• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ସରିବା ପରେ ନଡ୍ଡାଙ୍କ ବଡ଼ ଦାବି । NDA ୪ଶହ ପାର୍ ସହ ବିଜେପି ଏକାକୀ ୩୭୦ ସିଟ୍ ଅତିକ୍ରମ କରିଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି ବିଜେପି ।

ଏଥିସହ ଭିଡିଓ ବାର୍ତ୍ତା ଜରିଆରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ୍ କରି, ବିକଶିତ ଭାରତ ପାଇଁ ଜନତା ଏନଡିଏକୁ ପୁଣି ଥରେ କ୍ଷମତା ଦେବାକୁ ଯାଉଥିବା କହିଛନ୍ତି ନଡ୍ଡା । ଅନ୍ୟପକ୍ଷରେ ଇଣ୍ଡି ମେଣ୍ଟ ୨୯୫ ପ୍ଲସ୍ ଆସନ ଜିତିବା ନେଇ ଖଡ଼ଗେଙ୍କ ଆକଳନ । କଂଗ୍ରେସ ମୁଖ୍ୟାଳୟରେ ବୈଠକ ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଜନତା ଆମକୁ ଆଶୀର୍ବାଦ କରିଛନ୍ତି ।

ଆମେ ୨୯୫ରୁ ଅଧିକ ଆସନ ହାସଲ କରିବୁ । ଏହି ସଂଖ୍ୟା ବଢିବ ସିନା କମିବ ନାହିଁ । ସୂଚନାଯୋଗ୍ୟ, ଏପ୍ରିଲ୍ ୧୯ ରୁ ସାତୋଟି ପର୍ଯ୍ୟାୟରେ ୫୪୩ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ । ଆଜି ଶେଷ ପର୍ଯ୍ୟାୟ ଥିବା ବେଳେ ଗଣନା ଜୁନ୍ ୪ ରେ ହେବ । ସେପଟେ ନୂଆ ସାଂସଦଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇଗଲାଣି ଲୋକସଭା ।

ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପରେ, ସାଂସଦମାନଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ରହିଛି ଲୋକସଭା । ୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ । ଜୁନ୍ ୪ ତାରିଖ ଦିନ ୨ଟାରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ଏବଂ ଜୁନ୍ ୫ରୁ ୧୪ ପର୍ଯ୍ୟନ୍ତ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଜାରି ରହିବ । ଶନିବାର ଓ ରବିବାର ବି ପଞ୍ଜୀକରଣ ପ୍ରକ୍ରିୟା ଚାଲିବ । କାଗଜପତ୍ର କାମ ହ୍ରାସ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ କରାଯିବ ।

ସଦସ୍ୟମାନଙ୍କୁ ବିଭିନ୍ନ ଶାଖାରେ ବାରମ୍ବାର କାଗଜରେ ଦସ୍ତଖତ କରିବାକୁ ପଡ଼ିବ ନାହିଁ । ପାର୍ଲାମେଣ୍ଟ ହାଉସ ଆନେକ୍ସରେ ପଞ୍ଜୀକରଣ ପାଇଁ ୨୦ଟି ଡିଜିଟାଲ୍ ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ଏକାସାଙ୍ଗରେ ବ୍ୟାଙ୍କ ଆକାଉଣ୍ଟ, ସ୍ଥାୟୀ ପରିଚୟ ପତ୍ର ଏବଂ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା ବା CGHS କାର୍ଡ ଆଦି ସେଠାରେ ହିଁ ଇସ୍ୟୁ କରାଯିବ । ସ୍ୱାଗତ ବେଳେ ସେକ୍ରେଟାରିଆଟ୍ ପକ୍ଷରୁ ପ୍ରତ୍ୟେକ ସାଂସଦଙ୍କୁ ଭାରତର ସମ୍ବିଧାନ, ନିୟମ, ନିର୍ଦ୍ଦେଶାବଳୀ ସଂପର୍କିତ କିଛି ପୁସ୍ତକ ଏବଂ ଆଉ କିଛି ସଫ୍ଟକପି ଦିଆଯିବ ।

ଦିଲ୍ଲୀ ବିମାନବନ୍ଦରର ସମସ୍ତ ୩ଟି ଡୋମେଷ୍ଟିକ ଟର୍ମିନାଲ ସହିତ ଦିଲ୍ଲୀ, ନୂଆଦିଲ୍ଲୀ, ନିଜାମୁଦ୍ଦିନ ଓ ଆନନ୍ଦ ବିହାର ରେଳ ଷ୍ଟେସନରେ ସଦସ୍ୟଙ୍କୁ ଆବଶ୍ୟକ ସହାୟତା ଓ ସେବା ଯୋଗାଇବାକୁ ଗାଇଡ ପୋଷ୍ଟ ଖୋଲାଯିବ । ୨୪ ଘଣ୍ଟିଆ CGHS ମେଡିକାଲ ପୋଷ୍ଟ ନର୍ଥ ଓ ସାଉଥ ଆଭେନ୍ୟୁ ଏବଂ ୱେଷ୍ଟର୍ଣ୍ଣ କୋର୍ଟ ଆନେକ୍ସ ବା ହଷ୍ଟେଲରେ ଖୋଲାଯିବ ବୋଲି ସୂଚନା ମିଳିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now