• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍‌ ଗିରଫ କରିଛି। ଏଥିସହ ତାର ସହଯୋଗୀଙ୍କୁ ପୋଲିସ ଅଟକ ରଖିଛି। ଏନେଇ ଯାଜପୁର ଏସ୍‌ପି ରାହୁଲ ପି.ଆର୍. ସୂଚନା ଦେଇଛନ୍ତି। ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଉ କେଉଁ କେଉଁମାନଙ୍କର ସମ୍ପୃକ୍ତି ଅଛି, ସେନେଇ ତଦନ୍ତ ଚାଲିଛି। ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି। 

ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବରୁ ପୋଲିସ ୨୨ ଜଣଙ୍କୁ ଅଟକ ରଖିଥିଲା। ତେବେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଯାଜପୁର ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ‌ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। 

ଗତକାଲି ବାଛୋଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୨୨ ଜଣଙ୍କୁ ଉଠାଇ ନେବା ପରେ ବାଛୋଳ ପଞ୍ଚାୟତରେ ପୋଲିସ୍ ଫ୍ଲାଗ ମାର୍ଚ୍ଚ କରିଥିଲା। ଗତକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ବାଛୋଳ ପଞ୍ଚାୟତରେ ବୁଥ୍ ରିଗିଂ ଉଦ୍ୟମ ବେଳର ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା। ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମର ୩ ଜଣ ପ୍ରତିନିଧି ଦେବାଶିଷ ସାହୁ, ଗୁଲସନ ଅଲ୍ଲୀ ନୱାଜ ଓ ବିଜୟ ସାହୁଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ।

ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ। ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଜ୍ୟ ନିର୍ବାଚନ ଆୟୋଗ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷେ, ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ୨ ନମ୍ବର ଜୋନ୍‌ କାନପୁରରେ ଏକ ୱେବ୍‌ ମିଡିଆର ସାମ୍ବାଦିକ ଲେଲିନ କୁମାର ଦେଙ୍କୁ କିଛି ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ପ୍ରଚାର ଚାଲିଥିଲା। ତେବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚାର ଚାଲିଥିଲା। ଏହି ସମୟରେ ଲେଲିନ ଫଟୋ ଉଠାଇବାରୁ ତାଙ୍କୁ ସରପଞ୍ଚ ପ୍ରାର୍ଥୀ ଭାସ୍କର ବେହେରା, ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପୁଅ ସୌମ୍ୟ ରଞ୍ଜନ ଜେନା, ଅଜୟ ମହାଳିକ, ସୁଜି ଜେନା ଓ ସନ୍ତୋଷ କୁମାର ବ୍ରହ୍ମା ଅଶ୍ଲୀଳ ଭାବେ ଗାଲିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଲେଲିନ ଥାନାରେ ଅଭିଯୋଗ କରିଛନ୍ତି।