• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାଇରାଲ୍ ହେଉଛି ଜଲେବି, ଟ୍ରେଣ୍ଡ୍ କରୁଛି ଜଲେବି । ନେତାଙ୍କ ହାତରେ ଜଲେବି, ପଲିଟିକାଲ୍ ବଜ୍ ୱାର୍ଡ ପାଲଟିଛି ଜଲେବି । କିନ୍ତୁ କାହିଁକି... ମେଳା ନାହିଁ କି ମହୋତ୍ସବ ନାହିଁ । ହେଲେ ଏ ଅଦିନିଆ ଜଲେବି ଟ୍ରେଣ୍ଡ୍ ପଛରେ କାରଣ ହେଉଛି ବିଜେପିର ହରିୟାଣା ହାଟ୍ରିକ୍ । କଂଗ୍ରେସକୁ ଜାଠ୍ ଭୂମିରେ ଝଟକା ଲାଗିବା ପରେ, ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କୁ ବିଜେପି ସମର୍ଥକ ଛିଗୁଲେଇ କହୁଛନ୍ତି- ଜଲେବି ତେରା , ହରିୟାଣା ମେରା । ଆଉ କେହି କେହି ଫଟୋର କ୍ୟାପସନ୍ ରଖୁଛନ୍ତି, ଜଲେବି ରେଡି ହେ ।

ଏକଜିଟ୍ ପୋଲ୍ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜଲେବି ବଣ୍ଟା ଚାଲିଥିଲା ଆଜି ଗଣତି ଆରମ୍ଭ ହେଉ ହେଉ । ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଶିବିରରେ ଜମିଥିଲା ଜଲେବିର ଆସର । ବିଜୟ ଉତ୍ସବ ପାଇଁ ନିଜେ ଜଲେବି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା।

ଆପଣ ଭାବୁଥିଲେ ହରିୟାଣା ନିର୍ବାଚନ ଫଳାଫଳ ସହ ଜଲେବିର ସଂପର୍କ କ’ଣ ? କଥା ହେଉଛି, ହରିୟାଣା ଗୋହାନାରେ ଖୁବ୍ ପ୍ରସିଦ୍ଧ ମାତୁରାମ ହାଲୱାଇଙ୍କ ଜଲେବି । ପ୍ରାୟ ୬ ଦଶନ୍ଧି ଧରି ସେଠି ଶୁଦ୍ଧ ଘିଅରେ ଛଣା ହେଉଥିବା ଜଲେବିର ଓଜନ, ଗୋଟା ପ୍ରାୟ ଅଢ଼େଇ ଶହ ଗ୍ରାମ୍ । ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ୍ ଜଲେବି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି । କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଏବଂ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ ।

ହେଲେ ଏହାକୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ । କହିଥିଲେ, ରାହୁଲ ଜାଣିନାହାନ୍ତି ଜଲେବି କେମିତି ତିଆରି ହୁଏ ଓ କେମିତି ବିକ୍ରି ହୁଏ । ପ୍ରଧାନମନ୍ତ୍ରୀ ମୋଦି ବି ଜଲେବି କଥା ଉଠାଇ କହିଥିଲେ, ଇଣ୍ଡି ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି । ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ୍ କି ଜଲେବି ? ଆଉ ଏବେ ହରିୟାଣାରେ ବିଜେପିର ଜିତାପଟ ପରେ, କଂଗ୍ରେସ ପାଇଁ ବୁମେରାଂ ହୋଇଯାଇଛି କଂଗ୍ରେସର ଜଲେବି ଫର୍ମୁଲା ।

OTV is now on Whatsapp

Join and get latest news update delivered to you via whatsapp

Join Now