• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୭ ବର୍ଷ, ସପ୍ତମ ଇନିଂସ । ଗୁଜରାଟରେ ଅପରାଜେୟ ରହିଛି ବିଜେପି । କେବଳ ଅପରାଜେୟ ରହିନି ଏଥରର ବିଧାନସଭା ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି । ମୋଟ ୧୮୨ ଆସନରୁ ୧୫୬ ସିଟ୍ ଜିତି ଦଳ ଇତିହାସ ସୃଷ୍ଟି କରିଛି । ତେବେ କଣ ପାଇଁ ବିଜେପିର ଏ ବିପୁଳ ବିଜୟ ? ସବକାସାଥ୍ ସବକା ବିକାଶ, ସବକା ବିଶ୍ୱାସ ନାରାକୁ ତୃଣମୂଳ ସ୍ତରରେ ପ୍ରତିଫଳିତ କରିପାରିଛି ଦଳ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ରହିଛି ଗୁଜରାବାସୀଙ୍କ ଅକୁଣ୍ଠ ସମର୍ଥନ । ମୋଦି ଓ ଶାହା ଦେଶ ଶାସନର ମଙ୍ଗ ଧରିଥିବାରୁ ଗୁଜରାଟ ଗୌରବ ପାଇଁ ରାଜ୍ୟବାସୀ ସେମାନଙ୍କୁ ଏଭଳି ଅଭୂତପୂର୍ବ ସଫଳତା ଦେଇନାହାନ୍ତି  ତ ? ଏଥର ଫଳାଫଳକୁ ଦେଖିଲେ ଧର୍ମ, ସଂପ୍ରଦାୟ ବାଦ ଓ ଜାତିବାଦ ପ୍ରସଙ୍ଗର କୌଣସି ଭୂମିକା ରହିଥିବା ଜଣାପଡୁନି ।

୧୯୯୫ରୁ ୨୦୨୨, ୨୭ ବର୍ଷ ହେଲା ଗୁଜରାଟ କ୍ରିଜ୍‌ରେ ନଟ୍ ଆଉଟ୍ । ବିଜେପି କେବଳ ନିଜ ଇନିଂସ ଜାରି ରଖିନି ଏଥର ଭାଙ୍ଗି ଦେଇଛି ସବୁ ରେକର୍ଡ । ମୋଦି ଓ ଶାହାଙ୍କ ଛକା ଚୌକା ବର୍ଷଣରେ ସଂପୂର୍ଣ୍ଣ ଧରାଶାୟୀ କଂଗ୍ରେସ । ନୂଆ କରି ପଡିଆକୁ ଓହ୍ଲାଇ ଥିବା ଆପ୍ କିଛି ଚମତ୍କାର କରିବ ବୋଲି ଆଶା କରାଯାଉଥିଲା, ମାତ୍ର ସୀମିତ ରହିଛି ଦଳର ଉପସ୍ଥିତି ।  

ବିକାଶ ହିଁ ବିଜୟର ଏକମାତ୍ର ମନ୍ତ୍ର ବୋଲି ବିଜେପି କହିଆସୁଥିବା ବେଳେ ମୋଦିଙ୍କ ଗୁଜରାଟ ମଡେଲକୁ ନେଇ ଅନେକ ବାର ଉଠିଛି ପ୍ରଶ୍ନ । ରାଜ୍ୟରେ ଏବେବି ଶିକ୍ଷା, ସ୍ୱାସ୍ଥ୍ୟ ଓ ପିଇବା ପାଣି ଭଳି ମୌଳିକ ସୁବିଧାର ଘୋର ଅଭାବ ରହିଥିବା ଅଭିଯୋଗ ହେଉଛି । ସେହିପରି ଦରଦାମ ବୃଦ୍ଧି ଓ ବେରୋଜଗାରୀ ମଧ୍ୟ ଅନ୍ୟ ଦୁଇ ପ୍ରମୁଖ ପ୍ରସଙ୍ଗ । ମାତ୍ର ଯଦି ବିଜେପି ପ୍ରତି ଗୁଜରାଟବାସୀଙ୍କ ସମର୍ଥନକୁ ଦେଖିବା ତେବେ ରାଜ୍ୟରେ ଏସବୁ ସମସ୍ୟା ଥିବା ଆଦୌ ଜଣାପଡୁନି ।

ଗୁଜରାଟ ରାଜନୀତିର ଅନ୍ୟ ଦୁଇ ପ୍ରମୁଖ ବିଷୟ ହେଉଛି ସଂପ୍ରଦାୟ ଓ ସଂଖ୍ୟାଲଘୁ । ଖାସ କରି ଦଳିତ, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ମୁସଲମାନଙ୍କ ଭୋଟ ରାଜ୍ୟରେ ଯେ କୌଣସି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ସବୁ ସମୀକରଣକୁ ଭୁଲ ପ୍ରମାଣିତ କରି ଦଳ ଯେଭଳି ବିପୁଳ ବିଜୟ ହାସଲ କରିଛି ତାହା ପୁଣି ୨୭ ବର୍ଷ ଶାସନରେ ରହିବା ପରେ, ଏହାଭାରତୀୟ ରାଜନୀତିରେ ବିରଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍, ସବ୍କା ବିକାଶ ଓ ସବକା ବିଶ୍ୱାସ ସ୍ଲୋଗାନକୁ ବିଜେପି ସଫଳତାର ସହ ଗୁଜରାଟରେ ଲାଗୁ କରିବା ସହ ସମସ୍ତଙ୍କ ସମର୍ଥନ ହାସଲ କରିପାରିଥିବା କୁହାଯାଉଛି ।

ତେଣେ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହ ଦେଶ ଶାସନର ମଙ୍ଗ ଧରିଥିବାରୁ ଗୁଜରାଟ ଗୌରବ ବି ଏକ ପ୍ରମୁଖ ପ୍ରସଙ୍ଗ ବୋଲି ଚର୍ଚ୍ଚା ହେଉଛି । ନିଜର ବ୍ୟବସାୟ ସ୍କିଲ ଓ ସ୍ୱାଭିମାନ ପାଇଁ ପରିଚିତ ଗୁଜରାଟବାସୀ ଏକଜୁଟ୍ ହୋଇ ମୋଦିଙ୍କ ପଛରେ ଠିଆ ହୋଇଥିବା କୁହାଯାଉଛି । ମୋଦିଙ୍କ ଅମଳରେ ହିଁ ଦେଶ, ସବୁ କ୍ଷେତ୍ରରେ ବିକାଶ କରୁଥିବା ବେଳେ ବିଶ୍ୱ ରାଜନୀତିରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଗୁଜରାଟବାସୀଙ୍କ ବିଶ୍ୱାସ । ତାସହିତ ଆଗାମୀ ଦିନରେ ମୋଦି ହିଁ ଦେଶର ଭାଗ୍ୟ ଓ ଭବିଷ୍ୟତକୁ ଉଚିତ୍ ଦିଗ ଦେଖାଇପାରିବେ ବୋଲି ସେମାନଙ୍କର ଆଶା । ଚଳିତ ନିର୍ବାଚନ ହିଁ ଗୁଜରାଟ ଅସ୍ମିତାର, ଆଉ ଏକ ନମୁନା ବୋଲି ମତ ପ୍ରକାଶ ପାଉଛି ।

ଗୁଜରାଟରେ ବିଜେପିର ସର୍ବକାଳୀନ ବୃହତ ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନ ବଜାୟ ରଖିବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ୍ । ଆସନ୍ତା ୧୨ ତାରିଖରେ ସରକାର ଶପଥ ନେବାକୁ ଯାଉଛି ଏବଂ ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେବା ନେଇ ସୂଚନା ଦେଇଛନ୍ତି ନିଜେ ଭୂପେନ୍ଦ୍ର ପଟେଲ ।