/odishatv-khabar/media/post_attachments/uploadimage/library/16_9/16_9_0/Vote_1628614002.jpg)
Vote
ଭୁବନେଶ୍ୱର: ବିରୋଧୀଙ୍କ ପ୍ରବଳ ଚାପ ପରେ ଆସନ୍ନ ହେଲାଣି କି ପୌର ନିର୍ବାଚନ ପ୍ରକ୍ରିୟା ? ନିର୍ବାଚନ ହାଓ୍ୱାକୁ ନିଜ ସପକ୍ଷରେ ନେବାକୁ ବାଟ ତିଆରି କଲାଣି କି ବିଜେଡି ? ଗତକାଲି ରାଜ୍ୟ କ୍ୟାବିନେଟ୍ରେ ପୌରାଞ୍ଚଳରେ ୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ନିର୍ମାଣ ନିଷ୍ପତ୍ତି ପରେ ପରେ ବିଭିନ୍ନ ଜିଲ୍ଲାରେ ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ ପାଇଁ ଯେଉଁଭଳି ଆଗଭର ହେଲେଣି, ସେଥିରୁ ପୌର ନିର୍ବାଚନ ପାଇଁ ସରକାରୀ ଦଳ ଅଣ୍ଟା ଭିଡୁଥିବା ଅନୁମାନ କରାଯାଉଛି । ସେପଟେ ଏଭଳି ନିଷ୍ପତ୍ତିକୁ ନିର୍ବାଚନୀ ଥୋପ କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ତେଣେ ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ ହେବ ।
ଭାରତର ଅଲିମ୍ପିକ୍ସ ସଫଳତାର ଚର୍ଚ୍ଚା ଭିତରେ ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ବିକାଶ ଲାଗି ବଡ଼ ଘୋଷଣା । ପ୍ରାୟ ୭ ଶହ କୋଟି ଟଙ୍କା ବ୍ୟୟରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ନିର୍ମାଣ ହେବ ୮୯ଟି ବହୁମୁଖୀ ଷ୍ଟା଼ଡିୟମ । ଗତକାଲି ରାଜ୍ୟ କ୍ୟାବିନେଟ୍ରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ମାତ୍ରେ ତୁରନ୍ତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାକୁ ସତେ ଯେମିତି ଆଗୁଆ ପ୍ରସ୍ତୁତ ଥିଲା ଟିମ୍ । ବିଜେଡି ଭୁବନେଶ୍ୱରରୁ ବାଲେଶ୍ୱର, ଭଦ୍ରକରୁ ମୟୂରଭଞ୍ଜ, ସବୁଠି ଆୟୋଜିତ ହୋଇଥିଲା ପ୍ରେସମିଟ୍ ।
Also Read
ଏପଟେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । ପୌର ନିର୍ବାଚନ ପୂର୍ବରୁ ଏହା ରାଜ୍ୟ ସରକାରଙ୍କ ପ୍ରହେଳିକା ବୋଲି କହିଛି ବିଜେପି । ସେପଟେ ପିଠା ଯୋଜନା ଭଳି ରାଜ୍ୟ ସରକାରଙ୍କର ଏହି ନିର୍ବାଚନୀ ଚାଲ କୌଣସି କାମରେ ଆସିବ ନାହିଁ ବୋଲି ଖୋଲାଖୋଲି କହିଛି କଂଗ୍ରେସ । ତେବେ ବିରୋଧୀ ପ୍ରସଙ୍ଗ ଶୂନ୍ୟ ଥିବାରୁ ଏଭଳି ଅଭିଯୋଗ ଆଣୁଥିବା ପ୍ରତିକ୍ରିୟାରେ କହିଛନ୍ତି ସରକାରୀ ଦଳ ନେତା ।
ବାସ୍ତବତା ହେଉଛି ୨୦୧୮ରୁ ରାଜ୍ୟରେ ହେବାକୁ ଥିବା ପୌର ନିର୍ବାଚନ ଏଯାଏଁ ହୋଇପାରିନି । ସୀମା ପୁନଃ ନିର୍ଦ୍ଧାରଣ, ଆସନ ସଂରକ୍ଷଣ ଓ କୋର୍ଟରେ ମାମଲା ଆଦି କାରଣ ପାଇଁ ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ବାଚନ ପ୍ରକ୍ରିୟା । ତେଣେ ଅଫିସରଙ୍କ ମାଧ୍ୟମରେ ସରକାର ଶାସନ ଚଳାଇଛନ୍ତି ବୋଲି ବାରମ୍ବାର ଅଭିଯୋଗ ଆଣି ପୌର ନିର୍ବାଚନ ତୁରନ୍ତ କରାଇବାକୁ ଦାବି କରୁଛନ୍ତି ବିରୋଧୀ । ଏପରି ସ୍ଥଳେ ନିର୍ବାଚନ ଯେକୌଣସି ମୂହୂର୍ତ୍ତରେ ଅବଶ୍ୟମ୍ଭାବୀ ଥିବାରୁ କେବଳ ସରକାରୀ ଦଳ ନୁହେଁ, ବିରୋଧୀ ଦଳ ବି ମାନସିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ରାଜନୈତିକ ବିଶେଷଜ୍ଞ । ଯାହାର ପ୍ରମାଣ ଦେଉଛି ଘନ ଘନ ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ । ଏଣେ ଶାସକ ଦଳର ବଡ଼ ଘୋଷଣା ବି ଏ ଚର୍ଚ୍ଚାକୁ ଆହୁରି ଫର୍ଚ୍ଚା କରିଥିବା କୁହାଯାଉଛି । ତେଣେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ଓ ଏଥିପାଇଁ ନିର୍ବାଚନ କମିଶନଙ୍କୁ ଖୁବ୍ ଶୀଘ୍ର ରାଜ୍ୟ ସରକାର ଅବଗତ କରିବେ ବୋଲି ମତ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ପୌର ନିର୍ବାଚନ ବାକିଆ ଥିବା ବେଳେ ମୁଣ୍ଡ ଉପରକୁ ଆସିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ଆଗକୁ ରାଜନୀତି ଆହୁରି ଜୋରଦାର ହେବା ଅନୁମାନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)