• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେଡି ଜନସଂପର୍କ ପଦଯାତ୍ରାରେ ଘୋଷଣା ହେଉଛି ପ୍ରାର୍ଥୀଙ୍କ ନାଁ । ଭଦ୍ରକ ଜିଲ୍ଲାର ଧାମନଗର ପରେ ବାଲେଶ୍ୱର ବସ୍ତା ନିର୍ବାଚନମଣ୍ଡଳୀରୁ ସାମ୍ନାକୁ ଆସିଛି ଏମିତି ଚିତ୍ର । ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ । ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ୍ତରାଳ ପଦଯାତ୍ରା ଓ ଫୁଟି ବାହାରୁଥିବା କନ୍ଦଳ ଭିତରେ ଏଭଳି ପ୍ରାର୍ଥୀ ଘୋଷଣାକୁ ନେଇ ସରଗରମ ବିଜେଡି ରାଜନୀତି ।

ବିଜେଡି ଜନସଂପର୍କ ପଦଯାତ୍ରା ପାଲଟିଛି କି ପ୍ରାର୍ଥୀ ଘୋଷଣାର ପ୍ଲାଟଫର୍ମ ? ଧାମନଗରରେ ଯାହା ହେଇଥିଲା ବସ୍ତାରେ ତାର ରିପିଟ୍ । ଧାମନଗରରେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଧାମନଗର ବିଧାୟକ ପ୍ରାର୍ଥୀ ଭାବେ ଡାକ୍ତର ସଂଜୟ ଦାସଙ୍କ ନାଁ ଘୋଷଣା କରିଥିଲେ । ଆଉ ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ମକୁଳିଶି ଚନ୍ଦନ ପଡ଼ିଆରେ ଆୟୋଜିତ ଜନସଂପର୍କ ପଦଯାତ୍ରା ସମାବେଶରେ ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ର ଘୋଷଣା କରିଛନ୍ତି ୨୪ ନିର୍ବାଚନ ପାଇଁ ବସ୍ତା ଯୋଦ୍ଧାଙ୍କ ନାଁ ।

ବର୍ତ୍ତମାନର ବିଧାୟକ ନିତ୍ୟାନନ୍ଦ ସାହୁ ନୁହଁନ୍ତି, ନୂଆ ପ୍ରାର୍ଥୀ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ପତ୍ନୀ ତଥା ବିଜେଡିର ରାଜ୍ୟ ମହିଳା ସଭାନେତ୍ରୀ ସୁବାସିନୀ  ଜେନା । ସବୁଠୁ ବଡ଼ କଥା ହେଉଛି, ବିଧାୟକ ନିତ୍ୟାନ୍ଦଙ୍କ ଘର ପାଖରୁ ମାତ୍ର ୨ଶହ ମିଟର ଦୂରରେ ସମାବେଶ ହେଉଥିଲା, ହେଲେ ବିଧାୟକ ଉପସ୍ଥିତ ନଥିଲେ । ବ୍ଲକ୍ ବିଜେଡି ସଭାପତିଙ୍କ ସଭାପତିତ୍ୱରେ ଏବଂ ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଉପସ୍ଥିତିରେ ଏ ସମାବେଶରେ ଘୋଷଣା ହୋଇଥିଲା ସୁବାସିନୀଙ୍କ ନାଁ । ପ୍ରତିକ୍ରିୟାରେ ବିଧାୟକ ଦେହ ଖରାପ ପାଇଁ ଅନୁପସ୍ଥିତ ଥିଲେ ବୋଲି କହୁଥିଲେ ବି, ତାଙ୍କ ସମର୍ଥକ କିନ୍ତୁ ଅସନ୍ତୋଷକୁ ରୋକି ନପାରି ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଉପରେ ବର୍ଷିଛନ୍ତି । ଯାହା ଦଳ କନ୍ଦଳକୁ ପଦାରେ ପକାଇଛି ।

ତେବେ ପ୍ରଶ୍ନ ପଦଯାତ୍ରାରେ ଯେଉଁମାନଙ୍କ ନାଁ ଘୋଷଣା ହେଉଛି, ସେମାନଙ୍କୁ ସୁପ୍ରିମୋଙ୍କ ଗ୍ରୀନ୍ ସିଗ୍ନାଲ୍ ଅଛି ନା ସ୍ଥାନୀୟ ସ୍ତରରେ ଲବି ଓ ଚାପ ସୃଷ୍ଟିର ଇଏ ଏକ ଷ୍ଟ୍ରାଟେଜି । ବିଜେଡିର ଏଭଳି ରଣନୀତି ଏକାଧିକ ଆଶାୟୀଙ୍କୁ ଚୁପ୍ କରି ଦଳ ଭିତରେ କନ୍ଦଳ କମାଇବ ନା ବଢ଼େଇବ ତାକୁ ନେଇ ବି ଚର୍ଚ୍ଚା । ତେବେ ପଦଯାତ୍ରା ଯେତେ ଯେତେ ଆଗକୁ ବଢୁଛି ସମାନ୍ତରାଳ ପଦଯାତ୍ରା ଓ କନ୍ଦଳ ବି ସେତେ ସେତେ ଫୁଟି ବାହାରୁଛି ।

ଏପରିକି ବସ୍ତାରେ ବିଧାୟକ ପ୍ରାର୍ଥୀ ଘୋଷଣା କରୁଥିବା ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ ବିରୋଧରେ ତାଙ୍କରି ଏରିଆରେ ଚାଲିଛି ବିଧାୟକ ବିରୋଧୀ ମେଳି । ଠିକ୍ ସେମିତି ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ । ଗୋଟିଏ ପଟେ ବିଧାୟକ ରଘୁନନ୍ଦନ ଦାସଙ୍କ ପଦଯାତ୍ରା ତ ତାଙ୍କୁ କାଉଣ୍ଟର କରିବାକୁ ବିଜେଡି ଯୁବ ନେତା ସଂଜୀବ ବିଶ୍ୱାଳଙ୍କ ପଦଯାତ୍ରା । ଆଠମଲ୍ଲିକ ନିର୍ବାନନ ମଣ୍ଡଳୀରେ ବି ଅନୁରୁପ ସ୍ଥିତି । ଏଠି ବିଧାୟକ ରମେଶ ଚନ୍ଦ୍ର ସାଏ ପଦଯାତ୍ରା କରିବା ପୂର୍ବରୁ ବରିଷ୍ଠ ବିଜେଡି ନେତା ନଳିନୀ ପ୍ରଧାନ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପଦଯାତ୍ରା ଆରମ୍ଭ କରି ଦେଇଛନ୍ତି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ।

୨୪ ମହାଲଢ଼େଇ ଆଗରୁ ଦଳରେ ବଢୁଥିବା ଏ ଗୋଷ୍ଠୀ କନ୍ଦଳ ଆଉ ସେ ଭିତରେ ପଦଯାତ୍ରାରେ ସ୍ଥାନୀୟ ସ୍ତରରେ ପ୍ରାର୍ଥୀ ଘୋଷଣା ଆଗକୁ ଦଳ ପାଇଁ କି ଫଳ ଆଣୁଛି, ତା ଉପରେ ନଜର ।