋଷ୍ଟର ୱାର ମଧ୍ୟ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛନ୍ତି ଉଭୟଙ୍କ ସମର୍ଥକ । ଯାହା ଦଳୀୟ ନେତାଙ୍କ ଚିନ୍ତା ବଢାଇଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଦଳର ଶୀର୍ଷସ୍ତରର ନେତା ହିଁ ନିଷ୍ପତ୍ତି ନେବେ । ଏମିତିକି ଦିଲ୍ଲୀରୁ ଥରେ ଭର୍ଚୁଆଲ ମୁଡ୍‌ରେ ଆଲୋଚନ ହୋଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ହେଲେ ରାଜନୈତିକ ଅଙ୍କକଷା ଏତେ ସହଜ ହୋଇନଥିବାରୁ ନିଷ୍ପତ୍ତି ନେବାରେ ବିଳମ୍ବ ହେଉଥିବା ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି । କିନ୍ତୁ ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି , ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହେବେ ଏବଂ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । କିଛି ବଡ ବିଭାଗ ଶିବକୁମାରଙ୍କୁ ଦିଆଯାଇପାରେ । ଚର୍ଚ୍ଚା ଏତିକିରେ ସରିନି, ଉଭୟେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ରହିପାରନ୍ତି ବୋଲି ମଧ୍ୟ କୁହାଯାଉଛି । ତେବେ ବର୍ତମାନ ସୁଦ୍ଧା ନିଷ୍ପତି ହୋଇନାହିଁ କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ସିଦ୍ଧରମୈୟା ରାଜ୍ୟର ସବୁଠାରୁ ପୁରୁଖା ଓ ଅଭିଜ୍ଞ ନେତା ହୋଇଥିବାବେଳେ ଶିବକୁମାର କଂଗ୍ରେସର ସଙ୍କଟମୋଚକ ପରି କାମ କରିଛନ୍ତି । ତେଣୁ ଏବେ ସମସ୍ତଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ଉପରେ ଅଟକିଛି ।