• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଂଗ୍ରେସରେ ପୁଣି ଅସନ୍ତୋଷ । ପୂର୍ବରୁ ସାଙ୍ଗଠନିକ ସ୍ଥିତିକୁ ନେଇ ଦଳ ଭିତରେ ବିବାଦ ଦେଖାଦେଉଥିବା ବେଳେ ଲଗାତାର ଭାବେ ବହୁ ନେତା ହାତ ଛାଡ଼ିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଏବେ ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ ଦଳ ଭିତରେ କୁହୁଳୁଛି ଅସନ୍ତୋଷ । ଏପରିକି କିଛି ଆଶାୟୀ ଖୋଲାଖୋଲି ସେମାନଙ୍କ ମନର କଥା ଜଣାଇବା ସହ ନେତୃତ୍ୱକୁ ନେଇ ବିଷୋଦଗାର କରିବାକୁ ପଛାଇନାହାନ୍ତି । କହିଛନ୍ତି, ବୋଧହୁଏ ଆମ ତପସ୍ୟା କମ୍ ପଡ଼ିଲା ।

ଜୁନ୍ ୧୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ୧୦ଜଣ ଦଳୀୟ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ଜୟରାମ ରମେଶ, ଅଜୟ ମାକେନଙ୍କ ସହ, ଦଳୀୟ ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲାଙ୍କ ନାଁ ତାଲିକାରେ ରହିଛି । ରାଜସ୍ଥାନରୁ ଖାଲି ପଡିଥିବା ତିନିଟି ସିଟ୍ ପାଇଁ ରଣଦୀପ ସିଂ ସୁରଜେୱାଲା, ମୁକୁଲ ୱାସନିକ୍ ଓ ପ୍ରମୋଦ ତିୱାରୀଙ୍କ ନାଁ ଘୋଷଣା ହୋଇଛି । ଛତିଶଗଡ଼ରୁ ରାଜୀବ ଶୁକ୍ଳା ଓ ରଂଜିତ ରଂଜନ, ତାମିଲନାଡୁରୁ ପି. ଚିଦାମ୍ବରମ୍, ହରିଆଣାରୁ ଅଜୟ ମାକେନ୍, କର୍ଣ୍ଣାଟକରୁ ଜୟରାମ ରମେଶ, ମଧ୍ୟପ୍ରଦେଶରୁ ବିବେକ ତନଖା, ମହାରାଷ୍ଟ୍ରରୁ ଇମ୍ରାନ୍ ପ୍ରତାପଗଡ଼ିଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଛି ଦଳ ।

ତେବେ ରାଜସ୍ଥାନରୁ କୌଣସି ସ୍ଥାନୀୟ ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଚୟନ କରାନଯିବାକୁ ନେଇ ଅସନ୍ତୋଷ ତେଜିଛି । ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ଦଳୀୟ ମୁଖପାତ୍ର ପବନ ଖେଡ଼ା ରାଜ୍ୟସଭା ପାଇଁ ବହୁ ପୂର୍ବରୁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କ ନାଁ ଘୋଷଣା ନକରିବାରୁ ନିରାଶ ପବନ ଟ୍ୱିଟ୍ କରିଛନ୍ତି ଯେ, ବୋଧହୁଏ ମୋର ତପସ୍ୟା କିଛି କମ୍ ହୋଇଗଲା । ତା ପରେ ଲେଖିଛନ୍ତି କଂଗ୍ରେସ ପାଇଁ ତାଙ୍କର ପରିଚୟ ସୃଷ୍ଟି ହୋଇଛି । ଏଥିସହ ପ୍ରାର୍ଥୀମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

ତେଣେ ଅଭିନେତ୍ରୀରୁ ରାଜନେତା ବନିଥିବା ନଗମା ମୋରାରଜୀ କିନ୍ତୁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । କଂଗ୍ରେସ ପାଇଁ ତାଙ୍କର ୧୮ ବର୍ଷର ତପସ୍ୟା ବୋଧେ ଇମ୍ରାନଙ୍କ ଠାରୁ କମ୍ ହୋଇଗଲା । ୨୦୦୩ରେ ଯେତେବେଳେ ସେ କଂଗ୍ରେସରେ ଯୋଗ ଦେଇଥିଲେ ସେତେବେଳେ ନିଜେ ସୋନିଆ ଗାନ୍ଧି ତାଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା କାର୍ଯ୍ୟକାରୀ ହେଲା ନାହିଁ । ଇମ୍ରାନ୍ ପ୍ରତାପଗଡ଼ିଙ୍କ ଠାରୁ ସେ କମ୍ ଯୋଗ୍ୟ କି ବୋଲି ପଚାରିଛନ୍ତି ନଗମା । ସେପଟେ ଉତ୍ତରପ୍ରଦେଶରେ କଂଗ୍ରେସର ମାତ୍ର ଦୁଇ ଜଣ ବିଧାୟକ ଥିଲେ ମଧ୍ୟ ସେଠାକାର ୩ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ସେମାନେ ହେଲେ ରାଜୀବ ଶୁକ୍ଳା, ଇମ୍ରାନ୍ ପ୍ରତାପଗଡ଼ି ଓ ପ୍ରମୋଦ ତିୱାରୀ ।

ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ସଲମନ୍ ଖୁର୍ସିଦ୍, ତାରିକ୍ ଅନୱାର, ଗୁଲାମ ନବୀ ଆଜାଦଙ୍କ ପରି ବରିଷ୍ଠ ନେତାମାନଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯାଇନାହିଁ । ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ବରଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରଥମେ କଂଗ୍ରେସ ଅମଙ୍ଗ ହେଉଥିଲେ ମଧ୍ୟ ରାଜ୍ୟସଭାରେ ଦଳକୁ ମଜବୁତ କରିବା ପାଇଁ ତାଙ୍କୁ ତାମିଲନାଡୁରୁ ପ୍ରାର୍ଥୀ କରାଯାଇଛି ।

ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ କଂଗ୍ରେସରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ବିଜେପି ଶିବିରରେ ଖୁସିର ଲହର । ଦଳ ପାଇଁ ଦୀର୍ଘ ଦିନ ଧରି କର୍ଯ୍ୟ କରିଥିବା ନେତାମାନଙ୍କ ନାଁ ତାଲିକାରେ ରହିଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଭଳି ଅନୁଭବୀ ନେତାଙ୍କୁ ୧୬ଜଣିଆ ପ୍ରାର୍ଥୀ ତାଲିକାରେ ସାମିଲ କରାଯାଇଛି ।

ନଜର ପକାନ୍ତୁ ଜୁନ୍ ୧୦ରେ କେଉଁ ରାଜ୍ୟର କେତୋଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ ?

ଉତ୍ତର ପ୍ରଦେଶରେ ସର୍ବାଧିକ ୧୧ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ମହାରାଷ୍ଟ୍ରର ୬ଟି, ବିହାରର ୫ଟି, କର୍ଣ୍ଣାଟକ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶର ୪ଟି ଲେଖାଏଁ ଓଡ଼ିଶା ଓ ମଧ୍ୟପ୍ରଦେଶର ୩ଟି ଲେଖାଏଁ, ପଂଜାବ, ଝାଡ଼ଖଣ୍ଡ, ହରିୟାଣା, ତେଲେଙ୍ଗାନା ଓ ଛତିଶଗଡ଼ର ଦୁଇଟି ଲେଖାଏଁ ଏବଂ ଉତ୍ତରାଖଣ୍ଡର ଗୋଟିଏ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।