• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହିମାଚଳ ପ୍ରଦେଶରେ ଜାରି ରହିଲା ଚିରାଚରିତ ଧାରା । ପ୍ରାୟ ୪ ଦଶନ୍ଧି ଧରି ଏଠାରେ କୌଣସି ଦଳ କ୍ରମାଗତ ଦ୍ୱିତୀୟ ଥର ନିର୍ବାଚନ ଜିତିବାରେ ସଫଳ ହୋଇନି । ୧୯୮୦ରେ ଜନତା ପାର୍ଟି ସରକାର ଗଢ଼ିଥିବା ବେଳେ, ୧୯୮୨ ପରଠୁ ଥରେ କଂଗ୍ରେସ ତ ଥରେ ବିଜେପି, ଏମିତି ଭାବେ ବଦଳିଛି ସରକାର । ଆଉ ଚଳିତ ବିଧାନସଭା ନିର୍ବାଚନରେ ବି ସମାନ ଟ୍ରେଣ୍ଡ୍ ଦେଖିବାକୁ ମିଳିଛି । ଦେଶବ୍ୟାପୀ ମୋଦି ହାଓ୍ୱା ବହିବା ସତ୍ତ୍ୱେ, ହିମାଚଳରେ କ୍ଷମତାସୀନ ବିଜେପିକୁ ମାତ୍ ଦେଇଛି କଂଗ୍ରେସ । ମୋଟ ୬୮ ଆସନରୁ କଂଗ୍ରେସ ୪୦ ଓ ବିଜେପି ୨୫ ଆସନରେ ବିଜୟୀ ହୋଇଛି । ବାକି ୩ଟି ଆସନ ଅନ୍ୟାନ୍ୟ ଦଳକୁ ମିଳିଥିବା ବେଳେ, ଆପକୁ ଗୋଟିଏ ବି ସିଟ୍ ମିଳିନି।

ରିଓ୍ୱାଜ୍ ବଦଲୋ ବନାମ୍ ରାଜ୍ ବଦଲୋ । ହିମାଚଳ ପ୍ରଦେଶରେ ଏଭଳି ନାରା ସହ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ । ହେଲେ ହିମାଚଳବାସୀ ନୋ ରିପିଟର ରିଓ୍ୱାଜ୍ ବା ପ୍ରଥାକୁ ନବଦଳାଇ, ଚିରାଚରିତ ଧାରାରେ ସରକାର ବଦଳାଇଦେଲେ । କ୍ଷମତାସୀନ ବିଜେପିକୁ ହଟାଇ କଂଗ୍ରେସକୁ ବାଛିଲେ । ଗୋଟିଏ ପଟେ ପୂରା ଗୁଜରାଟ ଗେରୁଆରେ ରଙ୍ଗେଇ ଯାଇଥିବା ବେଳେ, ହିମାଚଳରେ କାହିଁକି ବହିଲା ବିଜେପି ବିରୋଧୀ ହାଓ୍ୱା? ହିମାଚଳବାସୀଙ୍କ କ୍ଷେତ୍ରରେ କାହିଁକି ଫେଲ୍ ମାରିଲା ମୋଦି ମ୍ୟାଜିକ୍? ଇଏ କଂଗ୍ରେସର ସଫଳତା ନା ବିଜେପିର ବିଫଳତା? ଚର୍ଚ୍ଚା ହେଉଛି, ଏହା ପଛର ଅନ୍ୟତମ ମୁଖ୍ୟ କାରଣ ସାଜିଲା ଅନ୍ତର୍ବିଦ୍ରୋହ । ରାଜ୍ୟର ୧୧ଟି ଆସନରେ ସିଟିଂ ଏମ୍ଏଲ୍ଏଙ୍କୁ ବିଜେପି ଟିକେଟ୍ ନଦେବାରୁ ସେମାନେ ଦଳ ପାଇଁ କାଳ ସାଜିଥିବା କୁହାଯାଉଛି ।

କେବଳ ଏଇ ୧୧ଟି ନୁହେଁ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ପ୍ରାୟ ୨୫ରୁ ୩୦ଟି ଆସନରେ ବିଜେପିକୁ ବିଦ୍ରୋହୀଙ୍କ ସାମ୍ନା କରିବାକୁ ପଡ଼ିଛି । ଏଥିରୁ ଅଧିକାଂଶ ସିଟ୍ରେ କଂଗ୍ରେସ ଜିତିଛି । ତେଣେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ପୂର୍ବତନ ହିମାଚଳ ସିଏମ୍ ପ୍ରେମ କୁମାର ଧୁମଲଙ୍କ ମଧ୍ୟରେ ମତଭେଦ ବି ଦଳର ବିଜୟ ପଥରେ ବାଧା ଆଣିଥିବା ଚର୍ଚ୍ଚା ହେଉଛି ।

ଗୁଜରାଟରେ ମୁଳପୋଛ ସ୍ଥିତିକୁ ଆସିଥିଲେ ମଧ୍ୟ ହିମାଚଳ ବିଜୟ କଂଗ୍ରେସ ପାଇଁ ଆଶ୍ୱସ୍ତି ଆଣିଛି । ତେବେ ଏକାଧିକ ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଦଳର ଚିନ୍ତା ବଢାଇବ, ହିମାଚଳରେ କିଏ ହେବ ମୁଖ୍ୟମନ୍ତ୍ରୀ? ଏହାକୁ ନେଇ ଦଳରେ ଟଣାଓଟରା ଲାଗିବାର ଆଶଙ୍କା ଉପୁଜିଛି । ପ୍ରମୁଖ ମୁଖ୍ୟମନ୍ତ୍ରୀ ଚେହେରା ଭିତରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ତଥା ବର୍ତ୍ତମାନର ପ୍ରଦେଶ କଂଗ୍ରେସ ମୁଖିଆ ପ୍ରତିଭା ସିଂହ, ପୂର୍ବତନ ପିସିସି ମୁଖ୍ୟ ତଥା ଟାଣୁଆ ନେତା ସୁଖବିନ୍ଦର ସିଂହ ସୁଖୁ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ମୁକେଶ ଅଗ୍ନିହୋତ୍ରି । ପ୍ରତିଭା ସିଂହ ସିଏମ୍ ରେସରେ ଥିବା ସଂକେତ ଦେଇସାରିଲେଣି ।

ବୀରଭଦ୍ରଙ୍କ ଅନ୍ତେ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହେବାକୁ ଅନେକ ପ୍ରମୁଖ ନେତା ଆଶାୟୀ ଥିବାରୁ, ଆଗକୁ ଅନ୍ତର୍କନ୍ଦଳ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ଆଣିପାରେ । ତେଣୁ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ଓ ଅସନ୍ତୋଷକୁ ପ୍ରଶମିତ କରୁଛ ଏବେ ତା ଉପରେ ନଜର । କାରଣ ଦଳ ଭିତରେ ଫାଟ ଦେଖାଦେଲେ ବିଜେପି ଏହାକୁ ସୁଯୋଗ ଭାବେ ବ୍ୟବହାର କରିପାରେ ବୋଲି ମଧ୍ୟ ହୁଏତ ଆଗୁଆ ଠଉରେଇ ସାରିଲେଣି ହାଇକମାଣ୍ଡ୍ । ତେଣୁ ଅପରେସନ୍ ଲୋଟସ୍ ଆଶଙ୍କାରେ ବିଜୟୀ କଂଗ୍ରେସ ବିଧାୟକଙ୍କୁ ତୁରନ୍ତ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।