• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଉତ୍ତରପ୍ରଦେଶରେ ପୁଣି ଯୋଗୀ ରାଜ୍ । ଦୀର୍ଘ ୩୭ ବର୍ଷ ପରେ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ଶାସନ ଗାଦିକୁ ଫେରିଛନ୍ତି କୌଣସି ମୁଖ୍ୟମନ୍ତ୍ରୀ । ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରି ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି । ୨୦୧୭ ତୁଳନାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଥିଲେ ବି ବିଜୟଠାରୁ ବହୁ ଦୂରରେ ରହିଯାଇଛି ।

ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଯାହା ସୂଚନା ମିଳିଛି, ୪୦୩ ଆସନ ବିଶିଷ୍ଟ ଦେଶର ଏଇ ବଡ଼ ରାଜ୍ୟରୁ ବିଜେପି ମେଣ୍ଟ ବିପୁଳ ବିଜୟ ସହ ୨୭୪ ଆସନ ଜିତିବାକୁ ଯାଉଥିବା ବେଳେ ସମାଜବାଦୀ ପାର୍ଟି ଓ ଏହାର ମେଣ୍ଟ ୧୨୪ ଆସନ ପାଇବାକୁ ଯାଉଛି । ସବୁଠୁ ଉଲ୍ଲେଖନୀୟ ହେଉଛି ଦୟନୀୟ ପ୍ରଦର୍ଶନ ସହ କଂଗ୍ରେସ ମାତ୍ର ୨ଟି ଆସନ ପାଉଥିବା ବେଳେ ବିଏସ୍‌ପି ଖାତାକୁ ଯାଉଛି ମାତ୍ର ଗୋଟିଏ ଆସନ ।

ହୋଲି ପୂର୍ବରୁ ବିଜୟର ହୋଲି । ଲକ୍ଷ୍ନୌ ବିଜେପି ଅଫିସ୍‌ରେ ଜୋରଦାର୍ ସେଲିବ୍ରେସନ୍ । ଉତ୍ତରପ୍ରଦେଶ ରାଜନୈତିକ ଇତିହାସରେ ନୂଆ ଫର୍ଦ୍ଦ ଯୋଡିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୩୭ ବର୍ଷ ପରେ କ୍ରମାଗତ ଦ୍ୱିତୀୟ ଥର କ୍ଷମତା ଅକ୍ତିଆର କରି ବିଜେପି ଲାଗି କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ବୁଲଡୋଜର ବାବା ।

ବେରୋଜଗାରୀ, ଆଖୁ ଚାଷୀଙ୍କ ସମସ୍ୟା, କୋଭିଡ୍ ପରିଚାଳନାଗତ ତ୍ରୁଟି ଅଭିଯୋଗ ଓ ଚାଷୀ ଆନ୍ଦୋଳନ ଭଳି ପ୍ରସଙ୍ଗକୁ ନେଇ ଯୋଗୀ ସରକାରକୁ କାଠଗଡ଼ାରେ ଠିଆ କରିବାକୁ ଚେଷ୍ଟା କରିଥିଲେ କଂଗ୍ରେସ ଓ ସମାଜବାଦୀ ପାର୍ଟି । ତେବେ ଏହାର ଦୃଢ଼ ମୁକାବିଲା ସହ ପୁଣି ଥରେ ରାଜ୍ୟବାସୀଙ୍କ ଆସ୍ଥା ଜିତିବାରେ ସଫଳ ହୋଇଛି ଯୋଗୀ ସରକାର । ରାଜନୈତିକ ଦୃଷ୍ଟିରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ହୋଇଥିବାରୁ ଉତ୍ତରପ୍ରଦେଶ ଉପରେ ରହିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସ୍ ।

ଯୋଗୀ ସରକାରର ବିକାଶମୂଳକ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବା ସହ ଏହାକୁ ଆଗେଇ ନେବା ପାଇଁ ଆଉ ୫ ବର୍ଷ ସୁଯୋଗ ଦେବାକୁ ଅପିଲ୍ କରିଥିଲେ । ମୋଦି-ଯୋଗୀ ଡବଲ ଇଂଜିନ୍ ସରକାର ହିଁ ଉତ୍ତରପ୍ରଦେଶ ଭଳି ବୃହତ ରାଜ୍ୟର ବିକାଶ କରିପାରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସେପଟେ ଉତ୍ତରପ୍ରଦେଶରେ ଚାଲିଥିବା ମାଫିଆ ଓ ଗୁଣ୍ଡା ରାଜ୍‌କୁ ଯୋଗୀ ସରକାର  ଅନ୍ତ ଘଟାଇଥିବା ବେଳେ କୋଭିଡ ସମୟରେ ମାଗଣା ରାସନ୍ ସାଙ୍ଗକୁ ସୁଶାସନ ହିଁ ନିର୍ବାଚନରେ ନିର୍ଣ୍ଣାୟକ ହେଲା ବୋଲି କୁହାଯାଉଛି ।

ସେପଟେ ଶୂନ୍ୟରେ ମିଳାଇ ଯାଇଛି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ କମ୍‌ବ୍ୟାକ୍‌ କରିବାର ସ୍ୱପ୍ନ । ଉତ୍ତରପ୍ରଦେଶରେ ଯୋଗୀ ସରକାର ଏକଚାଟିଆ ବିଜୟ ହାସଲ କରିବ ବୋଲି ପୂର୍ବରୁ କୁହାଯାଉଥିଲା । ତେବେ ଚାଷୀ ଆନ୍ଦୋଳନର ସୁଯୋଗ ନେଇ ନିଜ ଅଭିଯାନକୁ ଜୋରଦାର କରିଥିଲେ ଅଖିଳେଶ । ତାଙ୍କ ଜନସଭାଗୁଡିକରେ ପ୍ରବଳ ଜନସମାଗମ ଯୋଗୀ ସରକାର ଉପରେ ୟୁପିବାସୀଙ୍କ ଆସ୍ଥା କମୁଥିବାର ଇଙ୍ଗିତ ଦେଇଥିଲା । ମାତ୍ର ବାସ୍ତବ କ୍ଷେତ୍ରରେ ତାହା ଘଟିନାହିଁ ।

ତେଣେ ରାଜ୍ୟରେ ଦଳର ଅସ୍ତିତ୍ୱ ବଜାୟ ରଖିବା ଲାଗି ଏଥର ନିଜେ ଅଣ୍ଟା ଭିଡିଥିଲେ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା । ରାଜ୍ୟରେ ଡେରା ପକାଇବା ସହ ନିଜେ ପ୍ରଚାରର ମଙ୍ଗ ଧରିଥିଲେ । ତେବେ ଜିତିନ ପ୍ରସାଦ ଓ ଆରପିଏନ୍ ସିଂହଙ୍କ ଭଳି ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡିବା ପରେ କଂଗ୍ରେସର ସ୍ଥିତି ଆହୁରି ଦୁର୍ବଳ ହୋଇଯାଇଥିଲା । ତାସହିତ ଭୋଟରଙ୍କ ମୁଡ୍ ବୁଝିବାରେ ପୁଣି ମସ୍ତବଡ଼ ଭୁଲ କରିଥିଲା ଦଳୀୟ ନେତୃତ୍ୱ । ଫଳରେ ଦଳ ରାଜ୍ୟରେ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଛି । ସେହିପରି ଦିନେ ଉତ୍ତରପ୍ରଦେଶ ରାଜନୀତିର ପ୍ରମୁଖ ଦାବିଦାର ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ମଧ୍ୟ ସମଦଶା ଭୋଗିଛି ।