• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଦଳିଲା ଏନସିପି ରାଜନୈତିକ ସମୀକରଣ । ଶରଦ ପାୱାରଙ୍କୁ ବଡ଼ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ବିଗତ କେତେ ଦିନ ଧରି ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପି ଓ ଏହାର ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦ ମଧ୍ୟରେ ହିଁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ଦଳର ସମ୍ବିଧାନରେ ବର୍ଣ୍ଣିତ ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଏବଂ ଉଭୟ ସାଙ୍ଗଠନିକ ତଥା ବିଧାନସଭାର ସଂଖ୍ୟା ଗରିଷ୍ଠତାର ମୂଲ୍ୟାଙ୍କନ ପରେ ହିଁ ଏପରି ନିଷ୍ପତ୍ତି ନିଆଯାଇଥିଲା କହିଛନ୍ତି ନିର୍ବାଚନ କମିଶନ । ଅଜିତଙ୍କ ଗୋଷ୍ଠୀ ହିଁ ଅସଲି ଏନସିପି ବୋଲି କହିଛନ୍ତି ନିର୍ବାଚନ ଆୟୋଗ ।

ସବୁ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି ନିର୍ବାଚନ ଆୟୋଗ । ଶରଦ ପାୱାର ଦଳକୁ ଏକ ବଡ ଝଟକା ଦେଇ ଇସି କହିଛନ୍ତି, ଅଜିତ ପାୱାରଙ୍କ ଗୋଷ୍ଠୀକୁ ହିଁ ଏନସିପିର "ଘଣ୍ଟା" ଚିହ୍ନ ପ୍ରଦାନ କରାଯାଉଛି ।

ଅଜିତ ପାୱାରଙ୍କ ଗୋଷ୍ଠୀ ଏନସିପିର ନାମ ଓ ନିର୍ବାଚନୀ ଚିହ୍ନ ବ୍ୟବହାର କରିପାରିବେ । ଅନ୍ୟପଟେ ନୂଆ ଦଳ ଗଠନ କରିବାକୁ ଶରଦ ପାୱାରଙ୍କ ଗୋଷ୍ଠୀକୁ ୩ଟି ନାମ ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ବୁଧବାର ସୁଦ୍ଧା ଏହି ନାମ ଦେବାକୁ ନିର୍ଦ୍ଦେଶ ରହିଛି ।

ଏହାପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ନିର୍ବାଚନ ଆୟୋଗ ଆଇନଜୀବୀଙ୍କ ଦଲିଲ ଶୁଣି ଆମ ସପକ୍ଷରେ ରାୟ ଶୁଣାଇଛନ୍ତି । ଏହି ରାୟକୁ ଆମେ ବିନମ୍ରତାର ସହ ଗ୍ରହଣ କରୁଛୁ । ଏପଟେ ନୂଆ ଦଳ ଗଠନ ଲାଗି ଆସନ୍ତାକାଲି ଅପରାହ୍ଣ ୩ଟା ସୁଦ୍ଧା ତିନିଟି ନାଁ ଦେବାକୁ ଶରଦଙ୍କୁ କହିଛନ୍ତି ନିର୍ବାଚନ ଆୟୋଗ ।

ସେପଟେ ନିର୍ବାଚନ କମିଶନଙ୍କ ରାୟକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି ଅନୀଲ ଦେଶମୁଖ । NCP ର ୫୩ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ଶରଦ ପାୱାରଙ୍କୁ ସମର୍ଥନ କରୁଛନ୍ତି । ୪୦ ଜଣ ଅଜିତ ପାୱାରଙ୍କ ସପକ୍ଷରେ ଅଛନ୍ତି । ୬ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମାମଲା ଉପରେ ୧୦ ରୁ ଅଧିକ ଥର ଶୁଣାଣି ହୋଇଛି । ଏହାପରେ ଆଜି ଶେଷ ନିଷ୍ପତ୍ତି ଶୁଣାଇଛନ୍ତି ନିର୍ବାଚନ ଆୟୋଗ ।