• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼ । କେବଳ ପାଣ୍ଡିଆନ୍ ନୁହଁନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଛି କାଳିଛିଟା । ପୁରୀ ସତ୍ୟବାଦୀରେ ଭାସ୍କର ସାହୁ ନାମକ ଜଣେ ଯୁବକ କାଳିମାଡ଼ କରିଥିବା କୁହାଯାଉଛି । ତେବେ ଅସମ୍ଭବ ସୁରକ୍ଷା ବ୍ୟବସ୍ଥା ଭିତରେ ସେ କେମିତି କାଳିମାଡ଼ କଲେ ? ଏହି କାଳିମାଡ଼ ପ୍ରୟୋଜିତ ନା ବିଜେଡ଼ିରେ ଦଳୀୟ ଆଭ୍ୟନ୍ତରୀଣ ବିବାଦ ? ତାକୁ ନେଇ ଉଠିଛି ପ୍ରଶ୍ନ ।

ନା ବାରି ହେଲା ଚେହେରା, ନା ଚିହ୍ନି ହେଲା କିଏ ସେ ? ମୁହଁ ସାରା ଲାଗିଥିବା କାଳି ଭିତରେ ଲୁଚିଯାଇଛି ସମ୍ପୂର୍ଣ୍ଣ ଚେହେରା । କଳା ହୋଇଛି ସାରା ମୁହଁ, କାଳି ବୋଳି ହୋଇଯାଇଛି ସାର୍ଟ-ପ୍ୟାଣ୍ଟରେ । ରାଜ୍ୟ ସରକାରଙ୍କ 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ଆଜି କାଳିମାଡ଼ ହୋଇଛି ପୁରୀ ଜିଲ୍ଲା ସତ୍ୟବାଦୀରେ । ସମୟ ଦିନ ଗୋଟାଏ ୫୦ ମିନିଟ୍ । ସ୍ଥାନ ପୁରୀ ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆ । ଅବସର ଥିଲା ଏକ ଜନଶୁଣାଣି କାର୍ଯ୍ୟକ୍ରମ । ଏଥିପାଇଁ ପହଞ୍ଚିଥିଲେ 5T ସଚିବ । ଉପସ୍ଥିତ ମହିଳା ଓ ପୁରୁଷଙ୍କ ସହ ହାତ ମିଳାଇ ମଞ୍ଚ ଆଡ଼କୁ ଯିବାପୂର୍ବରୁ ହଠାତ୍ କାଳିମାଡ଼ ହୋଇଥିଲା ତାଙ୍କ ଉପରେ ।

ଭିଡ଼ ଭିତରୁ ଜଣେ ଯୁବକ ଆସି ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ସିଧାସଳଖ କାଳି ଫୋପାଡ଼ିଥିଲେ । କେବଳ 5T ସଚିବ ନୁହଁନ୍ତି, ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମୁହଁରେ ବି ପଡ଼ିଛି କାଳି ଛିଟା । କିଛି ସମୟ ପରେ କାଳି ଲଗା ଡ୍ରେସକୁ ବଦଳାଇ ମିଶନ ଶକ୍ତିର ଜନଶୁଣାଣି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ପାଣ୍ଡିଆନ୍ ।

ପୁରୀ ଜିଲ୍ଲାରେ 5T ସଚିବ ପାଣ୍ଡିଆନଙ୍କ ଥିଲା ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ । ତେବେ ସତ୍ୟବାଦୀ କାର୍ଯ୍ୟକ୍ରମ ଥିବାବେଳେ ସୁରକ୍ଷା ବଳୟକୁ ଭେଦି ସିଧାସଳଖ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ କଲେ ଯୁବକ ଜଣକ । କାଳିମାଡ଼ କଲା କ୍ଷଣି ଉପସ୍ଥିତ ବିଜେଡି କର୍ମୀ ଓ ପୋଲିସ୍ ଏହି ଯୁବକଙ୍କୁ ଉଠାଇନେଇଥିଲେ । କୁହାଯାଉଛି କାଳିମାଡ଼ କରିଥିବା ଯୁବକଙ୍କ ନାଁ ଭାସ୍କର ସାହୁ । ସେ କଣାସ ଅଞ୍ଚଳର ବୋଲି କୁହାଯାଉଛି ।

ତେବେ କିଏ ଏହି ଭାସ୍କର ସାହୁ ? ବ୍ୟବସ୍ଥା ବିରୋଧରେ ଅସନ୍ତୋଷ ପ୍ରକାଶ କରି ଏହି ପ୍ରତିବାଦ କି ? କାଳିମାଡ଼ ପଛର ଅସଲ କାରଣ କ’ଣ ? ତାଙ୍କୁ କିଏ ବ୍ୟବହାର କରିନି ତ ? ମାଇଲେଜ୍ ନେବା ପାଇଁ କାଳିମାଡ଼ ପ୍ରାୟୋଜିତ ନୁହେଁ ତ ? ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱର ୟେ ପ୍ରତିଫଳନ କି ? 5T ସଚିବଙ୍କୁ ନେଇ ବିଜେଡ଼ିରୁ ଉଠିଥିବା ବିରୋଧାଭାସକୁ ଏଡ଼ାଇବା ପାଇଁ କିଛି ଚାଲ୍ ନୁହେଁ ତ ? ଏଭଳି ଏକାଧିକ ପ୍ରଶ୍ନ ଉଠୁଥିବାବେଳେ ବିଜେଡ଼ିର ସତ୍ୟବାଦୀ ବିଧାୟକ ବିଜେପି ଆଡକୁ ଇଙ୍ଗିତ କରିଛନ୍ତି । ତେଣେ ବିଜେପି କାଳିମାଡ଼ ଘଟଣାକୁ ନିନ୍ଦା କରିବା ସହ ଏହା ବିଜେଡିର ଆଭ୍ୟନ୍ତରୀଣ କନ୍ଦଳର ପ୍ରତିଫଳନ ବୋଲି କହିଛି ।

ପୂର୍ବରୁ ବି ବୌଦ୍ଧ, ବଲାଙ୍ଗିର ସମେତ ଏକାଧିକ ଜିଲ୍ଲାରେ ପାଣ୍ଡିଆନଙ୍କୁ ବିରୋଧ କରାଯାଇଛି । କେଉଁଠି କାରକେଡ ଉପରକୁ ଅଣ୍ଡାମାଡ଼ ହୋଇଛି ତ କେଉଁଠି କଳା ପତାକା ଦେଖାଇବା ସହ କଳା ବେଲୁନ ଉଡ଼ାଯାଇଛି । ଅଥଚ କୌଣସି ସ୍ଥାନରେ କୌଣସି ବଡ଼ ଅଘଟଣ ଘଟିନଥିବାବେଳେ ଏଠାରେ ମାଳ ମାଳ ପୋଲିସ ଏବଂ କଡ଼ା ସୁରକ୍ଷା ବଳୟକୁ ଭେଦି କେମିତି ଯୁବକ ଜଣକ କାଳିମାଡ଼ କଲେ ? ଏହାକୁ କାହିଁକି ରୋକିପାରିଲାନି ପୋଲିସ ? ଗୁଇନ୍ଦା ବିଭାଗ ଆଗରୁ ଟେର୍ ପାଇପାରିଲାନି କାହିଁକି ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସେପଟେ 5T ସଚିବ ଭି.କେ.ପାଣ୍ଡିଆନଙ୍କୁ କାଳିମାଡ଼କୁ ନେଇ ହଟଚମଟ ରାଜ୍ୟ ରାଜନୀତି । ଆରମ୍ଭ ହୋଇଛି ଆରୋପ ପ୍ରତିଆରୋପ । ଏନେଇ କଂଗ୍ରେସ ଟୁଇଟ୍ କରିବା ସହ ଏହି ଘଟଣା ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି କହିଛି । ସେହିପରି ବିଜେପି କହିଛି ବିଜେଡ଼ିରେ ଏହା ଗୋଷ୍ଠୀ କନ୍ଦଳର ପ୍ରତିଫଳନ ।

  • Reported by:
  • MADHUSUDAN MISHRA , Duti Krushna Pattnaik