• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଦୁର୍ନୀତି ଅଭିଯୋଗ ଆସିଥିବା ରାଜ୍ୟର ସଂଖ୍ୟାଧିକ IAS ଅଧିକାରୀଙ୍କ ବିରୋଧରେ କାହିଁକି ମୋକଦ୍ଦମା କରିବାକୁ ନାରାଜ ରାଜ୍ୟ ସରକାର? ନବୀନ ସରକାରର ୨୨ ବର୍ଷ ଶାସନରେ ୪୫ ଜଣ ଆଇଏଏସଙ୍କ ବିରୋଧରେ ଭିଜିଲାନ୍ସ ମୋକଦ୍ଦମା କରିବାକୁ ଚାହିଁଛି। ହେଲେ ରାଜ୍ୟ ସରକାର ୨୮ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇନାହାନ୍ତି। ଦୁର୍ନୀତି ବିରୋଧରେ ସରକାର ଦୃଢ଼ ଭାବେ ଲଢ଼ୁଛନ୍ତି ବୋଲି ଦାବି କରୁଥିବାବେଳେ ସୂଚନା ଅଧିକାରର ଏ ତଥ୍ୟ ରାଜ୍ୟ ସରକାରଙ୍କ ମୁଖା ଖୋଲିଛି।

ଦୁର୍ନୀତି ଅଭିଯୋଗ ଆସିଥିବା IAS ଅଫିସରଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି କି ରାଜ୍ୟ ସରକାର? ଆଇଏଏସ୍ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ? ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏ ତଥ୍ୟ କହୁଛି, ୨ ହଜାରରୁ ୨୦୨୨ ଭିତରେ ରାଜ୍ୟର ମୋଟ ୪୫ ଜଣ ଆଇଏଏସ ଅଫିସରଙ୍କ ବିରୋଧରେ ଆସିଛି ଦୁର୍ନୀତି ଅଭିଯୋଗ। ଏନେଇ ଭିଜିଲାନ୍ସଠାରୁ ଅଭିଯୋଗ ପାଇଛି ସାଧାରଣ ପ୍ରଶାସନ ବିଭାଗ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେମଧ୍ୟରୁ ୨୮ ଜଣ ଆଇଏଏସ ଅଧିକାରୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗ ଅନୁମତି ମିଳିନାହିଁ। ସେମାନଙ୍କ ବିରୋଧରେ ପ୍ରସିକ୍ୟୁସନ ପାଇଁ ମନା କରାଯାଇଛି କିମ୍ବା ଆବଶ୍ୟକତା ନଥିବା ଦର୍ଶାଯାଇଛି। ଅନ୍ୟପକ୍ଷରେ ବିଭାଗ କେବଳ ୧୭ ଜଣ ଆଇଏଏସଙ୍କ କ୍ଷେତ୍ରରେ ମୋକଦ୍ଦମା ରୁଜୁ ପାଇଁ ଅନୁମତି ଦେଇଛି। ତେବେ ବାକି ୨୮ ଜଣଙ୍କ କ୍ଷେତ୍ରରେ କାହିଁକି ଅନୁମତି ମିଳିନି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏ ସଂପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନା ଅଧିକାର ତଥ୍ୟ ଅନୁସାରେ ରାଜ୍ୟ ସରକାର ୨୦୦୦ରୁ ୨୦୨୨ ମସିହା ଭିତରେ କେବଳ ଜଣେ ଆଇଏଏସ୍ ଅଫିସରଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। କୋର୍ଟରେ ଦଣ୍ଡିତ ହେବା କାରଣରୁ ଗ୍ରାମ୍ୟ ଗୃହ ନିର୍ମାଣ ବିକାଶ ବିଭାଗ ଦୁର୍ନୀତିରେ ଜଡ଼ିତ ଥିବା ୧୯୮୯ ବ୍ୟାଚର ଆଇଏଏସ ଅଫିସର ବିନୋଦ କୁମାର ଚାକିରିରୁ ବହିଷ୍କୃତ ହୋଇଥିଲେ। ଆଉ ୬ ଜଣଙ୍କୁ ଦୁର୍ନୀତି କାରଣରୁ ସରକାର ପ୍ରଥମେ ନିଲମ୍ବନ କରିଥିଲେ ସୁଦ୍ଧା ଏମାନଙ୍କ ମଧ୍ୟରୁ ଅଧିକାଂଶ ପରେ ଚାକିରିରେ ପୁନଃ ଅବସ୍ଥାପିତ ହୋଇଛନ୍ତି। ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଥିବା ୬ ଆଇଏଏସଙ୍କ ମଧ୍ୟରେ ଅଛନ୍ତି ପ୍ରଶାନ୍ତ କୁମାର ନାୟକ, ମୃଣାଳିନୀ ଦର୍ଶଓ୍ବାଲ, ଜାନକୀବଲ୍ଲଭ ମିଶ୍ର, ଦେବରାଜ ମିଶ୍ର, ପାର୍ଥସାରଥୀ ମିଶ୍ର ଓ ବିଜୟ କେତନ ଉପାଧ୍ୟାୟ।