ବିଭିନ୍ନ ଆଶା ଓ ଆଶଙ୍କା ମଧ୍ୟରେ ଓଡିଶାରେ ପ୍ରଥମ କରି ସରକାର ଗଠନ କରିବାର ବର୍ଷକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ୨୦୨୫ ଜୁନ ମାସଟି ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା ! ‘ରଥଯାତ୍ରା’ ଘଟଣାରେ ଅଡୁଆ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ହଇଜା, ଗୋପାଳପୁର ଓ ଧରାକୋଟ ଭଳି ଘଟଣା ଜାତୀୟ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । ଜାତୀୟ ରାଜନୀତିରେ ବିରୋଧୀ ଦଳ ଓଡିଶା ସରକାରଙ୍କୁ ଟାର୍ଗେଟ କଲେ । ଏସବୁ ସତ୍ୱେ ବିଭିନ୍ନ ଘାତ ପ୍ରତିଘାତକୁ ସାମ୍ନା କରି ମୋହନ ସରକାର ଆଗକୁ ବଢିବାର ଉପଲବ୍ଧି ହାସଲ କରିଛନ୍ତି ।
ନିୟନ୍ତ୍ରଣକୁ ଆସିଲା ହଇଜା
୨୦୨୫ ଜୁନ ମାସରେ ଓଡ଼ିଶାରେ ହଇଜା ଆକ୍ରାନ୍ତ ଓ ମୃତ୍ୟୁ ଘଟଣା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର ପ୍ରମୁଖ କାରଣ ହୋଇଥିଲା । ଯାଜପୁରରୁ ଆରମ୍ଭ ହଇଜା କାଳକ୍ରମେ ଅନ୍ୟ ଜିଲ୍ଲାକୁ ବ୍ୟାପୀବାରେ ଲାଗିଥିଲା । ହଇଜା ମହାମାରୀ ଫଳରେ ଜୁନ ୩୦ ସୁଦ୍ଧା ପ୍ରାୟ ୨,୦୦୦ ପ୍ରଭାବିତ ଏବଂ ସର୍ବାଧିକ ୨୪ ଜଣଙ୍କ ମୃତ୍ୟୁ ଘଟିଥିବ ବୋଲି କୁହାଯାଏ । ମୁଖ୍ୟତଃ ଦୂଷିତ ଜଳ ଉତ୍ସ ଯୋଗୁଁ ଏହି ପରୀକ୍ଷିତ ନମୁନାର ୮-୧୦% କଲେରା ବୋଲି ସରକାରୀ ନିଶ୍ଚିତକରଣ ହୋଇଥିଲା ।
Also Read
ଘଟଣାକୁ ନେଇ ରାଜନୈତିକ ବିତର୍କ ତୀବ୍ର ହୋଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୧୫ ଜୁନରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, “ଦୀର୍ଘ ବର୍ଷ ଧରି ଓଡ଼ିଶାରେ ହଇଜା ଦେଖାଦେଇ ନଥିଲା । ବର୍ତ୍ତମାନ ଏହା ଭୟଙ୍କର ରୂପ ନେଇଛି । ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଓ କଟକ ଜିଲ୍ଲାରେ ହଇଜାରେ ୧୪ ଜଣଙ୍କ ମୃତ୍ୟୁ ଘଟିଲା । ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଲୋକଙ୍କ ଜୀବନ ସଙ୍କଟରେ ପଡ଼ିଛି ।”
ବିଜେଡି ସମେତ କଂଗ୍ରେସ ଓ ଅନ୍ୟ ଦଳମାନେ ମଧ୍ୟ ସରକାରଙ୍କୁ ଟାର୍ଗେଟ କଲେ । ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହେଲା । ତେବେ ସରକାରଙ୍କ ସବୁଠାରୁ ବଡ ଲକ୍ଷ୍ୟ ଥିଲା ଆଗକୁ ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ଭିତରୁ ଯେପରି ହଇଜାକୁ ଦୂରେଇ ରଖାଯିବ । ଏଥିପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଯେଉଁଥିରେ ସରକାର ସଫଳ ହେଲେ ।
ଗୋପାଳପୁର ଗଣଦୁଷ୍କର୍ମ ଘଟଣା
ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା ଗୋପାଳପୁର ଗଣଦୁଷ୍କର୍ମ ଘଟଣା। ଜୁନ ୧୬ ତାରିଖରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଏକ କଲେଜ ଛାତ୍ରୀଙ୍କ ସହ ଦଶ ଜଣ ବ୍ୟକ୍ତିଙ୍କ ଦ୍ୱାରା ଗଣଦୁଷ୍କର୍ମ ଘଟଣା ବ୍ୟାପକ ବିବାଦ ଓ ଆଲୋଚନାର ବିଷୟ ହୋଇଥିଲା । ଯଦିଓ ଘଟଣାର ୨୪ ଘଂଟା ମଧ୍ୟରେ ପୋଲିସ ଦଶ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା । ତେବେ ଘଟଣାକୁ କେନ୍ଦ୍ର କରି ଓଡିଶା କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଆବାସ ଘେରାଓ କରି ତାଙ୍କ ଇସ୍ତଫା ଦାବି କରିଥିଲା ।
ଏହା ସହିତ, ଅନ୍ୟାନ୍ୟ ରାଜନୈତିକ ଦଳ ମଧ୍ୟ ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କଲେ । ଓଡିଶା ତଥା ସାରା ଦେଶରେ ଲଜ୍ଜାଜନକ ଘଟଣା ଭାବେ ଏହା ଆଲୋଚିତ ହୋଇଛି । ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋପାଳପୁର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ପର୍ଯ୍ୟଟନ ସ୍ଥଳୀ ଓ "ଲଭର୍ସ ପଏଂଟ' ଗୁଡିକରେ ସୁରକ୍ଷା ବଢାଇବା ପାଇଁ ନିଷ୍ପତ୍ତି ହୋଇଥିବା ଦର୍ଶାଇବା ପରେ କ୍ରମଶଃ ପ୍ରସଙ୍ଗ ଥମିବାରେ ଲାଗିଲା ।
ସେପଟେ ଗୋପାଳପୁର ଘଟଣା ସହିତ ସମ୍ପର୍କ ନଥିଲେ ମଧ୍ୟ, ବ୍ରହ୍ମପୁରରେ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ବିଶ୍ୱହିନ୍ଦୁ ପରିଷଦ ନେତା ତଥା ଜଣେ ନକଲି ଡାକ୍ତର ଭବାନୀ ଶଙ୍କର ଦାସଙ୍କ ବିରୁଦ୍ଧରେ ଜଣେ ନାବାଳିକାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି ।
ରଥଯାତ୍ରା ଅଘଟଣ, ମୁଖ୍ୟମନ୍ତ୍ରୀଙ୍କ କ୍ଷମା
୨୦୨୫ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ନିକଟରେ ଅଟକି ରହିବା ଏବଂ ବଳଭଦ୍ରଙ୍କ ରଥ ବାରମ୍ବାର ମୋଡ଼ ନେବା ଲକ୍ଷ ଲକ୍ଷ ଭକ୍ତଙ୍କୁ ବ୍ୟଥିତ ଓ ମର୍ମାହତ କରିଥିଲା । ଏହା ସହିତ ଜୁନ ୨୯ ରବିବାର ଭୋର ସମୟରେ, ପୁରୀର ଶ୍ରୀ ଗୁଣ୍ଡିଚା· ମନ୍ଦିର ସମ୍ମୁଖରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ମଧ୍ୟରେ ଦଳାଚକଟା ଦ୍ୱାରା ୩ ଜଣ ଭକ୍ତଙ୍କର ମୃତ୍ୟୁ ଏବଂ ଅନେକ ଲୋକ ଆହତ ହୋଇଥିଲେ । ଏହାର ମୁଖ୍ୟ କାରଣ ଅତ୍ୟଧିକ ଭିଡ଼ ଏବଂ ଏହାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନିକ ବିଫଳତା ବୋଲି କୁହାଯାଇଛି । ଶରଧାବାଲିରେ ଭକ୍ତଙ୍କ ଉତ୍କଣ୍ଠା ଓ ବ୍ୟଗ୍ରତା ଯୋଗୁଁ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।
ଅନେକ ବୁଦ୍ଧିଜୀବୀ ଓ ରାଜନୈତିକ ନେତା ରାଜ୍ୟ ସରକାର ଓ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି । ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା କର୍ମରୀଙ୍କ ନିଷ୍କ୍ରିୟତା ଏବଂ ଅପ୍ରସ୍ତୁତି ଯୋଗୁଁ ଏହି ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଏହା ପୂର୍ବରୁ ମହାପ୍ରଭୁଙ୍କ ପାଇଁ ଲାଗି ହେବାକୁ ଥିବା ମୋଦକ ଚୋରି ହୋଇଯାଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି, ଯାହା ପର୍ବର ପବିତ୍ରତାକୁ ପ୍ରଭାବିତ କରିଛି । ରଥଯାତ୍ରାରେ ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ଷମା ପ୍ରାର୍ଥନା କରିବା ସହିତ ବାହୁଡାଯାତ୍ରା ଯେପରି ବ୍ୟବସ୍ଥିତ ଢଙ୍ଗରେ ହେବ ସେଥିପାଇଁ ଦୃଷ୍ଟି ଦେଇଛନ୍ତି ।
ଧରାକୋଟରେ ଦୁଇ ଦଳିତଙ୍କୁ ଆକ୍ରମଣ
ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ଜଣେ ଦଳିତ ବ୍ୟକ୍ତି ବାବୁଲା ନାୟକ ଅନ୍ୟ ଜଣେ ଯୁବକଙ୍କୁ ଆଣ୍ଠୁ ମାଡ଼ି ବସିବାକୁ, ଘାସ ଖାଇବାକୁ ଏବଂ ମଇଳା ପାଣି ପିଇବାକୁ ବାଧ୍ୟ କରିବା ସହ ଆଣ୍ଠୁମାଡ଼ି ରାସ୍ତାରେ ଚଲେଇ ନେବା ଭଳି ଅମାନୁଷିକ ଘଟଣା ସମଗ୍ର ଦେଶରେ ଚହଳ ସୃଷ୍ଟି କଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ କେବଳ ଅମାନବୀୟ ନୁହେଁ ବରଂ ବର୍ବରତା ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କଲେ । ଜାତୀୟ ଗଣମାଧ୍ୟମରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଲା ।
ସେପଟେ କଂଗ୍ରେସ ଏକ କମିଟି ଗଠନ କରି ଘଟଣାର ତଦନ୍ତ ଚଲାଇଛି । ରାଜ୍ୟର ବହୁ ବରିଷ୍ଠ ନେତା ଗାଁକୁ ଆସି ଯୁବକଙ୍କୁ ଭେଟି ସରକାରଙ୍କୁ ଟାର୍ଗେଟ କଲେ । ଏହି ଘଟଣାରେ ୯ ଜଣ ଗିରଫ ହୋଇଛନ୍ତି । ଭଞ୍ଜନଗର ଉପଜିଲ୍ଲାପାଳ, ଧରାକୋଟ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୀଡିତ ଯୁବକଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଉପଜିଲ୍ଲାପାଳ ୧୦ ହଜାର ଟଙ୍କା ଲେଖାଏଁ ଉଭୟ ପରିବାରକୁ ପ୍ରଦାନ କରିଛନ୍ତି । ଆହୁରି ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦିଆଯିବାର ପ୍ରତିଶୃତି ଦେଇଛନ୍ତି ।
ନିବେଶକୁ ଝଟକା
ଓଡ଼ିଶା ସରକାର ଶିଳ୍ପାୟନ ଓ ନିବେଶ ଆକର୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ବର୍ଷ ମଧ୍ୟରେ ୪.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଅନୁମୋଦନ ହୋଇଥିଲା, ଯାହା ୨୦୬ଟି ପ୍ରସ୍ତାବ ମାଧ୍ୟମରେ ୩ ଲକ୍ଷ ନିଯୁକ୍ତି ସୃଷ୍ଟି କରିଥିଲା । ପରେ 'ଉକ୍ରର୍ଷ ଓଡ଼ିଶା ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫' ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା । ତେବେ ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଉଦ୍ୟମ ଚାଲିଥିବା ସତ୍ତ୍ୱେ, ଦେଶର ଅଗ୍ରଣୀ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ ଢେଙ୍କାନାଳରେ ପ୍ରସ୍ତାବିତ ସୌରଶକ୍ତି କାରଖାନା ପ୍ରକଳ୍ପରୁ ଓହରିବା ଖବର ନିବେଶ କ୍ଷେତ୍ରରେ ଝଟକା ସାବ୍ୟସ୍ତ ହୋଇଛି । ଏହାଦ୍ୱାରା ୧୪ ହଜାର ନିଯୁକ୍ତି ସୃଷ୍ଟିର ସମ୍ଭାବନା ରଖିଥିଲା । ଏହା ରାଜ୍ୟର ଶିଳ୍ପ ସ୍ୱପ୍ନକୁ ଭାଙ୍ଗିଥିବା ବିବେଚନା କରାଯାଏ ।
BMC ରେ ଅଫିସରକୁ ମାଡ
ଜୁନ ମାସର ଅନ୍ତିମ ଦିନ ୩୦ ତାରିଖରେ ମଧ୍ୟ ରାଜ୍ୟ ସରକାରଙ୍କ ପିଛା ଛାଡିନଥିଲା ଅଡୁଆ ପରିସ୍ଥିତି ! ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଆକ୍ରମଣ ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଜାତୀୟ ଗଣମାଧ୍ୟମରେ ଆଲୋଚନା କରାଯାଇଛି । ବିଭିନ୍ନ ମହଲରେ ଘଟଣାକୁ ଘୋର ନିନ୍ଦା କରାଯାଇଛି । ଅଫିସର ଶ୍ରୀ ସାହୁଙ୍କ ସପକ୍ଷରେ ଓଏଏସ୍ ସଂଘ ସମୂହ ଛୁଟିରେ ଯିବା, ରାସ୍ତାରେ ବିରୋଧୀ ବିଜେଡିର ଆନ୍ଦୋଳନ ଓ ଧାରଣା ଦ୍ୱାରା ଦୀର୍ଘ ସମୟଧରି ଯାତାୟତ ପ୍ରଭାବିତ ହେବା ପରିସ୍ଥିତି ଦେଖିବାକୁ ମିଳିଲା । ଯଦିଓ ଘଟଣାରେ ତଦନ୍ତ କରି ପୁଲିସ ସମ୍ପୃକ୍ତ ପାଂଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଘଟଣା ସହିତ ଜଡ଼ିତ ମାଷ୍ଟରମାଇଣ୍ଡକୁ ଗିରଫ ଦାବୀ କରିଛନ୍ତି ମେୟର ସୁଲୋଚନା ଦାସ । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଘଟଣାରେ ଜଡ଼ିତ ଥିବା ପାଂଚ ଅଭିଯୁକ୍ତଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଛନ୍ତି । ତେବେ ଏଥିରେ ଆଗକୁ ପରିସ୍ଥିତି କେଉଁ ମୋଡ଼କୁ ଯିବ ତାହା ଅଲଗା କଥା, କିନ୍ତୁ ଉପରୋକ୍ତ ସମସ୍ତ ଘଟଣାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଜୁନ ମାସଟି ମୋହନ ସରକାରଙ୍କ ପାଇଁ ବିଶେଷ ଶୁଭଙ୍କର ନଥିଲା ! ଯଦିଓ ସେ ସବୁ ପରିସ୍ଥିତିର ମୁକାବିଲା କରି ଆସିଛନ୍ତି l ଯାହା ସରକାରଙ୍କ ପାଇଁ ଦ୍ଵିତୀୟ ବର୍ଷର ବଡ଼ ଉପଲବ୍ଧି ହେବ l