Advertisment

କଳାହାଣ୍ଡି ରାଜନୀତିରେ ହଲଚଲ, ରାଜ୍ୟସଭା ସାଂସଦଙ୍କୁ କିଏ ଗୋଲାମଗିରି ପାଇଁ ବାଧ୍ୟ କରୁଥିଲେ ?

ସୁଜିତଙ୍କ ବିସ୍ଫୋରକ ବୟାନ ପରେ କଳାହାଣ୍ଡି ରାଜନୀତିରେ ହଲଚଲ । ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ଦାବି କଲା ବିଜେପି । ବିଜେଡିର ଜବାବ, ପ୍ରମାଣ ଦିଅନ୍ତୁ ସୁଜିତ୍ ।

author-image
Sangram Keshori Behera
undefined

Sujeet Kumar

କଳାହାଣ୍ଡି ରାଜନୀତିରେ କମ୍ପନ । ଜିଲ୍ଲାରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ । ଏବେ ଚର୍ଚ୍ଚା, ଜିଲ୍ଲାରେ ଜମି, ଖଣି, ବାଲି, ଛତୁଆ ଆଦି ମହାଦୁର୍ନୀତି ପଛରେ କିଏ ଥିଲେ ସେହି ରାଜ୍ୟସ୍ତରୀୟ ବିଜେଡି ନେତା ? କାହା ବଳରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା କଳାହାଣ୍ଡି ? 

Advertisment

ପାର୍ଟି ଆଉ ପଦ ଛାଡ଼ି ମିଡିଆ ଆଗରେ ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ପୂର୍ବ ବିଜେଡି ସରକାରର ପୋଲ୍ ଖୋଲିବା ପରେ କଳାହାଣ୍ଡି ରାଜନୀତିରେ କମ୍ପନ । କଳାହାଣ୍ଡି ଜିଲ୍ଲାରେ ଖଣି, ଜମି, ଛତୁଆ ଓ ଟେଣ୍ଡର ଫିକ୍ସିଂ ଭଳି ଦୁର୍ନୀତିରେ ସାମିଲ ଥିଲେ କେଉଁ ବିଜେଡି ନେତା? ବିଜେଡିର ଏମିତି କେଉଁ ରାଜ୍ୟସ୍ତରୀୟ ନେତା, ଯିଏ ଦଳର ରାଜ୍ୟସଭା ସାଂସଦଙ୍କୁ ଗୋଲାମଗିରି ପାଇଁ ବାଧ୍ୟ କରୁଥିଲେ? କାହା ଛତ୍ରଛାୟା ତଳେ ଲୁଚି ଜିଲ୍ଲାରେ ହରିଲୁଟ୍ କରୁଥିଲେ ଅସାଧୁ ଅଫିସର? ଦୀର୍ଘ ୧୨ ବର୍ଷ ଧରି ବିଜେଡିରେ ଖୁବ୍ ପ୍ରଭାବଶାଳୀ ଥିବା ଆଉ ଦଳର ରଣନୀତିକାର ଭାବେ କାର୍ଯ୍ୟ କରୁଥିବା ପୂର୍ବତନ ସାଂସଦ ସୁଜିତ୍ କୁମାରଙ୍କ ଏଭଳି ବିସ୍ଫୋରକ ବୟାନ ପରେ ରୋଚକ ହୋଇଛି କହାହାଣ୍ଡି ରାଜନୀତି।

ଏ ପ୍ରସଙ୍ଗରେ ଆଜି ଧର୍ମଗଡ଼ର ବିଜେପି ବିଧାୟକ ସୁଧିର ପାଟ୍ଟଯୋଶୀ ସାମ୍ନାକୁ ଆସି ସୁଜିତ ଆଣିଥିବା ଅଭିଯୋଗର ତଦନ୍ତ ହେବା ଦରକାର ବୋଲି ଖୋଲିଖୋଲି କହିଛନ୍ତି । ସୁଜିତ ଏବେ ଯେଉଁ ଅଭିଯୋଗ ଆଣିଛନ୍ତି, ବହୁ ପୂର୍ବରୁ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣିଥିବା ସେ କହିଛନ୍ତି । ଏମିତିକି 
ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ନେଇ ସେ ଏଜେଣ୍ଟ ମାଧ୍ୟମରେ ଏଠାରେ କଳା କାରବାର କରୁଥିବା ଅଭିଯୋଗ ଆଣିଛନ୍ତି ସୁଧିର। ଏନେଇ ବବି ଦାସଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ସୁଜିତ କୁମାର କାହିଁକି ଦୁର୍ନୀତିଗ୍ରସ୍ତଙ୍କ ସଂପର୍କରେ ପ୍ରମାଣ ଦେଉନାହାନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂହଦେଓ ।

Advertisment

ସେପଟେ ସୁଜିତ୍ ଏତେ ଦିନ ଯାଏଁ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଭବାନୀପଟାଣା ବିଧାୟକ ସାଗର ଦାସ କହିଛନ୍ତି, ଆଗରୁ ବିଜେଡିକୁ ନିୟନ୍ତ୍ରଣ କରୁଥିବା ଅଣଓଡ଼ିଆ ଅଫିସରଙ୍କ ପାଖ ଲୋକ ହିଁ ଏବେ ବିଜେପି ମୁହାଁ। ତେଣୁ ବିଜେପି ସହ ତାଙ୍କର ନିଶ୍ଚୟ କିଛି ଭିତିର ଲିଙ୍କ୍ ଅଛି କହି ତେରଛା ବାଣ ମାରିଛନ୍ତି ସାଗର । ବିଜେଡି ଛାଡ଼ିବା ପରେ ସୁଜିତ କଳାହାଣ୍ଡି ଜିଲ୍ଲାର ଦୁର୍ନୀତି ପ୍ରସଙ୍ଗ ଉଠାଇବା ସହିତ କିଛି ନିର୍ଦ୍ଦିଷ୍ଟ ନେତାଙ୍କୁ ଇଂଗିତ କରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କହିଛନ୍ତି ଠିକ୍ ସମୟରେ ପ୍ରମାଣ ଦେବା ସହ ସେମାନଙ୍କ ପୋଲ୍ ଖୋଲିବେ। ତେଣୁ ଚର୍ଚ୍ଚା, କଳାହାଣ୍ଡିରେ କୋଟି କୋଟି ଦୁର୍ନୀତିର କେବଳ ଟେଲର୍ ବଜାଇଥିବା ସୁଜିତ ସମ୍ପୂର୍ଣ୍ଣ ଫିଲ୍ମ କେବେ ସାମ୍ନାକୁ ଆଣୁଛନ୍ତି । 

BJD BJP
Advertisment
Advertisment