Advertisment

ଆଗୁଆ ଟିକେଟ୍ କସରତରେ ମାତିଲେଣି ତିନି ଦଳ, ନବୀନ ନିବାସ ଆଗରେ ଆଶାୟୀଙ୍କ ଲମ୍ବା ଲାଇନ୍

ମାର୍ଚ୍ଚ ୧ ସୁଦ୍ଧା MP ଓ ୩ ସୁଦ୍ଧା MLA ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତିରେ ବିଜେପି । ଦିଲ୍ଲୀରେ ବସିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha Politics

ନବୀନ ନିବାସରେ ଆଶାୟୀଙ୍କ ଭିଡ଼ । ଟିକେଟ ପାଇଁ ଜୋରଦାର ଲବି । ୧୦ ହଜାର ଆଶାୟୀଙ୍କ ପରେ ବି ପ୍ରତିଦିନ ବଢ଼ି ଚାଲିଛି ଆବେଦନ । କିଏ ବାୟୋଡାଟା ସହ ଆସିଛି ତ କିଏ ସାଙ୍ଗରେ ବିଭିନ୍ନ ସଙ୍ଗଠନକୁ ଆଣି ଦମ୍ ଦେଖାଇବା ଚେଷ୍ଟାରେ। ନବୀନ ଓ ପାଣ୍ଡିଆନଙ୍କୁ ଧନ୍ୟବାଦ ଆଳରେ ଟିକେଟ ପାଇଁ କସରତ।

Advertisment

ହାତରେ ବାୟୋଡାଟା ଧରି ଆଜି ନବୀନ ନିବାସ ଗେଟ ପାଖରେ ପହଞ୍ଚିଥିବା ପ୍ରିୟଙ୍କା ମଲ୍ଲିକ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଟିକେଟ୍ ଆଶାୟୀ। ତାଙ୍କ କହିବା କଥା ଢେରଦିନ ଧରି ତାଙ୍କ ଶାଶୂ-ଶ୍ୱଶୂର ଓ ପୂରା ପରିବାର ଦଳରେ ଅଛନ୍ତି । ତେଣୁ ତାଙ୍କ ଆଶା, ମହିଳା ପ୍ରାର୍ଥୀ ଭାବେ ଦଳ ତାଙ୍କୁ ପ୍ରାଧାନ୍ୟ ଦେବ। ଅନ୍ୟପଟେ ବିଭିନ୍ନ ସଂଗଠନ ସହ ନବୀନ ନିବାସରେ ପହଞ୍ଚିଥିଲେ ସାଂସଦ ରମେଶ ମାଝୀ, ଅଶୋକ ପଣ୍ଡା ଓ ଶ୍ରୀମୟୀ ମିଶ୍ର। ସେଠୁ ବାହାରିବା ପରେ ରମେଶ ମାଝୀ କହିଥିଲେ କେଉଁଠୁ ଲଢିବି ସେନେଇ ଦଳକୁ କହିଛି। ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ।

କୁହାଯାଉଛି ଦଳ ଏଥର ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ତେଣୁ ପ୍ରାୟ ୫୦ ପ୍ରତିଶତ ବିଧାୟକଙ୍କୁ ଗ୍ରୀନ୍ ସିଗନାଲ ଦିଆଯାଇ ସରିଛି। ଯେଉଁଠି ଯେଉଁଠି ବଦଳିବେ ସେ କସରତ ବି ଆରମ୍ଭ ହୋଇଛି। 

Advertisment

ଏପଟେ ଦୁଇ ଜାତୀୟ ଦଳ ମଧ୍ୟ ଆଗୁଆ ଟିକେଟ୍ ଘୋଷଣା ପାଇଁ ଷ୍ଟ୍ରାଟେଜି କରି ସାରିଛନ୍ତି। ଦୁର୍ବଳ ଥିବା ସିଟ୍‌ଗୁଡିକରେ ଆଗୁଆ ପ୍ରାର୍ଥୀଙ୍କୁ ଓହ୍ଲାଇବ ବିଜେପି। ଖୁବ୍‌ଶୀଘ୍ର ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ, ଯେଉଁଥିରେ ଓଡିଶାର ୨ରୁ ୩ଟି ଲୋକସଭା ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାଁ ରହିପାରେ। ମାର୍ଚ୍ଚ ୧ ତାରିଖ ପୂର୍ବରୁ ରାଜ୍ୟର ସମସ୍ତ ଲୋକସଭା କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ସହ ରିପୋର୍ଟ ଦେବାକୁ ଅବଜର୍ଭରମାନଙ୍କୁ କୁହାଯାଇଛି।

ସେହିପରି ୨ ତାରିଖରେ କୋର୍ କମିଟି ଓ ନିର୍ବାଚନ ପରିଚାଳନା ବୈଠକ କରି ୩ ତାରିଖ ସୁଦ୍ଧା ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଦେବାକୁ ମଧ୍ୟ କୁହାଯାଇଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ୭୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ଲକ୍ଷ୍ୟରେ ଜୋରଦାର କସରତ୍ ଚଳାଇଛି।

ଆଜି ଦିଲ୍ଲୀରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଶେଷ ହୋଇଛି। ଯେଉଁଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ପ୍ରଭାରୀ ଅଜୟ କୁମାର ଯୋଗ ଦେଇଥିଲେ। ବୈଠକରେ ୨୧ ଲୋକସଭା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ୯ ତାରିଖ ଦ୍ୱିତୀୟ ବୈଠକରେ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ଉପରେ ଆଲୋଚନା ହେବ। 

ଆଗୁଆ ଟିକେଟ୍ ପାଇଁ ସବୁ ଦଳ କସରତ କରିଥିଲେ ମଧ୍ୟ କୁହାଯାଉଛି ନିର୍ବାଚନ ବେଳେ ଦଳବଦଳ ଶାସକଦଳକୁ ଅଧିକ ଅଡୁଆରେ ପକାଇପାରେ। କାହିଁକି ନା, ଗୋଟିଏ ଟିକେଟ୍ ପାଇଁ ଏକାଧିକ ଆଶାୟୀ ଥିବାରୁ ଆଗୁଆ ଘୋଷଣା ବିଦ୍ରୋହ ପାଇଁ ସମୟ ଦେବ। ଏମିତି ବି ଏବେଠୁ ଅନେକ ବିଜେଡି ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶିଲେଣି।

BJD BJP Congress Odisha Politics
Advertisment
Advertisment