Advertisment

ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ମହଣ ମହଣ ସୁନା, ରୂପା ?

ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାଠୁ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର।

author-image
Chandan Shishu
ShreeMandir Ratna Bhandar

ShreeMandir Ratna Bhandar

ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ହେଲେ ବେଧଡ଼କ୍ ରାଜ୍ୟ ସରକାର। ଏଠି ପ୍ରଶ୍ନ ସୁରକ୍ଷିତ ଅଛି ତ ମହାପ୍ରଭୁଙ୍କ ମହଣ ମହଣ ସୁନା, ରୂପା ଓ ମୂଲ୍ୟବାନ ରତ୍ନରେ ତିଆରି ଅଳଙ୍କାର ? ଖୋଦ୍ ଗଜପତି ମହାରାଜା ରତ୍ନଭଣ୍ଡାରର ସୁରକ୍ଷା ଓ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ପରେ ତେଜିଲାଣିି ରାଜନୀତି। ଖୋଦ୍ ଶାସକଦଳର ନେତା ବି ଏନେଇ ରାଜ୍ୟ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠାଇଲେଣି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ରତ୍ନଭଣ୍ଡାର ଦୁଃସ୍ଥିତି ସଂପର୍କରେ ଗଜପତି ମୁହଁ ଖୋଲିଛନ୍ତି। ଯଦି ସେ ରାଜ୍ୟ ସରକାରଙ୍କୁ ଏ ନେଇ ଚାପ ପକାଇବେ, ନିଶ୍ଚୟ ମୁଁ ସମର୍ଥନ କରିବି। ତେଣେ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲୁ ନାହାନ୍ତି। ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବି ରତ୍ନଭଣ୍ଡାର ଦୁଃସ୍ଥିତି ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି।

Advertisment

ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାଠୁ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଯାହାମଧ୍ୟରେ ପଛକୁ ପଛ ୭ଟି ଭଣ୍ଡାରଘର ରହିଥିବା ଲୋକମତ ଅନୁସାରେ କୁହାଯାଉଥିଲେ ବି ଅଦ୍ୟାବଧି ୩ଟି ଭଣ୍ଡାର ଯଥାକ୍ରମେ ବାହାର ଭଣ୍ଡାର, ମଝି ଭଣ୍ଡାର ଓ ଭିତର ଭଣ୍ଡାର ସମ୍ପର୍କରେ ତଥ୍ୟ ରହିଛି। ବାହାର ଭଣ୍ଡାରରୁ ମୁଖ୍ୟତଃ ଚଳପ୍ରଚଳ ସହ ଠାକୁରଙ୍କ ଦୈନ୍ୟଦିନ ଓ ଯାନିଯାତ୍ରାବେଳେ ବ୍ୟବହାର ହେଉଥିବା ରତ୍ନ ଅଳଙ୍କାରମାନ ରଖାଯାଇଛି।

ଭଣ୍ଡାର ଘର ଖୋଲିବାକୁ ହେଲେ ଜିଲ୍ଲା ପ୍ରଶାସନ, ଗଜପତି ମହାରାଜା ଓ ଭଣ୍ଡାର ମେକାପଙ୍କ ପାଖରେ ଥିବା ଚାବି ଏକାଠି କରିବାକୁ ପଡ଼ିବ ରତ୍ନଭଣ୍ଡାର ଦୁର୍ବଳ ବୋଲି ଭଣ୍ଡାର ମେକାପଙ୍କ ବାରମ୍ବାର ସୂଚନା ଓ ରତ୍ନଅଳଙ୍କାର ତାଲିକା ପ୍ରକାଶନରେ ଟାଳଟୁଳ ନୀତିକୁ ନେଇ ବହୁ ତମ୍ବିତୋଫାନ ପରେ ୨୦୧୮ ମସିହାରେ ଏକ ୧୬ଜଣିଆ ଟିମ୍ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲା। ହେଲେ ଚାବି ନଖୋଲିବାକୁ ଭିତରକୁ ଯାଇନପାରି କେବଳ ବାହାର ଭଣ୍ଡାର ଜାଲି ଏପଟୁ ଟର୍ଚ୍ଚ ପକାଇ ଅଧାପନ୍ତରିଆ ଯାଞ୍ଚ ସାରି ଫେରି ଆସିଥିଲେ।

Advertisment

ସେମାନେ ବି ରତ୍ନଭଣ୍ଡାରରେ ପାଣି ଗଳୁଥିବା ଓ କାନ୍ଥ ଫାଟିଥିବା କହିଥିଲେ ହେଲେ ତାପରେ ବି ସରକାର ନିଦରେ ଶୋଇଗଲେ। ଏସବୁ ଭିତରେ ରତ୍ନଭଣ୍ଡାର ଚାବି ହଜିଯିବା ଓ ଜିଲ୍ଲା କୋଷାଗାରରୁ ଏକ ଲଫାଫାରୁ ଡୁପ୍ଲିକେଟ୍ ଚାବି ମିଳିବା ଘଟଣା ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଧିକ କୁହେଳିକାମୟ କରିଦେଇଥିଲା। ଏତେଦିନ ପରେ ବି ରତ୍ନଭଣ୍ଡାର ପ୍ରତି ସରକାରଙ୍କ ବିମୁଖ ମନୋନଭାକୁ ନେଇ ଖୋଦ୍ ଗଜପତି ମହାରାଜା କ୍ଷୁବ୍ଧ ହେବା ପରେ ଏବେ ଭକ୍ତ, ସେବାୟତ ସମସ୍ତେ ଏକ ସ୍ୱରରେ କହିଲେଣି। ରତ୍ନଭଣ୍ଡାର ଖୋଲାଯାଇ ମରାମତି ହେଉ, ଅଳଙ୍କାର ତାଲିକା ବି ପ୍ରକାଶ କରାଯାଉ।
ଏବେ ଅପେକ୍ଷା ଏତେସବୁ ଦାବି ଓ କ୍ଷୋଭ ପରେ ରତ୍ନଭଣ୍ଡାରର ସ୍ଥିତି ଓ ଅଳଙ୍କାର ସୁରକ୍ଷାକୁ ନେଇ କେବେ ଚେଉଁଛନ୍ତି ରାଜ୍ୟ ସରକାର।

ରିପୋର୍ଟ: ମଧୁସୂଦନ ମିଶ୍ର, ହରିହର ଚାନ୍ଦ

Advertisment
Advertisment